ଅମିତ୍ ଶାହାଙ୍କ ମିଶନ ପଶ୍ଚିମ ଓଡିଶା ! ଭବାନୀପାଟଣା ମହାସମାବେଶରେ ପୁଣି ସରକାର ଗଢିବାକୁ ଦମ୍ଭ ଦେଖାଇଲେ ଶାହା । କହିଲେ,ରାଜ୍ୟରେ ଭୁଶୁଡିପଡିଛି ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥା

33

କନକ ବ୍ୟୁରୋ: ଆଜି ଓଡିଶା ଆସି ନବୀନ ପଟ୍ଟନାୟକ ସରକାର ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ବିଜେପୁର ଉପନିର୍ବାଚନ ପରେ କଳାହାଣ୍ଡିର ଭବାନୀପାଟଣା ଆସି ଶାହା କହିଛନ୍ତି, ୨୦୧୯ରେ ଓଡିଶାରେ ସରକାର ଗଢିବ ବିଜେପି । ଶିକ୍ଷା, ସ୍ୱାସ୍ଥ୍ୟ ସବୁଥିରେ ନବୀନ ସରକାର ବିଫଳ ହୋଇଥିବାରୁ ମୋଦିଙ୍କ ଉପରେ ଆସ୍ଥା ପ୍ରକଟ ପାଇଁ ଅହ୍ୱାନ ଦେଇଛନ୍ତି ଶାହା । ସେପଟେ ଦଳିତ ଆନ୍ଦୋଳନକୁ ନେଇ କହିଛନ୍ତି, କୌଣସି ପରିସ୍ଥିତିରେ ସଂରକ୍ଷଣ ହଟିବ ନାହିଁ କିମ୍ବା ହଟାଇବାକୁ ଦେବନାହିଁ ବିଜେପି ସରକାର ।

କଳାହାଣ୍ଡି ଭବାନୀପାଟଣାରେ ବିଜେପି କରିଛି ମହାସମାବେଶ । ଆଉ ମଂଚ ଉପରୁ ବିଜେପି ଶାସିତ ରାଜ୍ୟର ବିକାଶର ଚିତ୍ର ଦେଖାଇଛନ୍ତି ରାଷ୍ଟ୍ରୀୟ ସଭାପତି । ଓଡିଶାର ବିକାଶ ସହ ତୁଳନା ବି କରିଛନ୍ତି । ଦଳିତ ପ୍ରସଙ୍ଗରେ ସାରା ଦେଶରେ ବିରୋଧର ନିଆଁ ଜଳୁଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ବିଜେପି ସଂରକ୍ଷଣ ହଟାଇବନି କି କାହାକୁ ହଟାଇବାକୁ ଦେବନି । ତେବେ ବିଜେପୁର ଉପନିର୍ବାଚନରେ ଦଳ ଫେଲ୍ ମାରିବା ପରେ ଓଡିଶା ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ହେଲେ ମହାସମାବେଶରେ ସରକାର ଗଢିବାକୁ ଦମ୍ଭ ଦେଖାଇଛନ୍ତି ଅମିତ ଶାହା । ଓଡିଶାକୁ ମଡେଲ୍ ରାଜ୍ୟ କରିବା ପାଇଁ ମାଗିଛନ୍ତି ଓଡିଶାବାସୀଙ୍କ ସହଯୋଗ ।

ଖାଲିଯେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ତାହା ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତେବେ କଳାହାଣ୍ଡି ମେଡିକାଲ୍ କଲେଜ୍, ଜଳସେଚନ ପ୍ରକଳ୍ପ ଏବଂ ଧାନ ଉପରେ ବୋନସ ପ୍ରସଙ୍ଗ ଉଠାଇ ନବୀନଙ୍କୁ ଘେରିଥିଲେ ଧର୍ମେନ୍ଦ୍ର ।