ବୌଦ୍ଧରେ ଅସନ୍ତୋଷର ନିଆଁ ! ଆଗେଇପାରୁନି ରେଲୱେ ଲାଇନ୍ ପାଇଁ ଜମିଅଧିଗ୍ରହଣ, ଅନିଶ୍ଚିତତା ଘେରରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ।

109

କନକ ବ୍ୟୁରୋ : ଆଗେଇପାରୁନାହିଁ ରେଲୱେ ଲାଇନ ପାଇଁ ଜମିଅଧିଗ୍ରହଣ  । ଫଳରେ ଅନିଶ୍ଚିତତା ଦେଇ ଗତିକରୁଛି ପଶ୍ଚିମ ଓଡିଶାର ଲାଇଫ୍ ଲାଇନ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର  ରେଳପଥ । ଯାହାକୁ ନେଇ ବୌଦ୍ଧ ଜିଲ୍ଲାରେ ଜଳୁଛି ଅସନ୍ତୋଷର ନିଆଁ । ସେପଟେ ୨୦୦୬ ମସିହାରେ ହୋଇଥିବା ଜମିଅଧିଗ୍ରହଣର ମୂଲ୍ୟାଙ୍କନକୁ କ୍ଷତିଗ୍ରସ୍ତ ପ୍ରଜାଙ୍କ ପ୍ରତ୍ୟାଖାନ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା କ୍ଷତିଗ୍ରସ୍ତ ପ୍ରଜାସଂଗ୍ରାମ ସମିତି  ।

ଖୋର୍ଦ୍ଧାରୁ ନୟାଗଡ ଯାଏ ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ  ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ରେଳ ମଧ୍ୟ ଗଡିଛି । କିନ୍ତୁ ଦୁର୍ଭାଗ୍ୟର କଥା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିମନ୍ତେ ବୌଦ୍ଧ ଜିଲ୍ଲାରେ ଗୋଟିଏ ଇଂଚ ଜମି ବି ଏଯାଏ ଅଧିଗ୍ରହଣ ହୋଇପାରିନାହିଁ । ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଅଭାବ ହେତୁ ଅଧିଗ୍ରହଣ କାର୍ଯ୍ୟ ଆଗେଇପାରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି । ଆଗକୁ ଏହା କାର୍ଯ୍ୟକାରୀ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସେପଟେ ବୌଦ୍ଧ ଜିଲ୍ଲା ଦେଇ ଯାଉଥିବା ଏହି ରେଲୱେ ଲାଇନ ନିମନ୍ତେ ଜିଲ୍ଲାର  ମୋଟ ୯୯ ଗୋଟି ଗ୍ରାମବାସୀ ବିସ୍ଥାପିତ ହେବାକୁ ଥିବାବେଳେ ସେମାନଙ୍କୁ ଉଚିତ୍ ମୂଲ୍ୟ ଦିଆଯାଇନାହିଁ । ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବୌଦ୍ଧ ରେଲୱେ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି । ବୌଦ୍ଧ ଜିଲ୍ଲାରେ ୨୨୭୦ ଏକର ଚାଷଜମି  କ୍ଷତିଗ୍ରସ୍ତ ହେଉଥିବାବେଳେ ଏକ ହଜାରରୁ ଅଧିକ ପରିବାର ବିସ୍ଥାପିତ ହେଉଛନ୍ତି । ତେବେ ସେମାନଙ୍କୁ ୨୦୦୬ ମସିହାର ଦରରେ ମୁଲ୍ୟାଙ୍କନ କରି କ୍ଷତିପୂରଣ  ଦିଆଯାଇଥିବାକୁ ବିରୋଧ କରି ସମିତି ପକ୍ଷରୁ ଜିିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ତେବେ ଅନିଶ୍ଚିତତା ଦେଇ ଗତିକରୁଥିବା ଏହି ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ ନିମନ୍ତେ ସରକାର ଦୃଷ୍ଟି ଦେଇ ତୁରନ୍ତ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି  ।

Comments are closed.