ରାହୁଲ ଗାନ୍ଧିଙ୍କ ବଡ ଘୋଷଣା ! କହିଲେ କ୍ଷମତାକୁ ଆସିଲେ ଉଚ୍ଛେଦ ହେବ ନୀତି ଆୟୋଗ, ପୁଣି ଫେରିବ ଯୋଜନା କମିଶନ । 

134

କନକ ବ୍ୟୁରୋ : ରାହୁଲ ଗାନ୍ଧିଙ୍କ ବଡ ଘୋଷଣା, କ୍ଷମତାକୁ ଆସିଲେ ନୀତି ଆୟୋଗକୁ ଉଚ୍ଛେଦ କରିବ କଂଗ୍ରେସ । ଏବଂ ଏହା ବଦଳରେ ପୂର୍ବପରି ଯୋଜନା କମିଶନ୍ ଅଣାଯିବ । ଏନେଇ ଏକ ଟ୍ୱିଟ୍ କରି ସୂଚନା ଦେବା ସହ ମୋଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ରାହୁଲ ଗାନ୍ଧି । କଡା ଟିପ୍ପଣୀ କରି ରାହୁଲ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିଜ୍ଞାପନ ଓ ତଥ୍ୟ ଜାଲିଆତି କରିବା ଛଡା ଦେଶରେ ନୀତି ଆୟୋଗର ଆଉ କିଛି କାମ ନାହିଁ । ତେଣୁ କ୍ଷମତାକୁ ଆସିଲେ କଂଗ୍ରେସ ପ୍ରଥମେ ନୀତି ଆୟୋଗକୁ ଉଚ୍ଛେଦ କରି ପୂର୍ବପରି ଯୋଜନା କମିଶନ୍ ଲାଗୁ କରିବ । ଏବଂ ଏଥିରେ ବଛାବଛା ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବ । ଏପରିକି ଏହାର କର୍ମଚାରୀ ସଂଖ୍ୟା ୧୦୦ ଭିତରେ ସୀମିତ ରଖାଯିବ ।

୧୯୫୦ରେ କଂଗ୍ରେସ ସରକାର ସମୟରେ ଦେଶରେ ଯୋଜନା କମିଶନ୍ ଲାଗୁ କରାଯାଇଥିଲା । ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହାକୁ ପୁରୁଣାକାଳିଆ ବ୍ୟବସ୍ଥା କହି ଉଚ୍ଛେଦ କରିଦେବାକୁ ପ୍ରକ୍ରିୟା ଆରମ୍ଭ କଲେ । ୧ ଜାନୁଆରୀ ୨୦୧୫ରେ ଦେଶରେ ନୀତି ଆୟୋଗ ବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ ନେଇଥିଲା ଯୋଜନା କମିଶନର ସ୍ଥାନ । ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିଥିବାବେଳେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସଦସ୍ୟ ଅଛନ୍ତି । ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ଗବେଷଣା ସଂସ୍ଥାର ପ୍ରତିନିଧିଙ୍କୁ ଅସ୍ଥାୟୀ ସଦସ୍ୟ ଭାବେ ଚୟନ କରାଯାଉଛି ।