ରାତିର ଶତ୍ରୁ , ଦିନରେ ମିତ୍ର

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଷ୍ଣୁ ଦାସ ଏବଂ ରାଜଶ୍ରୀ ମଲ୍ଲିକ । ଜଗତସିଂହପୁର ବିଜେଡିର ଏହି ଦୁଇ ନେତାଙ୍କ ମଧ୍ୟରେ ବିବାଦ ବହୁ ପୁରୁଣା । ମଦ ବ୍ୟବସାୟୀ ତଥା ଠିକାଦାର ରାସବିହାରୀ ଦାସଙ୍କ ସହ ଲିଙ୍କ ନେଇ ପୂର୍ବରୁ ମୁହାଁମୁହିଁ ହୋଇଥିଲେ ବିଜେଡିର ଏହି ଦୁଇ ନେତା । ହେଲେ ଆଜି କିନ୍ତୁ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ବିଷ୍ଣୁ ଦାସଙ୍କ ପାଇଁ ପ୍ରସ୍ତାବକ ସାଜିଥିଲେ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ । ବିଷ୍ଣୁ ଦାସଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଦୁଇଟି ସେଟ୍ ମଧ୍ୟରୁ ପ୍ରଥମ ସେଟରେ ପ୍ରସ୍ତାବକ ଭାବେ ନାଁ ରହିଥିଲା ରାଜଶ୍ରୀ ମଲ୍ଲିକଙ୍କର । ତେବେ ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ହୁଏତ ଏହି ନିର୍ଦେଶ ଦେଇଥାଇପାରନ୍ତି ବିଜେଡି ସୁପ୍ରିମୋ ।

ଅନ୍ୟପଟେ ବିଷ୍ଣୁ ଦାସଙ୍କ ସହ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ଆଉ ଦୁଇ ପୁରୁଖା ନେତା । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାନସଭା ରିଟର୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ଏବଂ ଏନ୍.ଭାସ୍କର ରାଓ । ୩ ଜଣ ପ୍ରାର୍ଥୀଙ୍କ ପାଇଁ ମୋଟ ୬୦ ଜଣ ପ୍ରସ୍ତାବକ ଥିଲେ ।

ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ପାଇଁ ୩୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡିର ଏହି ୩ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ । ଭୁପିନ୍ଦର ସିଂ, ବୈଷ୍ଣବ ପରିଡା ଓ ପ୍ୟାରିମୋହନ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଏହି ତିନି ନେତା ରାଜ୍ୟସଭା ଯିବେ ।