ଆଜିଠାରୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ : ନାକଚଣା ଦ୍ଵାର ସମ୍ମୁଖରେ ତିନି ରଥ

55

କନକ ବ୍ୟୁରୋ : ଆଜିଠାରୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାରମ୍ଭିକ କାର୍ଯ୍ୟ ଭାବେ ଆଜି ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଦକ୍ଷିଣ ମୋଡ଼ ନେଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଆଗରେ ରହିଥିବା ତିନି ରଥକୁ ଆଜି ନାକଚଣା ଦ୍ଵାର ସମ୍ମୁଖରେ ଦକ୍ଷିଣ ମୋଡ଼ ଦେଇ ରଖାଯାଇଛି ।ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଶେଷ ପରେ ମହାପ୍ରଭୁ ଆସନ୍ତା ୨୨ ତାରିଖରେ ବାହୁଡ଼ଯାତ୍ରାରେ ଶ୍ରୀମନ୍ଦିର ଫେରିବେ । ଆଜି ସକାଳ ୬ଟା ୨୫ରେ ଦ୍ଵାରଫିଟା ନୀତି ସଂପନ୍ନ ହୋଇଥିଲା । ପରେ ୬ଟା ୪୫ରେ ମଙ୍ଗଳ ଆଳତି, ୮ଟା ୨୦ରେ ଅବକାଶ, ୧୧ଟା ୧୫ରେ ବଲ୍ଲଭ ଭୋଗ ନୀତି ସଂପନ୍ନ ହୋଇଥିଲା ।

ମଧ୍ୟାହ୍ନ ୧୨ଟାରୁ ୧୨ଟା ୪୫ ଭିତରେ ସକାଳଧୂପ ଶେଷ ପରେ ତିନି ରଥ ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ଅପରାହ୍‌ଣ ୨ଟା ୫ରେ ରଥ ନିକଟକୁ ବିଜେ କରିଥିଲା । ବାହୁଡ଼ା ଯାତ୍ରା ପାଇଁ ତିନି ରଥରେ ଆଜ୍ଞାମାଳ ବିଜେ ପରେ ଆଜି ତିନି ରଥର ଦକ୍ଷିଣ ମୋଡ଼ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ଼ ଦେଇ ନାକଚଣା ଦ୍ଵାର ସମ୍ମୁଖ ଶରଧାବାଲି ରଥଚକଡ଼ାରେ ରଖାଯାଇଥିଲା । ଅପରାହ୍‌ଣ ୨ଟା ୨୦ରେ ସୁଭଦ୍ରାଙ୍କ ରଥର ଦକ୍ଷିଣ ମୋଡ଼ ନୀତି ଆରମ୍ଭ ହୋଇଥିଲା । ଘଣ୍ଟୁଆଙ୍କ ତାଳେ ତାଳେ ଉପସ୍ଥିତ ସୁରକ୍ଷାକର୍ମୀ, ଭକ୍ତମାନେ ରଥକୁ ଟାଣିନେଇଥିଲେ ।

ସୁଭଦ୍ରାଙ୍କ ରଥ ପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ଵାର ସମ୍ମୁଖରେ ରହିଥିଲେ । ତିନି ରଥ ବାହୁଡ଼ା ଯାତ୍ରା ପାଇଁ ନାକଚଣା ଦ୍ଵାର ସମ୍ମୁଖ ଶରଧାବାଲି ରଥଚକଡ଼ାରେ ପ୍ରସ୍ତୁତ ହୋଇ ରହିଥିବାବେଳେ ଜୁଲାଇ ୨୧ ତାରିଖ ସଂଧ୍ୟାଦର୍ଶନ ପରେ ଜୁଲାଇ ୨୨ ତାରିଖରେ ବାହୁଡ଼ାଯାତ୍ରା ଆରମ୍ଭ ହେବ । ମହାପ୍ରଭୁ ପୁନର୍ବାର ଧାଡ଼ି ପହଣ୍ଡିରେ ତିନି ରଥରେ ବିଜେ କରି ଶ୍ରୀମନ୍ଦିର ଯାତ୍ରା ଆରମ୍ଭ କରିବେ । ଜୁଲାଇ ୨୩ରେ ସୁନାବେଶ ଓ ଅଧରପଣା ନୀତି ପରେ ୨୫ ତାରିଖରେ ମହାପ୍ରଭୁ ନୀଳାଦ୍ରି ବିଜେ କରିବେଓ ଏହାସହ ଚଳିତ ବର୍ଷର ରଥଯାତ୍ରା ପର୍ବ ଶେଷ ହେବ ।