ରାଞ୍ଚିର ନିଆରା ରଥଯାତ୍ରା । ହିନ୍ଦୁଙ୍କ ସହ ମୁସଲମାନେ ମଧ୍ୟ ରଥଯାତ୍ରାରେ ହୁଅନ୍ତି ସାମିଲ

ଆଉ ମାତ୍ର କେଇଦିନର ରହିଛି ଅପେକ୍ଷା

72
କନକ ବ୍ୟୁରୋ : ଆଉ ମାତ୍ର କେଇଦିନର ରହିଛି ଅପେକ୍ଷା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନିଳା ଖେଳା କରିବା ଲାଗି ବଡଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତ । ଲକ୍ଷ ଲକ୍ଷ ଭକ୍ତଙ୍କ ଆଗରେ ଦଇତାପତିଙ୍କ କାନ୍ଧରେ,  ମୁଣ୍ଡରେ ଟାହିଆ ଲଗାଇ ଝୁଲି ଝୁଲି ଶ୍ରୀମନ୍ଦିର ଗର୍ଭଗୃହ ମଧ୍ୟରୁ ବାହାରି ଆସିବେ ଶ୍ରୀଜିଉ । ବଡଦାଣ୍ଡରେ ଚତୁଦ୍ଧାମୂର୍ତୀଙ୍କୁ ଦେଖି ଭାବରେ ବୁଡି ଯିବ ଭକ୍ତ । ପଡୁଥିବ ହୁଳୁହୁଳି ହରିବୋଲ , ସେପଟେ ମଣିମା ମଣିମା ଡାକରେ ପ୍ରକମ୍ପିତ ହେବ ଗଗନ ପବନ । ସେହି ଦୃଶ୍ୟକୁ ଦେଖିବା ଲାଗି ନରଠୁ ଦେବତା ସମସ୍ତଙ୍କର ରହିଥାଏ ଅପେକ୍ଷା । ଜରରେ ପଡିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯବା ପାଇଁ ତରତର ହେବ ଜଗା । ତାଳ କାଠରେ ରୁନ୍ଧା କାଳ କାଳ ହୋଇ ରହିଛି ବନ୍ଧା ଚାରମାଳ ଉପରେ ଚଢି ରଥାରୂଢ ହେବେ ଶ୍ରୀଜିଉ । ତେବେ ଏତ ପୁରୀର କଥା । ତେବେ ପୁରୀ ଛଡା ରାଜ୍ୟ ତଥା ଦେଶର ଅନେକ ସ୍ଥାନରେ ଦେଖିବାକୁ ମିଳେ ରଥଯାତ୍ରା । ତେବେ ଜାଣନ୍ତୁ ରାଂଚିରେ କିପରି ହୁଏ ରଥଯାତ୍ରା… 
ରଥଯାତ୍ରା କେବଳ ଓଡିଶାରେ ନୁହେଁ ପୁରା ଦେଶରେ ପାଳନ କରାଯାଏ । ରଥଯାତ୍ରା ଦିନ ପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ଆଠଦିନ ପାଇଁ ଶ୍ରୀମନ୍ଦିର ଛାଡି ଶ୍ରୀଗୁଣ୍ଡିଚାଘରକୁ ଯାଆନ୍ତି । ଗୁଣ୍ଡିଚା ମନ୍ଦିରରେ ଆଠଦିନ ରହଣି ପରେ ବାହୁଡା ଯାତ୍ରାରେ ପୁଣି ଲେଉଟନ୍ତି ଶ୍ରୀମନ୍ଦିରକୁ । ଏହି ପରମ୍ପରା ବହୁ ବର୍ଷରୁ ରହି ଆସିଛି । ପବିତ୍ର ରଥ ଯାତ୍ରା ଇତିହାସରେ ବର୍ଣ୍ଣିତ ହୋଇଛି । ତେବେ ଏହି ଘୋଷଯାତ୍ରା ଅବସରରେ ଆସନ୍ତୁ ଜାଣିବା ରାଞ୍ଚି ରଥଯାତ୍ରାର ଇତିହାସ ବିଷୟରେ ।
ଛୋଟ ନାଗପୁରରେ ଯେତେବେଳେ ନାଗବଂଶୀ ରାଜା ରଘୁନାଥ ଶାହ ୧୬୩୯ ମସିହାରେ ଏଠାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହି ମନ୍ଦିରକୁ ବିସ୍ତୃତ ରୂପ ଦେବାର ଶ୍ରେୟ ନାଗବଂଶୀ ରାଜା ଠାକୁର ଆନିନାଥ ଶାହଦେବଙ୍କୁ ଦିଆଯାଇଥିଲା । ଝାଡଖଣ୍ଡରେ ଜଗନ୍ନାଥପୁର ମେଳାର ଇତିହାସ ପ୍ରାୟ ୩୨୭ ବର୍ଷ ପୁରୁଣା । ୧୬୯୧ରେ ନାଗବଂଶୀ ରାଜା ଠାକୁର ଆନିନାଥ ଏହି ମେଳାର ଆୟୋଜନ ଆରମ୍ଭ କରିଥିଲେ । ସେତେବେଳେ ଝାଡଖଣ୍ଡରେ ପ୍ରତ୍ୟେକ ଜାତିର ଲୋକ ସାମ୍ପ୍ରଦାୟିକ ସଦଭାବ ମଧ୍ୟରେ ବସବାସ କରୁଥିଲେ ।
ଏହି ଭାତୃଭାବର ପ୍ରଭାବ ଜଗନ୍ନାଥପୁର ରଥ ମେଳାରେ ବାରି ହୋଉଥିଲା । ଘାଂସି ଜାତି ଶ୍ରୀଜୀଉଙ୍କ ଲାଗି ଫୁଲ ଯୋଗାଉଥିବା ବେଳେ ମନ୍ଦିର ସୁରକ୍ଷାରେ ମୁସଲମାନ ଶ୍ରଦ୍ଧାଳୁ ନିୟୋଜିତ ହେଉଥିଲେ । ମୁଣ୍ଡା ଜାତି ମହାପ୍ରଭୁଙ୍କୁ ପଗଡି ଯୋଗାଉଥିଲେ । କୁମ୍ଭାର ମାଟିପାତ୍ର, ଓରାଁଓମାନେ ଘଣ୍ଟି ଓ ପହାନମାନେ କରଞ୍ଜ ତେଲ ପ୍ରଦାନ କରୁଥିଲେ । ବଢେଇ ଏବଂ କମାର ରଥ ନିର୍ମାଣ ଦାୟିତ୍ୱ ନେଉଥିଲେ । ଏବେ ଏହି ପରମ୍ପରାରେ ପ୍ରାୟ ପୂର୍ଣ୍ଣଚ୍ଛେଦ ପଡିଯାଇଛି । ମନ୍ଦିରର କାର୍ଯ୍ୟ ତଦାରଖ ପାଇଁ ଏବେ ଟ୍ରଷ୍ଟ ପ୍ରତିଷ୍ଠା କରାଯିବା ସହିତ ଏହା ମାଧ୍ୟମରେ ରଥଯାତ୍ରା ତଦାରଖ କରାଯାଉଛି ।

Comments are closed.