ଜେଲ୍ ଭିତରେ ବି ଡନଗିରି : ବ୍ରହ୍ମପୁର ଜେଲରେ ରମେଶଙ୍କ ସେଲ୍ ଭିତରୁ ମିଳିଲା ବିଡା ବିଡା ଟଙ୍କା

33

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଜେଲ୍ ଭିତରେ ଡନ୍ଗିରି । ଗ୍ୟାଙ୍ଗଷ୍ଟର ଚଲାଉଛନ୍ତି ଅପରାଧୀକ ନେଟୱର୍କ । ପ୍ରସ୍ତୁତ ହେଉଛି ଟେଣ୍ଡର ଫିକ୍ସିଂର ବ୍ଲୁ ପ୍ରିଂଟ । ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରେ ୩ ଘଂଟାର ରେଡ୍ କରିଛି ସ୍ୱତନ୍ତ୍ର ଟିମ୍ । ଆଇଜି, ଏସପି ଓ ଜିଲାପାଳଙ୍କ ସହ ସ୍ୱତନ୍ତ୍ର ଟିମରେ ଥିଲେ ବଛା ବଛା ପୋଲିସ ଅଫିସର । ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ତଥା ବ୍ରହ୍ମପୁରର ପୂର୍ବତନ ବାହୁବଳୀ ବିଧାୟକ ରମେଶ ଜେନାଙ୍କ ସେଲରୁ ମିଳିଛି ୬୬ ହଜାର ଟଂକା, ମାରଣାସ୍ତ୍ର ଓ ବିପୁଳ ପରିମାଣର ନିଶା ସାମଗ୍ରୀ ।

ଜେଲରେ ଅପରାଧୀଙ୍କ ପାଇଁ ରହିଛି ୨୪ ଟି ସେଲ୍ । ବନ୍ଦୀ ଭାବେ ରହିଛନ୍ତି ୭୬୦ ଜଣ ଅପରାଧୀ । ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କଠାରୁ ଗ୍ୟାଙ୍ଗଷ୍ଟର ରମେଶ ଜେନା । ଏଥିସହ ବହୁ ହାର୍ଡକୋର କ୍ରିମିନାଲ୍ । ଅପରାଧୀକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଜେଲରେ ଲାଗିଛି ମେଟାଲ୍ ଡିଟେକ୍ଟର, ଜାମର ଏବଂ ସିସିଟିଭି । ହେଲେ ଯେମିତି ସବୁ ଫେଲ୍ । ଅଭିଯୋଗ ହେଉଛି ଜେଲ୍ କର୍ମଚାରୀଙ୍କ ସହ ଅପରାଧୀଙ୍କ ରହିଛି ଭଲ ସମ୍ପର୍କ । ବାହାରୁ ଜେଲ ଭିତରକୁ ଆସୁଛି, ବିଭିନ୍ନ ଆପତିଜନକ ଓ ନିଶା ଜିନିଷ । ଆଉ ଜେଲ ଭିତରୁ ବେଧଡକ ଚାଲିଛି ଅପରାଧୀକ ନେଟୱର୍କ ।