ଅଣସର ଘରେ ଠାକୁର…ନିସ୍ତବ୍ଧ ଶ୍ରୀମନ୍ଦିର ! ସ୍ନାନ ପରେ ଜ୍ୱରରେ ପୀଡିତ ମହାପ୍ରଭୁଙ୍କର ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ଉପଚାର

218

କନକ ବ୍ୟୁରୋ: ଅଣସର ଘରେ ଶ୍ରୀଜୀଉ ଥିବା ବେଳେ ନିସ୍ତବ୍ଧ ହୋଇଯାଇଛି ଶ୍ରୀମନ୍ଦିର । ଅଣସରରେ ଆଜି ମହାପ୍ରଭୁଙ୍କ ଦ୍ୱିତୀୟ ଦିନ । ସ୍ନାନ ପରେ ଜ୍ୱରରେ ପୀଡିତ ମହାପ୍ରଭୁ ଅଣସର ପିଣ୍ଡିରେ ରହିଛନ୍ତି । ଘନ ଅନ୍ଧାର ଭିତରେ ମହାପ୍ରଭୁଙ୍କ ଉପଚାର ଚାଲିଛି । ଆଜି ଓଦା ବସ୍ତ୍ରକୁ ବିଗ୍ରହଙ୍କ ଦେହରୁ ଓଲାଗି କରାଯିବ । ଏହି ଅଣସର ସମୟରେ ଶ୍ରୀମନ୍ଦିରରେ ଘଂଟଘଂଟା ବାଜିବା ବାରଣ ରହିଛି । ଏଥିପାଇଁ ନିସ୍ତବ୍ଧ ରହିଛି ଶ୍ରୀମନ୍ଦିର । ଆସନ୍ତାକାଲି ବିଗ୍ରହଙ୍କ ଦେହରେ କେତେ ରହିଛି ତାତି ତାକୁ ପରଖିବେ ଦଇତାପତି । ମହାପ୍ରଭୁଙ୍କ ବୈଦ୍ୟଙ୍କ ପରାମର୍ଶକ୍ରମେ ଜ୍ୱରରେ ପୀଡିତ ଥିବା ଅସୁସ୍ଥ ମହାପ୍ରଭୁଙ୍କୁ ସୁସ୍ଥ ହେବା ପାଇଁ ଦିଆଯିବ ପଥି । ସେହି ସମୟରେ ପୂଜା ପାଉଥିବା ପଟି ଦିଅଁଙ୍କୁ ଧଳା ଫୁଲରେ ପୂଜାର୍ଚ୍ଚନା କରାଯିବ ।

ସେପଟେ ଅଣସର ପିଣ୍ଡିରେ ଥିବା ମହାପ୍ରଭୁଙ୍କୁ ଅଣସର ପଣା ଓ ଫଳ ଭୋଗ କରାଯାଉଛି । ମଧ୍ୟାହ୍ନ ଧୂପ ସରିବା ପରେ ମୁକ୍ତିମଣ୍ଡପ ସମ୍ମୁଖ ବେହରଣ ମଣ୍ଡପ ଦେଇ ଦଇତାପତି ସେବକମାନେ ଗୋଟିଏ ମାତ୍ର ଧଳା ବସ୍ତ୍ର ପରିଧାନ କରି ଅଣସର ଘରେ ପ୍ରବେଶ କରୁଛନ୍ତି । ସେଠାରେ ଦଇତାପତି ସେବକଙ୍କ ଦ୍ୱାରା ବିଗ୍ରହଙ୍କ ଗୁପ୍ତ ସେବା କରାଯାଉଛି । ମହାପ୍ରଭୁଙ୍କୁ ପଥି ଆକାରରେ କ୍ଷୀର, ସର, ଛେନା, ରାବିଡି ଓ ଫଳ ଆଦି ଭୋଗ ଲାଗି କରାଯାଉଛି । ପରମ୍ପରା ମୁତାବକ ଏହି ସବୁ ଲାଗି ଭୋଗକୁ ଦଇତାପତି ସେବକମାନେ ହିଁ ପ୍ରସାଦ ଆକାରରେ ସେବନ କରିଥାନ୍ତି ।

ମହାପ୍ରଭୁ ଅଣସରରେ ଥିବାରୁ ଶ୍ରୀମନ୍ଦିରର ସମସ୍ତ କାର୍ଯ୍ୟ ବନ୍ଦ କରିଦିଆଯାଇଛି । ଯେଭଳି କିଛି ଶବ୍ଦ ଶୁଭିବନାହିଁ ମହାପ୍ରଭୁଙ୍କୁ ସେଥିପାଇଁ ସମସ୍ତ କାମ ବନ୍ଦ ରହିଛି । ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଜ୍ୱରରେ ପଡିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧା ମୂରତି ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ଦୁଇ ସପ୍ତାହ ଅଣସରଘରେ ରହିବା ପରେ ରଥଯାତ୍ରା ପୂର୍ବ ଦିନ ସୁସ୍ଥ ହେବେ ମହାପ୍ରଭୁ । ଏବଂ ନବଜୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।