କୌତୁହଳ ବଢାଇଲେ ପ୍ରଣବ : ପୂର୍ବତନ ରାଷ୍ଟ୍ରପତିଙ୍କ ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ନିଷ୍ପତି ପରେ ରାଜନୀତିରେ ହଟଚମଟ

42

କନକ ବ୍ୟୁରୋ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ – ଆରଏସଏସର ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଅତିଥୀ ଭାବେ ଯୋଗ ଦେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଏହାକୁ ନେଇ ଜାତୀୟ ରାଜନୀତିରେ ଏବେ ଚହଳ ପଡିଛି । ବହୁ ବରିଷ୍ଠ କଂଗ୍ରେସ ନେତା ପ୍ରଣବଙ୍କ ଏପରି ସ୍ୱୀକୃତିକୁ ନେଇ ବିରୋଧ କରିଛନ୍ତି ଏବଂ ଏହି ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିବାକୁ ଅନୁରୋଧ କରିଛନ୍ତି । ଶେଷରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଣବ ଏବଂ କହିଛନ୍ତି, ଯାହା କହିବି ନାଗପୁରରେ କହିବି ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏହି ବୟାନରୁ ଗୋଟିଏ କଥା ସ୍ପଷ୍ଟ ଯେ, କଂଗ୍ରେସ ନେତାଙ୍କ ବାରମ୍ବାର ଅନୁରୋଧ ସତ୍ୱେ ଆଗାମୀ ୭ ତାରିଖରେ ଆରଏସଏସର କାର୍ଯ୍ୟକ୍ରମରେ ସେ ଯୋଗଦେଉଛନ୍ତି । ଆଉ ଯାହା କହିବେ ନାଗପୁରରେ ହିଁ କହିବେ ବୋଲି ପ୍ରତିକ୍ରିୟା ରଖି କଂଗ୍ରେସ ନେତାଙ୍କ ଭିତରେ ଥିବା ସଂଶୟକୁ ବଢାଇ ଦେଇଛନ୍ତି । ଦୀର୍ଘ ୫୦ବର୍ଷ ଧରି କଂଗ୍ରେସ ରାଜନୀତି ସହ ଜଡିତ ଥିବା ଏହି ନେତାଙ୍କ ଏକ ବିପରିତ ବିଚାରଧାରା ଗୋଷ୍ଠୀର କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛି କଂଗ୍ରେସ ।

ସେପଟେ, ସଂଘ ପରିବାର କାର୍ଯ୍ୟକ୍ରମରେ ପ୍ରଣବଙ୍କ ଯୋଗଦାନ ଏକ ଘଡିସନ୍ଧି ମୁହୂର୍ତରେ ହେବାକୁ ଯାଉଛି, ଯେଉଁଥିପାଇଁ ଏହାର ଗୁରୁତ୍ୱ ଢେର ବଢିଯାଇଛି । ଗୋଟିଏ ପଟେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ବିଜେପିକୁ ଟକ୍କର ଦେବାଲାଗି ପ୍ରସ୍ତୁତ ହେଉଛି କଂଗ୍ରେସ । ମୋଦି ବିରୋଧୀଙ୍କୁ ଏକାଠି କରି ବିଜେପିର ବିଜୟଧାରାରେ ବ୍ରେକ ଲଗାଇବାକୁ ଉଦ୍ୟମ ଚଳାଇଛି । ସଂଘ ପରିବାରର ପୃଷ୍ଠପୋଷକତାରେ ବିଜେପି ଦେଶରେ ସାଂପ୍ରଦାୟିକତା ଓ ହିନ୍ଦୁତ୍ୱ ବିଚାରଧାରାକୁ ଲଦି ଦେଉଥିବା ଅଭିଯୋଗ ଆଣୁଛି । ଆଉ ସେପଟେ ଦୀର୍ଘଦିନଧରି କଂଗ୍ରେସ ବିଚାରଧାରା ସହ ଜଡିତ ପ୍ରଣବ ମୁଖାର୍ଜୀ ଆରଏସଏସର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗଦେବାକୁ ଯାଉଛନ୍ତି ।

ଏପେଟେ, ବରିଷ୍ଠ ନେତାମାନଙ୍କ ଅପିଲର ପ୍ରଣବଙ୍କ ଉପରେ କୌଣସି ପ୍ରଭାବ ପଡିନାହିଁ । ଚିଦାମ୍ବରମ କହିଥିଲେ ଯେ, ପ୍ରଣବ ସେଠାକୁ ଯାଇ ସେମାନଙ୍କ ବିଚାରଧାରାରେ କଣ ସମସ୍ୟା ଅଛି କୁହନ୍ତୁ । ସେପଟେ ଅନ୍ୟମାନଙ୍କ ସହ ବପରିଷ୍ଠ ନେତା ଜୟରାମ ରମେଶ ମଧ୍ୟ ଆରଏସଏସ କାର୍ଯ୍ୟକ୍ରମରେ ଯୋଗନଦେବାକୁ ପ୍ରଣବଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ବିଜେପି ପ୍ରଣବଙ୍କ ନିଷ୍ପତିକୁ ସ୍ୱାଗତ କରିଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଛନ୍ତି ରାଜନୀତିରେ ଅଛୁଆଁ ଭାବ ଏହିଠାରୁ ପରିବର୍ତନ ହେବ ।