ଚାଷୀ ପରିବାରକୁ ଯିବ ସୌମ୍ୟରଂଜନଙ୍କ ଦରମା । ମେଧାବୀଙ୍କ ଉଚ୍ଚଶିକ୍ଷାରେ ହେବ ସହାୟକ । ଆଦର୍ଶ ସୃଷ୍ଟି କଲେ ସାଂସଦ ।

81

କନକ ବ୍ୟୁରୋ : ସାଂସଦ ହିସାବରେ ଦରମା ଗ୍ରହଣ କରିବେ ନାହିଁ ସୌମ୍ୟରଂଜନ ପଟ୍ଟନାୟକ । ବ୍ୟକ୍ତିଗତ ଭାବେ ଯାହା ଦରମା ପାଇବେ ତାକୁ ଚାଷୀ ପରିବାରର ଛାତ୍ର ମାନଙ୍କର ଉଚ୍ଚଶିକ୍ଷା ପାଇଁ ବିନିଯୋଗ କରିବେ । ରାଜ୍ୟସଭା ସାଂସଦ ଭାବେ ଆଜି ଶପଥ ନେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ସୌମ୍ୟରଂଜନ । ମାଟ୍ରିକ୍ ପରେ ବିଜ୍ଞାନ ପଢିବା ପାଇଁ ଯେଉଁ ଚାଷୀ ଘରର ପିଲା ଚାହିଁବେ ସେମାନଙ୍କୁ ସ୍କଲାରସିପ୍ ମିଳିବ । ଏହାଫଳରେ ଚାଷୀଙ୍କ ପ୍ରତି ଥିବା ସମର୍ଥନ ଓ ପ୍ରତିବଦ୍ଧତାକୁ କିଛି ପରିମାଣରେ ପୂରଣ କରିପାରିବେ ବୋଲି ସେ କହିଛନ୍ତି । ୨୦ ବର୍ଷ ତଳେ ଲୋକସଭାର ପ୍ରତିନିଧି ହୋଇଥିବା ସୌମ୍ୟରଂଜନ ଆଜି ରାଜ୍ୟସଭାର ସଦସ୍ୟ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ । ଯେଉଁ ସୁଯୋଗ ତାଙ୍କୁ ମିଳିଛି ତାହା ତାଙ୍କ ପାଇଁ ଗର୍ବର କଥା ଓ ସେ ଏହାକୁ ସୁଚାରୁ ରୁପେ ତୁଲାଇବାକୁ ଚେଷ୍ଟା କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

 ସୌମ୍ୟରଂଜନଙ୍କ ସମେତ ବିଜେଡିର ଅନ୍ୟ ଦୁଇ ଜଣ ସାଂସଦ ରାଜ୍ୟସଭାରେ ପଦ ଓ ଗୋପନୀୟତାର ମଧ୍ୟ ଶପଥ ନେଇଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିର ତିନି ଜଣ ଶପଥ ନେଇଥିଲେ । ସମସ୍ତ ତିନି ସାଂସଦ ଓଡିଆରେ ଶପଥ ନେଇଥିଲେ । ପ୍ରଥମେ ପ୍ରଶାନ୍ତ ନନ୍ଦ, ଦ୍ୱିତୀୟରେ ସୌମ୍ୟରଂଜନ ପଟ୍ଟନାୟକ ଓ ଶେଷରେ ଅଚ୍ୟୁତ ସାମନ୍ତ ଶପଥ ନେଇଥିଲେ । ଓଡିଆରେ ଶପଥ ଗ୍ରହଣ କରିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ କହିଥିଲେ, ଓଡିଆ ବଢିଆ ।

 ରାଜ୍ୟର ବିକାଶ ଓ ପଛୁଆ ରାଜ୍ୟର ଟ୍ୟାଗ୍ ଯାହା ଓଡିଶା ଦେହରେ ଲାଗିଛି, ତାକୁ ଦୁର କରିବା ସବୁବେଳେ ଏକ ଆହ୍ୱାନ ହୋଇରହିଛି । ସବୁକିଛି ଥାଇ ମଧ୍ୟ ପଛୁଆ ରାଜ୍ୟ ଭାବେ ଓଡିଶାକୁ ପରିଗଣିତ କରାଯାଇଥାଏ । ଆଗୁଆ ରାଜ୍ୟ ସହ କିଭଳି ଓଡିଶା ସମକକ୍ଷ ହେବ ସେନେଇ ଅବିରତ ଉଦ୍ୟମ ଜାରିରହିବ ବୋଲି ସୌମ୍ୟରଂଜନ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଆଉ ଏହାରି ଭିତରେ କେନ୍ଦ୍ର କଣ ଦାୟିତ୍ୱ ଆଉ କିଭଳି ଭୂମିକା କେନ୍ଦ୍ର ତୁଲାଇବା କଥା, ତାକୁ ମନେପକାଇବାକୁ ସେ ଭୁଲିନଥିଲେ ।

soumya ranjan patanaik meet naveen patanaik ପଛୁଆ ରାଜ୍ୟର ପ୍ରଗତି ଆଉ ବିକାଶ କରିବାକୁ ହେଲେ କେନ୍ଦ୍ର କିଛି ସ୍ୱତନ୍ତ୍ର ସୁବିଧା ସୁଯୋଗ ଦେବାର ଆବଶ୍ୟକତା ରହିଛି । ହେଲେ ଦୀର୍ଘ ଦିନର ଅଭିଜ୍ଞତା ହେଉଛି, କେନ୍ଦ୍ର ଯେତିକି ଧ୍ୟାନ ଦେବାକଥା ସେତିକି ଦେଉନାହିଁ । ନରେନ୍ଦ୍ର ମୋଦି ବିଜେପିର ନେତା ହୋଇଥାଇପାରନ୍ତି ହେଲେ ସେ ଦେଶର ପ୍ରଧାନମନ୍ତ୍ରୀ । ମାତ୍ର ମୁଣ୍ଡଉପରେ ନିର୍ବାଚନ ଥିବାରୁ ଭୋଟବ୍ୟାଙ୍କ ଆଉ ନିର୍ବାଚନକୁ ଦେଖି ଅନେକ ନିଷ୍ପତ୍ତି ନିଆଯାଉଛି । ଯାହା ଆଦୌ ଗ୍ରହଣୀୟ ନୁହେଁ । ପଛୁଆ ଓ ଗରୀବ ଲୋକଙ୍କ କଥା ଅଗ୍ରାଧିକାର ପାଇବା ଦରକାର ।

 କେଉଁଭଳି ଭାବେ ମୋଦି ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବେ ସେନେଇ ଗୃହ ଭିତରେ ସବୁବେଳେ ତାଙ୍କୁ ଅବଗତ କରାଇବେ ବୋଲି ସ୍ପଷ୍ଟ କରିଛନ୍ତି ସୌମ୍ୟରଂଜନ । ଆଉ ମୁଦ୍ଦା ହେଉଛି ଚାଷର । ଚାଷୀଙ୍କ ପାଇଁ ମୋଦି କହିଥିଲେ, ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ହେବ ସର୍ବନିମ୍ନ ସହାୟକ ମୂଲ୍ୟ । ଏକଥାକୁ ଗୃହରେ ସେ ମନେପକାଇବେ ବୋଲି ମତ ରଖିଛନ୍ତି ସୌମ୍ୟରଂଜନ । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେବାକଥା । ହେଲେ ଏବେ କେନ୍ଦ୍ର ନୂଆ କଥା କହୁଛି, ଚାଷୀଙ୍କ ଆୟ ଦୁଇଗୁଣା କରିଦେବେ । କିନ୍ତୁ ନିର୍ବାଚନ ସମୟରେ ଯାହା କୁହାଯାଇଥିଲା ଯଦି ତାକୁ ପାଳନ କରାଯାଆନ୍ତା ତେବେ ଭଲ ହୁଅନ୍ତା । ଗୃହ ଭିତରେ ବାରମ୍ବାର ଏହି କଥାରେ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ନିଜ ପ୍ରତିକ୍ରିୟାରେ ସୌମ୍ୟରଂଜନ କହିଛନ୍ତି ।

ସୌମ୍ୟରଂଜନଙ୍କ ସମେତ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିବା ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ମଧ୍ୟ ଆଜି ଶପଥ ନେଇଛନ୍ତି । ରାଜ୍ୟସଭାରେ ବିଜେଡିର ଦୁଇ ସଦସ୍ୟ ଅନଙ୍ଗ ଉଦୟ ସିଂଦେଓ, ଦିଲ୍ଲୀପ ତିର୍କୀ ଓ ବିଜେଡି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଏ. ଭି. ସ୍ୱାମୀଙ୍କ କାର୍ଯ୍ୟକାଳ ସରିବା ପରେ ରାଜ୍ୟସଭା ପାଇଁ ରାଜ୍ୟରେ ନିର୍ବାଚିତ ହୋଇଥିଲା । ସଂଖ୍ୟା ଦୃଷ୍ଟିରୁ ବିଜେଡି ହାତକୁ ତିନୋଟି ଯାକ ଆସନ ଯିବା ନିଶ୍ଚିତ ଥିବାରୁ ଅନ୍ୟ କୌଣସି ଦଳ ପ୍ରାର୍ଥୀ ଦେଇନଥିଲେ । ଫଳରେ ବିଜେଡିର ତିନି ଜଣ ଯାକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ବିନା କୈାଣସି ପ୍ରତିଦ୍ୱନ୍ଦ୍ୱିତାରେ ବାଜିମାତ୍ କରିଥିଲେ ।