ଶୃଙ୍ଖଳିତ ହେବ ରଥଯାତ୍ରା : ଦୁର୍ଘଟଣା ଏଡାଇବା ପାଇଁ ରଥଯାତ୍ରା ପୂର୍ବରୁ କେନ୍ଦ୍ରାଞ୍ଚଳ ଆରଡିସି କଲେ ମକଡ୍ରିଲ

46

କନକ ବ୍ୟୁରୋ : ଚଳିତ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ସମାପନ କରିହେବ ସେନେଇ କେନ୍ଦ୍ରାଞ୍ଚଳ ଆରଡିସି ଡି.ଭି ସ୍ୱାମୀଙ୍କ ଅଧ୍ୟକ୍ଷତାରେ ହୋଇଛି ଏସଓପି ବୈଠକ । ବିଶେଷ କରି ରଥଯାତ୍ରାରେ ଯଦି କୌଣସି କାରଣରୁ ଦୁର୍ଘଟଣା ହୁଏ, ତେବେ କିଭଳି ଘଟଣା ସ୍ଥଳରେ ଏନଡିଆରଏଫ, ଓଡ୍ରାଫ, ଡାକ୍ତରୀଦଳ ସହ ଆମ୍ବୁଲାନ୍ସ ଉଦ୍ଧାରକାରୀ ଦଳ ପହଁଚିବ ସେନେଇ ମକଡ୍ରିଲ କରାଯାଇଛି । ତେବେ ଏହାକୁ ସିସିଟିଭି କଣ୍ଟ୍ରୋଲ ରୁମ ମାଧ୍ୟମରେ ଅପରେସନ କରିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ଉଦ୍ଧାରକାରୀ ଦଳଙ୍କ ସହ ନୟୋଜିତ ହେବାକୁଥିବା ସମସ୍ତ ବିଭାଗକୁ ନେଇ ପରୀକ୍ଷାମୂଳକ ଭାବେ ପୁରୀର ୪ ଟି ସ୍ଥାନରେ ମକଡ୍ରିଲ କରାଯାଇଛି ।

କେବଳ ଏତିକି ନୁହେଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇବା ପାଇଁ ଏସଓଜି ଓ ଟାକ୍ଟିକାଲ ଫୋର୍ସ ମୂତୟନ କରାଯିବାର ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ରଥ ପରିଚାଳନା ସମନ୍ୱୟ କମିଟି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ସୋସିଆଲ ମିଡିଆର ଟ୍ରେଣ୍ଡ ହୋଇଥିବାରୁ ରଥଯାତ୍ରାକୁ ଶୃଙ୍ଖଳିତ ଓ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ବଜାୟ ରଖିବା ପାଇଁ ପ୍ରତିଟି ଘଟଣା ଓ ସମସ୍ୟାକୁ ଅଫିସିଆଲ ହ୍ୱାଟ୍ସଆପ ଗ୍ରୁପରେ ପୋଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Ratha Yatra 2017: Magnificent Sand Art By Sudarsan Pattnaik In Puri

ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏସପି, ସିଡିଏମଓ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗ ଅଧିକାରୀ, ପୌରସଂସ୍ଥା ଅଧିକାରୀଙ୍କ ସହ ଏନଡିଆରଏଫ, ଓଡ୍ରାଫ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ କିଭଳି ଚଳିତ ରଥଯାତ୍ରାକୁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବଜାୟ ରଖି କାର୍ଯ୍ୟ କରି ହେବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ କେନ୍ଦ୍ରାଞ୍ଚଳ ଆରଡିସି ।