ଚାଷ କରି ମଧ୍ୟ ପ୍ରତିଦିନ କରିହେବ ରୋଜଗାର ! ଅଷ୍ଟ୍ରେଲିଆ ଫେରନ୍ତା ମହିଳା ଚାଷୀ ପୂରବୀ ଦେଉଛନ୍ତି ମନ୍ତ୍ର

49

ଆଜିକାଲି ଅଧିକାଂଶ ଲୋକେ ସହରମୁହାଁ ହେଲେଣି । ଆଉ ଏହାର ମୁଖ୍ୟ କାରଣ ହେଲା ରୋଜଗାର । କାରଣ ଗାଁରେ ରୋଜଗାରର ସେପରି କିଛି ପନ୍ଥା ନମିଳବାରୁ ଏପରି କରିବା ପାଇଁ ବାଧ୍ୟ ହେଉଛନ୍ତି ଲୋକେ । କେବଳ ଗାଁ ଲୋକ ନୁହେଁ , ଅଧିକ ଆୟ ଆଶାରେ ସହରର ଲୋକମାନେ ମଧ୍ୟ ବିଦେଶ ଯାତ୍ରା କରୁଛନ୍ତି । ଟଙ୍କା ରୋଜଗାର ହିଁ ସେମାନଙ୍କର ମୂଳ ଲକ୍ଷ୍ୟ ହୋଇଗଲାଣି । ଘରଦ୍ୱାରା ଛାଡ଼ି , ବାପା ମା’ଙ୍କୁ ଛାଡ଼ି ଅଧିକ ରୋଜଗାର ଆଶାରେ ବିଦେଶ ଯିବା ପାଇଁ ବାଦ୍ୟ ହେଉଛନ୍ତି ଲୋକେ । ତେବେ କେବଳ ଯେ ଉଚ୍ଚବେତନ ଯୁକ୍ତ ଚାକିରି କରି ଜଣେ ସଫଳ ହୋଇପାରିବ ତଥା ଅଧିକ ରୋଜଗାର କରିପାରିବ ତା’ନୁହେଁ । ନିଜ ଅଂଚଳରେ ରହି ବି ଅଧିକ ରୋଜଗାର କରିହେବ । ତେବେ ସେଥିପାଇଁ ଦରକାର କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି । ବହୁତ ଅଳ୍ପ ଲୋକ ଥିବେ ଯେଉଁମାନେ ବିଦେଶରୁ ଉଚ୍ଚ ବେତନ ଚାକରି ଛାଡ଼ି ଆସି ନିଜ ଅଂଚଳରେ କୃଷି କାର୍ଯ୍ୟ କରୁଛନ୍ତି । ଏପରି ଜଣେ ହେଲେ ପୂରବୀ ବ୍ୟାସ । ଅଷ୍ଟ୍ରେଲିଆର ୱେଷ୍ଟନ୍ ସିଡ଼ନୀ ବିଶ୍ୱବିଦ୍ୟାଳୟର ପରିବେଶ ସୁରକ୍ଷାରେ ସ୍ନାତ୍ତକ କରିବା ପରେ ପୂରବୀ ବ୍ୟାସ ଏକ ନିଷ୍ପତ୍ତି ନେଇଥିଲେ ଯାହା ତାଙ୍କ ଜୀବନ ଗତିପଥକୁ ପୁରାପୁରି ପରିବର୍ତ୍ତନ କରିଦେଇଥିଲା । ସେ ଉଚ୍ଚବେତନ ଚାକିରିକୁ ଆଶା ନକରି ଏବେ ଜଣେ ସଫଳ ଚାଷୀ ହୋଇଯାଇଛନ୍ତି । ଜୈବିକ ପ୍ରଣାଳୀରେ ଚାଷବାଷ କରିବା ଆରମ୍ଭ କରିଛନ୍ତି । ଆଗାମୀ ପୀଢ଼ିର କୃଷକ ଓ ଯୁବଗୋଷ୍ଠୀଙ୍କୁ ଜୈବିକ ଉପାୟରେ ମଧ୍ୟ ଚାଷ ହୋଇପାରିବ ବୋଲି ଏବେ ମନ୍ତ୍ର ଦେଉଛନ୍ତି ।

୧୯୯୯ରେ ନିଜର ସ୍ନାତ୍ତକତ୍ତୋର ଶେଷ କରିବା ପରେ ପୂରବୀ ଅଷ୍ଟ୍ରେିଲିଆରୁ ଫେରିଆସିଥିଲେ । ସେ କିଛି ବେସରକାରୀ ସଂଗଠନ ସହ ମିଶି ବିକାଶ ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ । ୨୦୦୨ରେ ତାଙ୍କୁ ପ୍ରସିଦ୍ଧ ପରିବେଶବିତଙ୍କ ସହ କାମ କରିବାର ସୁଯୋଗ ମିଳିଲା । ଆଉ ସେହି ସମୟରେ ସେ ଗୁଜରାଟ ଗସ୍ତରେ ଯାଇଥିଲେ । ଆଉ ସେଠାରେ ସେ ଗ୍ରାମୀଣ ଲୋକଙ୍କ ଚାଲିଚଳନୀକୁ ଦେଖିଲେ । ତାଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ସେ ଚାଷ କରିବା ପାଇଁ ମନସ୍ଥ କରିନେଇଥିଲେ । ତେବେ ଚାଷ ଆରମ୍ଭ କରିବା ପାଇଁ ତାଙ୍କୁ ଅନେକ କଷ୍ଟ ସହିବା ପାଇଁ ପଡ଼ିଥିଲା । ତାଙ୍କୁ ଚାଷବାସ ବିଷୟରେ ଅଧିକ ଜଣାନଥିଲା । କିନ୍ତୁ ହାର ନମାନି ପୂରବୀ ମନଦେଇ ଚାଷକାମ ବୁଝିବାରେ ଲାଗିଲେ । ସାର ଓ କୀଟନାଶକ ବ୍ୟବହାର ଯୋଗୁଁ ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି ସେ ଜୈବିକ ଚାଷ କିପରି କରାଯିବ ସେ ନେଇ ସନ୍ଧାନ ଆରମ୍ଭ କରିଦେଲେ ।

କମ୍ ଖର୍ଚ୍ଚରେ କିପରି ଚାଷୀ ଭଲ ଉତ୍ପାଦନ କରିପାରିବେ ସେ ନେଇ ଅନୁଧ୍ୟାନ ଆରମ୍ଭ କରିଦେଲେ । ଆଉ ସେ ଜୈବିକ ଚାଷର ବିଷୟରେ ଜାଣିଲେ । ପୂରବୀ ତାପରେ ଗୋପାଳନ ଆରମ୍ଭ କରିଦେଲେ । ଯାହା ଜୈବିକ ଚାଷ ପାଇଁ ଜରୁରୀ ଥିଲା । ଆଉ ତା’ପରେ ଆରମ୍ଭ ହେଲା ଜୈବିକ ଚାଷ । ନିଜ ବଗିଚାରେ ଧାନ, ଫଳମୂଳ, ଔଷଧୀୟ ବୃକ୍ଷ, ଫୁଲ ଓ ପନିପରିବା ଆଦି ଲଗାଇଲେ । ସେ ଏକ ମଡ଼େଲ ପ୍ରସ୍ତୁତ କଲେ, ଯଦ୍ୱାରା ଚାଷୀ ସବୁ ସମୟରେ ଚାଷ କରି ଲାଭବାନ ହୋଇପାରିବ । ଧୀରେ ଧୀରେ ତାଙ୍କ କଠିନ ପରିଶ୍ରମ ସଫଳ ହେଲା । ସେ ଜୈବିକ ପଦ୍ଧତିରେ ଚାଷ କରି ଭଲ ରୋଜଗାର କରିବାରେ ଲାଗିଲେ ।

ଚାଷ କରିବା ସମୟରେ ପୂରବୀ ଚିନ୍ତା କରୁଥିଲେ ସହରୀ ଯୁବଗୋଷ୍ଟୀ ମଧ୍ୟ ଚାଷ କିରବା ପାଇଁ ପ୍ରେରିତ ହୁଅନ୍ତୁ । ଆଉ ତାପରେ ସେ ଲୋକଙ୍କ ଖାଦ୍ୟର ଏକ ମଡ଼େଲ ପ୍ରସ୍ତୁତ କରିଥିଲେ । ସହରୀ ଛାତ୍ରଙ୍କୁ ନିଜେ ଆୟୋଜନ କରୁଥିବା କାର୍ଯ୍ୟକ୍ରମକୁ ଡଳାଇଲେ । ଆଜି ପୂରବୀ ଜଣେ ସଫଳ ଚାଷୀ । ଭଲ ରୋଜଗାର କରିବା ସହ ୨୦୦୦ରୁ ଅଧିକ କୃଷକଙ୍କୁ ସହ କାମ କରୁଛନ୍ତି ।