ରାଫେଲ ବିମାନକୁ ନେଇ ଗୃହରେ ବିରୋଧୀଙ୍କ ହୋହାଲ୍ଲା : ସରକାର ଘୋଟାଲାରେ ସଂମୃକ୍ତ ନେତାଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ଅଭିଯୋଗ କଲେ ବିରୋଧୀ

47

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କୁ ସସଂଦରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ଘେରିଥିବା ଦେଖାଯାଉଛି । ବିରୋଧୀ ପ୍ରତ୍ୟେକ ସମୟରେ କେନ୍ଦ୍ର ସରକାରାଙ୍କୁ ଦୁର୍ନିତିଗ୍ରସ୍ତ ପ୍ରମାଣ କରାଇବା ପାଇଁ ଅନେକ ପନ୍ଥା ଆପଣାଇଥିବା ଦେଖାଯାଇଛି । ପୂର୍ବରୁ ବିରୋଧୀମାନେ ଏକତ୍ରିତ ହୋଇ ସରକାରଙ୍କୁ ଘେରିବେ ବୋଲି ଯୋଜନା କରିଥିଲେ । ତେବେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିବାର ଦେଖାଯାଇଛି । ତେବେ ଦେଶରେ ସବୁଠାରୁ ଚର୍ଚ୍ଚାରେ ଥିବା ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ସୋମବାର ସଂସଦରେ ହଙ୍ଗାମା କରିଛନ୍ତି ବିରୋଧୀ । ଶାସକ ବିଜେପି ଓ ବିରୋଧୀ ଦଳର ସାଂସଦମାନେ ପରସ୍ପରକୁ ଦୋଷାରୋପ କରିବା ଯୋଗୁ ଗୃହକାର୍ୟ୍ୟ ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ଗୃହକୁ ମଙ୍ଗଳବାର ପୂର୍ବାହ୍ନ ୧୧ ପର୍ୟ୍ୟନ୍ତ ମୁଲତବୀ ରଖାଯାଇଥିଲା । ଅନ୍ୟପକ୍ଷରେ ରାଫେଲ୍ ଚୁକ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତ ଶୁକ୍ରବାର ଲୋକସଭାରେ ଦେଇଥିବା ବୟାନକୁ ବିରୋଧ କରି ବିଜେପିର ୪ ଜଣ ସାଂସଦ ରାହୁଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ। ଏହି ନୋଟିସ୍କୁ ବାଚସ୍ପତି ସୁମିତ୍ରା ମହାଜନ ଯାଞ୍ଚ କରୁଥିବା ବେଳେ ଯାଞ୍ଚ ପରେ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୁମିତ୍ରା ମହାଜନ କହିଛନ୍ତି।

 

ସେପଟେ ରାଫେଲ୍ ବିମାନ କ୍ରୟ ଚୁକ୍ତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ କଂଗ୍ରେସ ଅନୁରୂପ ସ୍ୱାଧିକାର ଭଙ୍ଗ ନୋଟିସ୍ ପ୍ରସ୍ତୁତ କରୁଥିବା କହିଛି। ଦଳର ମୁଖପାତ୍ର ରଣଦୀପ ସୁର୍ଜେଓ୍ଵାଲା କହିଛନ୍ତି, ରାଫେଲ୍ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ସଂସଦକୁ ଭୁଆଁ ବୁଲାଇଛନ୍ତି। ତେଣୁ ଏହା ବି ସ୍ୱାଧିକାର ଭଙ୍ଗ ମାମଲାର ଅନ୍ତର୍ଭୁକ୍ତ ହୋଇପାରିବ। କଂଗ୍ରେସର ଅଭିଯୋଗ ଅନୁସାରେ ଉପା ସରକାର ୧୨୬ ରାଫେଲ ବିମାନ କିଣିବା ପାଇଁ ବିମାନ ପିଛା ଯେଉଁ ମୂଲ୍ୟ ଧାର୍ୟ୍ୟ କରିଥିଲେ, ମୋଦୀ ସରକାର ତା’ର ୩ ଗୁଣ ଅଧିକ ଦରରେ ୩୬ ରାଫେଲ ଯୁଦ୍ଧ ବିମାନ କ୍ରୟ କରିଛନ୍ତି। ଜଣେ ବ୍ୟବସାୟୀଙ୍କୁ ଅଯାଚିତ ଫାଇଦା ଦେବା ସକାଶେ ଅତ୍ୟଧିକ ଦାମରେ ବିମାନ କିଣିଥିବାରୁ ସରକାର ଏବେ ଏହାର ମୂଲ୍ୟକୁ ସାର୍ବଜନୀନ କରିବାକୁ ଚାହୁନାହାନ୍ତି।

ବିଜେପିର ୪ ସାଂସଦ ନିଶିକାନ୍ତ ଦୁବେ, ଅନୁରାଗ ଠାକୁର, ଦୁଷ୍ୟନ୍ତ ସିଂହ ଏବଂ ପ୍ରହଲ୍ଲାଦ ଯୋଶୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଉପସ୍ଥାପନ କରିଥିଲେ। ସେମାନେ ଦର୍ଶାଇଥିଲେ କି ରାହୁଲ ସଂସଦରେ ରାଫେଲ୍ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ମିଥ୍ୟାରୋପ ଲଗାଇ ସଂସଦକୁ ଭୁଲତଥ୍ୟ ଦେଇ ଭୁଲାଉଛନ୍ତି । ତେବେ ସରକାର ପ୍ରତ୍ୟେକ ସମୟରେ କଂଗ୍ରେସ ସରକାର ସମୟରେ ଦୁର୍ନିତି ହୋଇଥିବା କହୁଛନ୍ତି । କିନ୍ତୁ ନିଜ ସରକାର ଦେଶର ଯେଉଁ ବିମାନ ଘୋଟାଲା କରିଛି ତାହାର ଜବାବରେ ସରକାର ଗୃହରେ କାହିଁକି ଉପସ୍ଥାପିକ କରିପାରୁନାହାନ୍ତି ବୋଲି ବିରୋଧୀମାନେ କହିଛନ୍ତି । ଏହି ଦୁର୍ନୀତିରେ ସରକାର ନିଜକ ଦଳୀୟ ନେତାମାନଙ୍କୁ ସୁରକ୍ଷା ଦେବାସହ ଦେଶବାସୀଙ୍କ ଅର୍ଥକୁ ଲୁଟିଛନ୍ତି । ବିରୋଧୀଙ୍କୁ ଯବାବ ଦେଇ ଶାସକ ଦଳ କହିଛି କୈାଣସି ପ୍ରମାଣ ନଥାଇ ବିରୋଧାୀମାନେ ଅଯଥା ଗୃହକୁ ଚଲାଇ ଦେଉନାହାନ୍ତି । ତେଣୁ ଲୋକମାନଙ୍କ ସମସ୍ୟା ଏଠାରେ ଆଲୋଚନା ହୋଇପାରୁନାହିଁ । ପ୍ରକାଶଥାଉକି ସସଂଦକୁ ସଠିକ ଭାବରେ ପରିଚାଳନା କରିବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ସମସ୍ତଙ୍କ ସହେଯାଗ ଲୋଡିଥିଲେ । କିନ୍ତୁ ଗୃହ ଆରମ୍ଭ ହେବାରୁ ପରସ୍ପର ଉପରେ ଦୋଷାରୋପ ଲଦୁଛନ୍ତି । ଯାହା ଲାଗି ସାଧାରଣ ଲୋକଙ୍କ ସମସ୍ୟା ଆଲୋଚନା ହୋଇ ପାରୁନଥିବା ରାଜନୈତିକ ବିଷାରଦମାନେ କହିଛନ୍ତି ।