ରଥ ଉପରେ ତିନି ଠାକୁରଙ୍କ ସୁନାବେସ ! ମହଣ ମହଣ ସୁନାରେ ଛାଇ ହୋଇଛନ୍ତି ଶ୍ରୀଜିଉ, ରାଜରାଜେଶ୍ୱର ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଜନସମୁଦ ।

250

କନକ ବ୍ୟୁରୋ : ଆଜି ସୁନାବେଶରେ ସଜାଇ ହୋଇ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ନାନାଦି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ଶ୍ରୀଜିଉମାନେ ଝଟକନ୍ତି ରଥ ଉପରେ । ୧୩୮ ପ୍ରକାର ରତ୍ନ ଖଚିତ ସୁନା ଅଳଙ୍କାରରେ ଦାରୁ ବିଗ୍ରହମାନଙ୍କୁ ସୁସଜ୍ଜିତ କରାଯାଏ । ମହାପ୍ରଭୁଙ୍କ ଏହି ଅପୂର୍ବ ରୂପକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲାଗି ରହିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଳି ।

ରଥଯାତ୍ରାରେ ଶ୍ରୀଜିଉଙ୍କ ସୁନାବେଶର ରହିଛି ବିଶେଷ ମହତ୍ୱ । ବାହୁଡ଼ାର ପରଦିନ ଅର୍ଥାତ ଏକାଦଶୀ ଦିନ ସୁନା ବେଶରେ ସଜାଇ ହୁଅନ୍ତି ଠାକୁର । ରଥ ଉପରେ ଝଟକେ ମହାପ୍ରଭୁଙ୍କ ମନୋରମ ଦୃଶ୍ୟ । ସିଂହାରୀ, ପାଳିଆ, ଖୁଂଟିଆ, ଭଣ୍ଡାର ମେକାପ, ଚାଙ୍ଗଡା ମେକାପ ସେବକମାନଙ୍କ ଜରିଆରେ କରାଯାଇଥାଏ ସୁନାବେଶ । ମହାପ୍ରଭୁଙ୍କୁ ୧୩୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯିବା ବିଧି ରହିଛି । ଏହି ସଂଖ୍ୟା କ୍ରମେ ହ୍ରାସ ପାଇଥିବା କୁହନ୍ତି ଗବେଷକ । ତେବେ ମହଣ ମହଣ ସୁନାରେ ଆଭୂଷିତ ହୋଇଥାନ୍ତି ଶ୍ରୀଜିଉ । ହେଲେ କେତେ ଓଜନର ସୁନା ଅଳଙ୍କାର ଏହି ବେଶରେ ବ୍ୟବହାର ହୁଏ, ସେ ନେଇ ରହିଛି ଭିନ୍ନ ଭିନ୍ନ ମତ । ତେବେ ଦିଅଁମାନଙ୍କୁ ଯେଉଁ ମାଳା ପିନ୍ଧାଇ ଦିଆଯାଏ, ପ୍ରତି ମାଳାର ଓଜନ ୧୨୦ ତୋଲା ବା ୧କିଲୋ ୩୬୦ ଗ୍ରାମ । ଶ୍ରୀଜଗନ୍ନାଥଙ୍କ ଶ୍ରୀହସ୍ତ ଓ ଶ୍ରୀପୟରର ଓଜନ ୮୧୮ ତୋଳା ବା ୯ କିଲୋ ୨୭୬ ଗ୍ରାମ । ବଳଭଦ୍ରଙ୍କ ଶ୍ରୀହସ୍ତ ଓ ଶ୍ରୀପୟରର ଓଜନ ୭୧୦ ତୋଳା ବା ୮ କିଲୋ ୫୧ ଗ୍ରାମ । ସେହିପରି ଜଗନ୍ନାଥଙ୍କ ସୁନା ମୁକୁଟର ଓଜନ ୬୧୦ ତୋଳା ବା ୬ କିଲୋ ୯୧୭ଗ୍ରାମ । ବଳଭଦ୍ରଙ୍କ ମୁକୁଟ ୪୩୪ ତୋଳା ଅର୍ଥାତ ୪ କିଲୋ ୯୨୧ ଗ୍ରାମ, ଦେବୀ ସୁଭଦ୍ରାଙ୍କ ମୁକୁଟର ଓଜନ ୨୭୪ ତୋଳା ବା ୩ କିଲୋ ୧୦୭ ଗ୍ରାମ । ଏବେ ଜାଣନ୍ତୁ କେଉଁ ଦିଅଁଙ୍କୁ କେଉଁ ଅଳଙ୍କାରରେ ଭୂଷିତ କରାଯାଏ ।

sunabesha

ଶ୍ରୀଜଗନ୍ନାଥଙ୍କ ବେଶ ଲାଗି ମୁଖ୍ୟ ଅଳଙ୍କାର ହେଉଛି – ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡିଆଣି, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ହରିଡା କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି, ସେବତି ମାଳି, ତ୍ରିଖଣ୍ଡିକା, ତ୍ରିଖଣ୍ଡିକା କମର ପଟି ।

ସେହିପରି ଶ୍ରୀବଳଭଦ୍ରଙ୍କ ଅଳଙ୍କାର ମଧ୍ୟରେ ରହିଛି – ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡା ମାଳି, ବାଘନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି ।

ଦେବୀ ସୁଭଦ୍ରାଙ୍କ ବିଶେଷ ଅଳଙ୍କାର ମଧ୍ୟରେ ରହିଛି – କିରୀଟ, ଓଡିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡା ମାଳି, କଦମ୍ବ ମାଳି, ତଗଡି ୨ଟି, ସେବତୀ ମାଳି ।

ସୁନାବେଶର ଇତିହାସ ବେଶ ପୁରୁଣା । ଅନଙ୍ଗ ଭୀମଦେବ ପବିତ୍ର ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ରଥାରୁଢ ଶ୍ରୀଜିଉମାନଙ୍କୁ ସୁନାବେଶ କରାଇଥିବା ଅନୁମାନ କରାଯାଏ । ଅନ୍ୟ କେତେକଙ୍କ ମତରେ କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ସୁନାବେଶ କରାଯାଉଛି ।