ଯାତ୍ରୀଙ୍କ ପାଇଁ ରେଳବାଇ ବୋହୁଛି ୪୩% ବୋଝ !

45

ଏଲପିଜି ଗ୍ରାହକଙ୍କୁ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଯେଭଳି ସବସିଡି ଛାଡ଼ିବାର ବିକଳ୍ପ ‘ଗିଭ୍‌ ଇଟ୍‌ ଅପ୍‌’ ମାଧ୍ୟମରେ ଦିଆଯାଇଛି ରେଳଯାତ୍ରୀମାନଙ୍କୁ ମଧ୍ୟ ସେ ପ୍ରକାର ସୁବିଧା ଖୁବ୍‌ ଶୀଘ୍ର ମିଳିବାକୁ ଯାଉଛି । ରେଳ ଟିକଟ ଉଭୟ ଅନଲାଇନ୍‌ ଏବଂ ଅଫଲାଇନରେ କିଣିବା ସମୟରେ ଯେଉଁମାନେ ସବ୍‌ସିଡି ନେବାକୁ ଚାହିଁବେ ନାହିଁ ସେମାନଙ୍କ ପାଇଁ ଫର୍ମରେ ପୁରା ପଇସା ଦେବାର ସୁବିଧା ରହିବ । କାଉଣ୍ଟରରୁ ଟିକଟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏଥି ନିମନ୍ତେ ଫର୍ମରେ ଏକ ସ୍ତମ୍ଭ ରହିବ ।

ସେହିଭଳି ଅନଲାଇନରେ ଟିକଟ କାଟୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏ ନେଇ ସୁବିଧା ରହିବ ବୋଲି ଜଣାଯାଇଛି।ରେଳବାଇ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଆସନ୍ତା ମାସରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ବରିଷ୍ଠ ନାଗରିକ ବା ସ୍ୱତନ୍ତ୍ର ଶ୍ରେଣୀର ଯାତ୍ରୀମାନଙ୍କୁ ସବସିଡି ଛାଡ଼ିବାର ସୁଯୋଗ ଦିଆଯିବା ସହିତ ସାଧାରଣ ଯାତ୍ରୀମାନଙ୍କୁ ମଧ୍ୟ ଏହି ବିକଳ୍ପ ଦିଆଯିବା ଆବଶ୍ୟକ ।

କେବଳ ତୃତୀୟ ଶ୍ରେଣୀ ଏସି ଟିକଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ବ୍ୟତୀତ ଅନ୍ୟ ଯାତ୍ରୀମାନଙ୍କ ଠାରୁ ଟିକଟ ବାବଦରେ ଯେତିକି ଅର୍ଥ ଆଦାୟ କରାଯାଉଛି ତାହା ରେଳବାଇ ବହନ କରୁଥିବା ଖର୍ଚ୍ଚ ତୁଳନାରେ କମ୍‌ । ଯାତ୍ରୀମାନଙ୍କ ପାଇଁ ଟିକଟ ବାବଦରେ ରେଳବାଇ ଖର୍ଚ୍ଚ କରୁଥିବା ଅର୍ଥର ମାତ୍ର ୫୭ ପ୍ରତିଶତ ଆଦାୟ କରିପାରୁଥିବାବେଳେ ଅବଶିଷ୍ଟ ୪୩ ପ୍ରତିଶତ ସବସିଡି ପ୍ରଦାନ କରି ଭରଣା କରୁଛି । ଲୋକମାନେ ନୂଆ ବ୍ୟବସ୍ଥାକୁ ଗ୍ରହଣ କରିବେ ବୋଲି ରେଳବାଇ ଆଶା ରଖିଛି।

ଅନଲାଇନରେ ରେଳ ଟିକଟ ବୁକ୍‌ କରିଲେ ସର୍ଭିସ ଚାର୍ଜ ଆସନ୍ତା ସେପ୍ଟମ୍ବର ଶେଷ ପର୍ଯ୍ୟନ୍ତ ଛାଡ଼ ମିଳିବ ।ସରକାର ଗତବର୍ଷ ବିମୁଦ୍ରାକରଣ ପରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଅନଲାଇନରେ ରେଳଟିକଟ ବୁକିଂରେ ସର୍ଭିସ ଚାର୍ଜ ଛାଡ଼ କରିଥିଲେ । ସରକାର ପ୍ରଥମେ ଗତବର୍ଷ ନଭେମ୍ବର ୨୩ରୁ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ଚାର୍ଜକୁ ଛାଡ଼ କରିଥିଲେ । କିନ୍ତୁ ପରେ ଏହାକୁ ୩ ମାସ ପାଇଁ ଅର୍ଥାତ୍‌ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହାକୁ ପୁଣି ଆସନ୍ତା ସେପ୍ଟମ୍ବର ଶେଷ ଯାଏଁ ବୃଦ୍ଧି କରାଯାଇଛି । ଭାରତୀୟ ରେଳ ପାଇଁ ଅନଲାଇନ୍‌ ଟିକଟ ବୁକିଂ ସେବା ଯୋଗାଇ ଦେଉଥିବା ଆଇଆରସିଟିସିକୁ ସର୍ଭିସ ଛାଡ଼ ବାବଦରେ ବର୍ଷକୁ ପ୍ରାୟ ୫୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ ବୋଲି ଆକଳନ କରାଯାଉଛି । ପ୍ରତି ଟିକଟ ପାଇଁ ଆଇଆରସିଟିସିକୁ ସର୍ଭିସ ଚାର୍ଜ ବାବଦରେ ୨୦ରୁ ୪୦ ଟଙ୍କା ଛାଡ଼ କରାଯାଉଛି । ତେବେ ଏ ବାବଦ କ୍ଷତି ଭରଣା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଅର୍ଥ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି ।