ବଦଳିବନି ଆର୍ଥିକ ବର୍ଷ : ମିଳୁନି ସମର୍ଥନ, ଯୋଜନା ସ୍ଥଗିତ

19

କନକ ବ୍ୟୁରୋ: ଜାନୁଆରିରୁ ଆର୍ଥିକ ବର୍ଷ ଆରମ୍ଭ କରିବାର ଯେଉଁ ଯୋଜନା ରହିଥିଲା ତାହାକୁ ସରକାର ସ୍ଥଗିତ ରଖିଛନ୍ତି । ଏହି ଯୋଜନା ଏବେ ଶୀତଳ ଭଣ୍ଡାରରେ । ଯାହା ଜଣାପଡୁଛି ୨୦୧୯ ଭିତରେ ଏହି ପରିବର୍ତ୍ତନ ହୋଇପାରିବ ନାହିଁ । ଆର୍ଥିକ ବର୍ଷ ଜାନୁଆରିରୁ ଆରମ୍ଭ କରିବା ପ୍ରସ୍ତାବକୁ ରାଜ୍ୟଗୁଡ଼ିକର ସମର୍ଥନ ମିଳୁନି ।

ବର୍ତ୍ତମାନ ଏପ୍ରିଲ୍-ମାର୍ଚ୍ଚକୁ ଦେଶରେ ଆର୍ଥିକ ବର୍ଷ ଭାବେ ବିବେଚନା କରାଯାଉଛି । ଏହାକୁ କ୍ୟାଲେଣ୍ଡର ବର୍ଷ (ଜାନୁଆରି-ଡିସେମ୍ବର) ସହ ସମାନ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଥିଲେ । ତେବେ ଏହି ପରିବର୍ତ୍ତନ କରିବାକୁ ହେଲେ ସବୁ ରାଜ୍ୟର ସହମତି ଦରକାର ପଡ଼ିବ। ଅଧିକାଂଶ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ସମର୍ଥନ କରୁନାହାନ୍ତି । ଅନ୍ୟ ଏକ କାରଣ ହେଉଛି ଆର୍ଥିକ ବର୍ଷ ଜାନୁଆରିରୁ ଆରମ୍ଭ ହେଲେ ସେଭଳି କିଛି ବଡ଼ ଧରଣର ଲାଭ ହେବନାହିଁ ବୋଲି ସରକାର ଭାବୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଥିଲେ ଆର୍ଥିକ ବର୍ଷ ଜାନୁଆରିରୁ ଆରମ୍ଭ ହେଉ । ସେଥିପାଇଁ ସେ ନିତି ଆୟୋଗ ବୈଠକରେ ଏ ବିଷୟରେ ଆଲୋଚନା କରିଥିଲେ । ସେହି ବୈଠକରେ ସମସ୍ତ ରାଜ୍ୟ ଯୋଗ ଦେଇଥିଲେ । ଏ ଦିଗରେ କାମ ଆଗକୁ ବଢ଼ାଇବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ କହିଥିଲେ । ଦେଶର ପ୍ରଥମ ରାଜ୍ୟ ଭାବେ ମଧ୍ୟ ପ୍ରଦେଶ ପକ୍ଷରୁ ଘୋଷଣା କରାଯାଇଛି ଯେ ଆସନ୍ତା ବର୍ଷଠାରୁ ରାଜ୍ୟରେ ଆର୍ଥିକ ବର୍ଷ ଜାନୁଆରିରୁ ଆରମ୍ଭ ହେବ । ଚଳିତ ଆର୍ଥିକ ବର୍ଷ ସେଠାରେ ନଭେମ୍ବରରେ ଶେଷ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମଧ୍ୟ ସଂସଦରେ କହିଥିଲେ ଯେ ସରକାର ଜାନୁଆରିରୁ ଆର୍ଥିକ ବର୍ଷ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି ।

ଆର୍ଥିକ ବର୍ଷ ପରିବର୍ତ୍ତନ ହେଲେ କ’ଣ ସବୁ ପ୍ରଭାବ ପଡ଼ିବ ତାହା ଆକଳନ କରିବା ପାଇଁ ସରକାର ଶଙ୍କର ଆଚାର୍ଯ୍ୟ କମିଟି ଗଠନ କରିଥିଲେ । କମିଟି ଦେଇଥିବା ରିପୋର୍ଟକୁ ଏବେ ସରକାର ଅନୁଧ୍ୟାନ କରୁଛନ୍ତି । କମିଟିର ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ । ଯାହା ଜଣାପଡ଼ୁଛି ଆର୍ଥିକ ବର୍ଷ ପରିବର୍ତ୍ତନ ବିପକ୍ଷରେ କମିଟି ଏହାର ରିପୋର୍ଟ ପ୍ରଦାନ କରିଛି ।

ଉଲ୍ଲେଖଯୋଗ୍ୟ, ବ୍ରିଟିସ୍ ସରକାରଙ୍କ ଢ଼ାଞ୍ଚାରେ ୧୮୬୭ ମସିହାରୁ ଦେଶରେ ଏପ୍ରିଲ୍-ମାର୍ଚ୍ଚ ଆର୍ଥିକ ବର୍ଷ ଚକ୍ର ପ୍ରଚଳନ ଆରମ୍ଭ ହୋଇଥିଲା । ତାହା ଏବେ ପର୍ଯ୍ୟନ୍ତ ଜାରି ରହିଛି । ନରେନ୍ଦ୍ର ମୋଦି ସରକାର ଶାସନ ଭାର ସମ୍ଭାଳିବା ପରେ ଏହି ସମୟ ଚକ୍ରରେ ପରିବର୍ତ୍ତନ ଆଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

୧୫ ଦିନ ପୂର୍ବରୁ ବଜେଟ !

କେନ୍ଦ୍ର ସରକାର ଆସନ୍ତା ବର୍ଷର ବଜେଟକୁ ୧୫ ଦିନ ଆଗୁଆ ଉପସ୍ଥାପନ କରିବାକୁ ଚାହୁଁଛନ୍ତି । ୨୦୧୭ର ବଜେଟ୍ ଫେବ୍ରୁଆରି ୧ରେ ଉପସ୍ଥାପନ କରାଯାଇଥିଲା । ଏହା ଦ୍ୱାରା ବିଶେଷ କିଛି ଲାଭ ମିଳିଲା ନାହିଁ । ତେଣୁ ଆସନ୍ତା ବର୍ଷ ଆହୁରି ୧୫ ଦିନ ଆଗରୁ ବଜେଟ୍ ଉପସ୍ଥାପନ କରିବା ଉପରେ ବିଚାରବିମର୍ଶ ଚାଲିଛି । ପୂର୍ବରୁ ଫେବ୍ରୁଆରି ମାସର ଶେଷ ଦିନରେ ବଜେଟ୍ ଉପସ୍ଥାପନ କରାଯାଉଥିଲା । ଗତବର୍ଷ ରେଳ ବଜେଟକୁ ସାଧାରଣ ବଜେଟ୍ ସହିତ ମିଶାଇ ଦିଆଯାଇଥିଲା ।