ସକାଳେ ରବି ସଂଧ୍ୟାରେ ତାରା! ଅତ୍ୟାଧୁନିକ ଟର୍ମିନାଲର ଶ୍ରେୟ ନେବା ପାଇଁ ଜୟପୁରର ଦୁଇ ଟାଣୁଆ ନେତାଙ୍କ ଆରମ୍ଭ ହେଲା କାଦୁଅଫିଙ୍ଗା ରାଜନୀତି

31

କନକ ବ୍ୟୁରୋ : ବଦଳିଯିବ ଜୟପୁର ଟର୍ମିନାଲର ରୂପରେଖ । ଜୟପୁରରେ ହେବ ଅତ୍ୟାଧୁନିକ ଟର୍ମିନାଲ, ଖର୍ଚ୍ଚ ହେବ ପ୍ରାୟ ୧୧ କୋଟି ଟଙ୍କା । ଏଥିପାଇଁ ସରକାର ସବୁଜ ସଂକେତ ଦେଇ ସାରିଛନ୍ତି । ଖୁବଶ୍ରୀଘ୍ର ଜୟପୁର ସରକାରୀ ବସଷ୍ଟାଣ୍ଡ ସ୍ଥାନାନ୍ତର ହେବା ସହ ଅତ୍ୟାଧୁନିକ ଟର୍ମିନାଲ ତିଆରି ହେବ । ଜୟପୁର ଖ୍ରଷ୍ଟୀୟାନପେଟା ସ୍ଥିତ ବସ ଡ଼ିପୋକୁ ନୁତନ ବସଷ୍ଟାଣ୍ଡରେ ପରିଣତ କରାଯିବ । ଅତ୍ୟାଧୁନିକ ବସ ଟର୍ମିନାଲରେ ସଫିଙ୍ଗ ମହଲ, ପିଇବା ପାଣି, ପୋଷ୍ଟ ଅଫିସ, ଫାଷ୍ଟ ଏଡ଼, ରେଷ୍ଟୋରେଂଟ ଭଳି ଅତ୍ୟାଧୁନିକ ସୁବିଧା ରହିବ । ୧୧କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ନିର୍ମାଣ ଦାୟୀତ୍ୱ ନେଇଛି ପୋଲିସ ହାଉସିଂ ବୋର୍ଡ଼ ।

ଚେନ୍ନାଇ ଓ ବିକଜୟନଗରମ ଭଳି ଅତ୍ୟାଧୁନିକ ଟର୍ମିନାଲ ଜୟପୁରରେ ନିର୍ମାଣ ହେବ । ଦଶହରା ପରେ ଆରମ୍ଭ ହେବ ଏହାର କାମ । କିନ୍ତୁ କାମ ଆରମ୍ଭ ନ ହେବା ପୂର୍ବରୁ ଏହି ପ୍ରୋଜେକ୍ଟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଟର୍ମିନାଲର ଶ୍ରେୟ ନେବା ପାଇଁ ଦୁଇ ସ୍ଥାନୀୟ ନେତା ରବି ନନ୍ଦ ଓ ତାରାଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି । ବିଜେଡି ମୁଖପାତ୍ର ରବି ନାରାୟଣ ନନ୍ଦ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ପ୍ରୋଜେକ୍ଟର କାମ ଦଶହରା ପରେ ଆରମ୍ଭ ହେବ ବୋଲି ସୂଚନା ଦେବା ପରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି ।

ବସ ଟର୍ମିନାଲର ନିର୍ମାଣର ଶ୍ରେୟ ରବି ନନ୍ଦ ହାଇଜାକ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ଜୟପୁର ବିଧାୟକ ତାରା ବାହିନିପତି । ୧୫ ବର୍ଷ ଶାସନ କାଳରେ ରବି ନନ୍ଦ ନିଜ ଅଂଚଳ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ତାରା । ଏହି ଅତ୍ୟାଧୁନିକ ଟର୍ମିନାଲ ପାଇଁ ୨୦୧୪ରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ସହ ବିଧାନସଭାରେ ଦାବି ଉପସ୍ଥାପନ କରିଥିବା କହିଛନ୍ତି ତାରା । ତା ସହିତ ଏହି ଯୋଜନା ପଛରେ କାହାର ହାତ ରହିଛି ତାହା ସମସ୍ତ ଜନସାଧାରଣ ଜାଣିବା ଉଚିତ ବୋଲି କହିଛନ୍ତି ତାରା । ତାରାଙ୍କ ପ୍ରତିକ୍ରିୟାର ଜବାବ ଦେଇ ବିଜେଡି ନେତା ରବି ନନ୍ଦ କହିଛନ୍ତି ଯେ, ଜୟପୁର ବିଧାୟକ ଖାଲିଟାରେ ବାହୋସ୍ପଟ ମାରୁଛନ୍ତି ।

ସରକାରୀ ବସଷ୍ଟାଣ୍ଡର ରୁପରେଖ ବଦଳାଇବା ନେଇ ରାଜ୍ୟ ସରକାରଙ୍କ ଯୋଜନାକୁ ସ୍ୱାଗତ କରିଛି ବସ କର୍ମଚାରୀ ସଂଘ । ୨ରୁ ୩ ଥର ପୋଲିସ ହାଉସିଂ ବୋର୍ଡ଼ର ସଦସ୍ୟମାନେ ମାଟି ନମୁନା ସଂଗ୍ରହ କରି ପରିକ୍ଷା କରିସାରିଛନ୍ତି, ଦଶହରା ପରେ କାମ ଆରମ୍ବ ହେବ ବୋଲି କହିଛନ୍ତି ସଂଘର ଉପସଭାପତି ।