ଆଜି ଓଡିଶା ଆସୁଛନ୍ତି ରାମନାଥ କୋବିନ୍ଦ ! ବିଜେଡି ଓ ବିଜେପିକୁ ପୃଥକ୍ ପୃଥକ୍ ଭେଟିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

37

କନକ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ । ଦିନ ୧୧ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଉଭୟ ବିଜେଡି ଓ ବିଜେପି କୋବିନ୍ଦଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରୁଥିବା ବେଳେ ସେମାନଙ୍କୁ କୋବିନ୍ଦ ପୃଥକ୍ ପୃଥକ୍ ଭାବେ ଭେଟିବାର କାର୍ଯ୍ୟକ୍ରମ ରହିଛି । କୋବିନ୍ଦ ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ଅତିଥି ଭବନ ଯିବାର କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟା ୪୫ରେ ଅତିଥି ଭବନରୁ ବାହାରି ବିଧାନସଭା ସମ୍ମିଳନୀ କକ୍ଷ ଯିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ।

ବିଧାନସଭା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଭେଟିବେ ଓ ଭୋଟ୍ ସଂପର୍କରେ ଆଲୋଚନା କରିବେ । ବିଧାନସଭାରୁ ଦିନ ଗୋଟାଏ ୧୦ରେ ବାହାରିବେ କୋବିନ୍ଦ । ସେଠାରୁ ସେ ସିଧାସଳଖ ଯିବେ ନବୀନ ନିବାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ନବୀନ ନିବାସରେ ରାମନାଥ କୋବିନ୍ଦ ମଧ୍ୟାହ୍ନ ଭୋଜନ କରିବା କାର୍ଯ୍ୟକ୍ରମ ରହିଛି । ନବୀନ ନିବାସରେ ଦିନ ୧ଟା ୨୦ରୁ ୨ଟା ପର୍ଯ୍ୟନ୍ତ ରହିବେ କୋବିନ୍ଦ ।

ଏହି ସମୟ ମଧ୍ୟରେ ତାଙ୍କର ଭୋଜନ ଓ ଆଲୋଚନା ପର୍ବ ଶେଷ ହେବ । ଏହା ପରେ ରାଜ୍ୟ ସଂଗ୍ରହାଳୟ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀ ଓ ପାଇକ ବିଦ୍ରୋହର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ କୋବିନ୍ଦ । ସେଠାରୁ ଫେରି ରାଜଭବନ ଛକରେ ଥିବା ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ବାସଭବନକୁ ଯିବେ ଓ ବିଜେପିର ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିବେ । ଅପରାହ୍ନ ୪ଟାରେ କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରୁ ଫେରିବେ କୋବିନ୍ଦ । ଏହା ପରେ ତାଙ୍କର ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।