ଶ୍ରୀମନ୍ଦିର ନେଇ ଚର୍ଚ୍ଚା ଭିତରେ ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ବସିବ ସ୍ୱତନ୍ତ୍ର ସମନ୍ୱୟ କମିଟି ବୈଠକ

40

କନକ ବ୍ୟୁରୋ : ଶ୍ରୀମନ୍ଦିର ନେଇ ଚର୍ଚ୍ଚା ଭିତରେ ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବସିବ ସ୍ୱତନ୍ତ୍ର ସମନ୍ୱୟ କମିଟି ବୈଠକ । ସେବାୟତଙ୍କ ଅଭିଯୋଗ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ପୂର୍ବରୁ ସେବାୟତଙ୍କ ବିରୋଧ ଯୋଗୁଁ ବସି ପାରନଥିଲା ବୈଠକ । ତେଣୁ ଆଜିର ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି ।

ସେପଟେ ଶ୍ରୀମନ୍ଦିର ପରମ୍ପରାରେ ହୋଇପାରେ ବଡ ଧରଣର ପରିବର୍ତନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଜଜ୍ କରିଥିବା ସୁପାରିଶରୁ ଏହି ସଂକେତ ମିଳିଛି । ବଂଶାନୁକ୍ରମିକ ପରମ୍ପରା ବନ୍ଦ ପାଇଁ ପ୍ରସ୍ତାବ ଦେଇଛନ୍ତି ପୁରୀ ଜିଲ୍ଲା ଜଜ୍ । ଏବେ ପ୍ରଶ୍ନ ସେବାୟତଙ୍କ ପୁଅ ହୋଇପାରିବେ କି ସେବାୟତ? । ସେହିପରି ଅନ୍ନଦାନ ଆଟିକା ବସାଇ କିମ୍ବା ଥାଳି ବସାଇ ଭକ୍ତଙ୍କ ଠାରୁ ଟଙ୍କା ଆଦାୟ ବନ୍ଦ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହାକୁ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବା ସତ୍ୱେ ଏପରି ଟଙ୍କା ଆଦାୟ ଚାଲିଛି ବୋଲି ଜିଲ୍ଲା ଜଜ୍ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ରୋଷଘର ଓ ଚୁଲାକୁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ନିୟନ୍ତ୍ରଣକୁ ନେବା ପାଇଁ ସୁପାରିଶ କରାଯାଇଛି ।

ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିଲ୍ଲା ଜଜ୍ । ହୁଣ୍ଡି ଓ ଭକ୍ତଙ୍କ ଅନ୍ୟାନ୍ୟ ଦାନ ଉପରେ ତୀକ୍ଷ୍ଣ ନଜର ରଖାଯାଉ ଏବଂ ମନ୍ଦିର ପାଣ୍ଠିକୁ ଆକାଉଂଟାଂଟ୍ ଜେନେରାଲଙ୍କ ଦ୍ୱାରା ଅଡିଟ୍ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହାସହ ସେବକ ଓ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଦିଆଯାଉ । ଶ୍ରୀମନ୍ଦିରରେ ସୁରକ୍ଷା ପରିଚାଳନା ପାଇଁ ଏକକ ବ୍ୟବସ୍ଥା କରାଯାଉ ବୋଲି ପୁରୀ ଜିଲ୍ଲା ଜଜ୍ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ଜଗନ୍ନାଥ ମନ୍ଦିର ଆକ୍ଟ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି ପୁରୀ ଜିଲ୍ଲା ଜଜ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ଜିଲ୍ଲା ଜଜ ଗତ ମାସ ୨୬ ତାରିଖରେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।