ଘରେ ପଶି ଝିଅକୁ ବଳାତ୍କାର, ମା’କୁ ହତ୍ୟା । ରାତିଅଧରେ ଭଦ୍ରକରେ ଭୟାନକ ଅପରାଧ ।

53

କନକ ବ୍ୟୁରୋ : ମଣିଷ ଯେ ଏତେ ନୃଶଂସ ହୋଇପାରେ ତାହାର ଏକ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଭଦ୍ରକ ଧାମନଗର ତାଳସିଥା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ପଥରରେ ଛେଚି ମାରିବା ପରେ ସ୍ୱାମୀଙ୍କୁ ଅପହରଣ କରାଯାଇଛି । ଝିଅକୁ ଦୁଷ୍କର୍ମ କରାଯାଉଥିବା ଘଟଣା ମା ଦେଖିବା ପରେ ମାକୁ ହତ୍ୟା କରାଯାଇଥିବା ଜଣାପଡିଛି । ତେବେ ପ୍ରଥମେ ପୂର୍ବ ଶତୃତା କଥା ସାମ୍ନାକୁ ଆସିବା ପରେ ଦୁଷର୍ମ ଘଟଣା ଜଣାପଡିଥିଲା । ସେହି ଗ୍ରାମର ବାବୁଆ ମହାନ୍ତି ନାମକ ଜଣେ ବ୍ୟକ୍ତି ଏହି କାଣ୍ଡ ଭିଆଇଥିବା ଜଣାପଡିଛି ।

ଘଟଣାଟି ଥିଲା କିଛି ଏପରି । ଧାମନଗର ତାଳସିଥା ଗ୍ରାମରେ ବାସ କରୁଥିବା ରବିନ୍ଦ୍ର ବେହୁରିୟା କାଠ ମିସ୍ତ୍ରୀ ଭାବେ କାମ କରୁଥିଲେ । ଅଭିଯୁକ୍ତ ବାବୁଆ ମହାନ୍ତିଙ୍କ ସହ ପୂର୍ବରୁ ତାଙ୍କର ପାରିବାରିକ ସମ୍ପର୍କ ଥିଲା । ଏପରିକି ରବିନ୍ଦ୍ରଙ୍କର ସ୍ତ୍ରୀ ବାବୁଆକୁ ଧରମ ପୁଅ କରିଥିଲେ । ତେବେ ପୂର୍ବରୁ କିଛି ଶତୃତାକୁ କେନ୍ଦ୍ର କରି ବାବୁଆ କୌଣସି ଏକ ଜରୁରୀ କାମରେ ରବିନ୍ଦ୍ରଙ୍କୁ ବାରିକପୁର ଡାକିଥିଲେ । ସେଠାରେ ରବିନ୍ଦ୍ରଙ୍କୁ ଅପହରଣ କରାଯିବା ପରେ ଠିକ ସେହି ଦିନ ମଧ୍ୟ ରାତ୍ରିରେ ତାଙ୍କ ଘରକୁ ଯାଇଥିଲେ । ଦୁର୍ବୁତ୍ତମାନେ ଘରେ ପଶି ତାଙ୍କ ଝିଅକୁ ବାନ୍ଧି ଦୁଷ୍କର୍ମ କରିଥିଲେ । ଆଉ ଏହି ଘଟଣା ରବିନ୍ଦ୍ରଙ୍କ ପତ୍ନୀ ଦେଖିବାରୁ ତାଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିଲା । ସକାଳୁ ଘଟଣା ବିଷୟରେ ଜଣାପଡିବା ପରେ ପୋଲିସ ରବିନ୍ଦ୍ରଙ୍କ ଘରେ ପହଞ୍ଚି ମହିଳାଙ୍କ ଶବ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ମେଡିକାଲ ପଠାଇଛି ।

ଦୁଷ୍କର୍ମର ଶିକାର ହୋଇଥିବା ରବିନ୍ଦ୍ରଙ୍କ ଝିଅଙ୍କୁ ଡାକ୍ତରୀମାଇନା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ପୁରା ଘଟଣାକୁ ନିଜ ଆଖିରେ ଦେଖିଥିବା ରବିନ୍ଦ୍ରଙ୍କ ଝିଅଙ୍କୁ ପୋଲିସ ପଚରାଉଚୁରା କରୁଛି । ଘଟଣାସ୍ଥଳରେ ବାଲେଶ୍ୱର ଆଇଜି ଅମିତାଭ ସିହ୍ନା ପହଞ୍ଚି ତଦନ୍ତ କରୁଛନ୍ତି । ଅଭିଯୁକ୍ତ ଫେରାର ଥିବା ବେଳେ ଅଭିଯୁକ୍ତ ଏବଂ ରବିନ୍ଦ୍ରଙ୍କୁ ଖୋଜିବା ପାଇଁ ଦୁଇଟି ପୋଲିସ ଟିମ୍ କରାଯାଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।