ଜୁଲାଇ ୬ରେ ଲେଉଟିବ ମୌସୁମୀ ବର୍ଷା : ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ

422

କନକ ବ୍ୟୁରୋ : ଜୁଲାଇ ୬ରେ ପୁଣି ଲେଉଟିବ ମୌସୁମୀ ବର୍ଷା । ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦୁଇ ଦିନ ଧରି ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ଏହାପରେ ପାଗରେ ପରିବର୍ତନ ଆସିପାରେ । ତେବେ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ଉତ୍ତରପଶ୍ଚିମ ରାଜସ୍ଥାନରୁ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର୍‌ ସୃଷ୍ଟି ହୋଇଛି । ଏହାର କେନ୍ଦ୍ରସ୍ଥଳ ଉତ୍ତର ଉତ୍ତରପ୍ରଦେଶ, ଦକ୍ଷିଣ ମଧ୍ୟପ୍ରଦେଶ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ଉତ୍ତର ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚମବଙ୍ଗ ରହିଛି । ତାହାର ପ୍ରଭାବ ଉତ୍ତର ଓ ପଶ୍ଚିମ ଓଡ଼ିଶା ଉପରେ ପଡ଼ିବ । ଏହାର ଅନ୍ୟ ଏକ ବ୍ରାଞ୍ଚ ପଶ୍ଚିମବଙ୍ଗଠାରୁ ବାଂଲାଦେଶ, ଆସାମ ଦେଇ ମେଘାଳୟ ପର୍ଯ୍ୟନ୍ତ ରହିଛି । ପ୍ରଭାବରେ ଉକ୍ତ ରାଜ୍ୟଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ୬ରୁ ୮ ତାରିଖ ମଧ୍ୟରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକିମ୍‌, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ତେବେ ୮ ତାରିଖ ଯାଏଁ ଓଡ଼ିଶାରେ ବଡ଼ ବର୍ଷା ନ ଥିବା ବିଭାଗ ସ୍ପଷ୍ଟ କରିଛି ।

ଗତ ୩୬ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହୋଇଛି । ଗତ ୧୨ ଘଣ୍ଟାରେ ହୀରାକୁଦରେ ସର୍ବାଧିକ ୧୫.୭ ମିମି ବର୍ଷା ରେକର୍ଡ କରାଯାଇଛି । ସମ୍ବଲପୁରରେ ୭.୮ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବର ୬.୬, ପାରାଦୀପରେ ୫.୮, ସୁନ୍ଦରଗଡ଼ରେ ୪ ମିମି ବର୍ଷା ହୋଇଛି । ଏଥିସହ ଚାନ୍ଦବାଲି, ପୁରୀ, କଟକ, ଝାରସୁଗୁଡ଼ା, କେନ୍ଦ୍ରାବଡ଼ା, ବଲାଙ୍ଗୀର ଓ ଫୁଲବାଣୀର କେତେକ ସ୍ଥାନରେ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।