ଆରବିଆଇର ଦ୍ୱିତୀୟ ଋଣ ଖିଲାପୀ ତାଲିକାରେ ୪୦ଟି କଂପାନି

37

କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଋଣ ଖିଲାପୀଙ୍କ ଦ୍ୱିତୀୟ ତାଲିକା ପ୍ରସ୍ତୁତ କରିଛି । ଏହି ସଂସ୍ଥାଗୁଡ଼ିକର ଏନପିଏ ମାମଲାର ଶୀଘ୍ର ସମାଧାନ କରିବା ପାଇଁ ଖୁବ୍ ଶୀଘ୍ର ଆରବିଆଇ ଏହି ତାଲିକାକୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନସିଏଲଟି)କୁ ପଠାଇବ । ଦ୍ୱିତୀୟ ତାଲିକାରେ ଅନେକ ପ୍ରତିଷ୍ଠିତ କଂପାନିଙ୍କ ନାମ ରହିଛି । ଏହି ଖବର ପ୍ରକାଶ ପାଇବା ପରେ ଅନେକ କଂପାନିଙ୍କ ସେୟାର ମୂଲ୍ୟରେ ଗତକାଲି ହ୍ରାସ ହୋଇଛି ।

ଏହି ତାଲିକାରେ ଇସ୍ପାତ, ଶକ୍ତି, ଭିତ୍ତିଭୂମି, ପ୍ରଯୁକ୍ତି ଏବଂ କଞ୍ଜ୍ୟୁମର ଇଲେ୍ଟ୍ରୋନିକ୍ସ କ୍ଷେତ୍ରର ପ୍ରତିଷ୍ଠିତ କଂପାନିଙ୍କ ନାମ ରହିଛି । ଆରବିଆଇ ତାଲିକାରେ ନାମ ଥିବା କଂପାନିଗୁଡ଼ିକ ୩୦୦୦ କୋଟି ଟଙ୍କାରୁ ଆରମ୍ଭ କରି ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତର ଋଣ ନେଇ ପରିଶୋଧ କରୁନାହାନ୍ତି । ଇସ୍ପାତ କ୍ଷେତ୍ରର କିଛି ପ୍ରତିଷ୍ଠିତ କଂପାନିର ନାମ ଦ୍ୱିତୀୟ ତାଲିକାରେ ରହିଥିବା ଆଶା କରାଯାଉଛି । ଗୋଟିଏ କଂପାନି ୪୫ ହଜାର କୋଟି ଟଙ୍କାର ଋଣ ବକେୟା ରଖିଥିବା ବେଳେ ଆଉ ଏକ ଇସ୍ପାତ କଂପାନି ୩୦୦୦ କୋଟି ଟଙ୍କା ବାକି ରଖିଛି ।

ପୂର୍ବରୁ ଆରବିଆଇ ପକ୍ଷରୁ ଦେଶର ୧୨ ପ୍ରମୁଖ ଋଣ ଖିଲାପୀଙ୍କ ମାମଲାକୁ ଏନସିଏଲଟି ନିକଟକୁ ପଠାଯାଇଛି । ପ୍ରଥମ ତାଲିକାରେ ମଧ୍ୟ ପ୍ରତିଷ୍ଠିତ କଂପାନିମାନଙ୍କ ନାମ ରହିଥିଲା ।