ଲକ୍ଷ ଲକ୍ଷ ଭକ୍ତଙ୍କ ସହ ଖେଳ ଖେଳିଲେ ସେବାୟତ ! ଆଜି ବି ଶ୍ରୀମନ୍ଦିରରେ ମିଳିଲା ନାହିଁ ମହାପ୍ରସାଦ, କୋଇଲି ବୈକୁଣ୍ଠରେ ପୋତାଗଲା ୫୦ ଲକ୍ଷ ଟଙ୍କାର ଅବଢା

38

କନକ ବ୍ୟୁରୋ : ଲକ୍ଷ ଲକ୍ଷ ଭକ୍ତଙ୍କ ହୃଦୟକୁ ଆଘାତ ଦେଇ ଆଜି ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରସାଦ ବନ୍ଦ କରିଦେଇଛନ୍ତି ସେବାୟତ । ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲିର ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦକୁ ଆଜି କୋଇଲି ବୈକୁଣ୍ଠରେ ପୋତି ଦିଆଯାଇଛି । ଶ୍ରୀମନ୍ଦିର ଆଗରେ ଧାରଣା ଦେଇ ସେବାୟତ ତୁରନ୍ତ କ୍ଷତିପୂରଣ ଦେବାକୁ ପ୍ରଶାସନକୁ ଦାବି କରିଛନ୍ତି । ଗତକାଲି ଠାକୁରଙ୍କ ସେବାରେ ବଡ ଧରଣର ବିଭ୍ରାଟ ଦେଖାଦେଇଥିଲା । ଏପରିକି ରାତି ତମାମ ପହଡ ବି ପକାଇନଥିଲେ ସେବାୟତ । ଆଜି ମଧ୍ୟ ଏହି ବିବାଦର ସମାଧାନ ହୋଇପାରିନାହିଁ । ତେବେ ନୀତିକାନ୍ତି ଠିକ ସମୟରେ କରିବା ପାଇଁ ସହମତି ହୋଇଛି ।

ଶ୍ରୀମନ୍ଦିରରେ ଆଜି ଭକ୍ତ ବି ପାଇନାହାନ୍ତି ମହାପ୍ରସାଦ । ପ୍ରଶାସନ-ସେବାୟତ କଳିରେ ପାତାଳି ହୋଇଯାଇଛି ମହାପ୍ରସାଦ । ଗତକାଲି ଭୋଗହୋଇନଥିବା ଅବଢାକୁ ଆଜି କୋଇଲିବୈକୁଣ୍ଠରେ ପୋତାଯାଇଛି । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଜ ଜିଦରେ ଅଟଳ ଅଛନ୍ତି । କ୍ଷତିପୂରଣ ଦାବିରେ ସେବାୟତ ଅଡିବସିଛନ୍ତି । ଶ୍ରୀମନ୍ଦିର ବିବାଦ ପଛର ମୁଖ୍ୟ କାରଣ ହେଉଛି ପ୍ରଶାସନ-ସେବାୟତ କଳି । ତେବେ ଏନେଇ ଭକ୍ତଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି ।

ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠର ମହାପ୍ରସାଦକୁ ପୋତିବା ପରେ ଭକ୍ତଙ୍କ ମନରେ କେତେ ଆଘାତ ପହଞ୍ଚିଥିବ, ଏ କଥା ପ୍ରଶାସନ ଓ ସେବାୟତ କେତେ ବୁଝିପାରୁଥିବେ ତାହା କେହି ଜାଣିନାହାନ୍ତି । ଯେଉଁ ମହାପ୍ରସାଦ ପାଇବା ପାଇଁ ଭକ୍ତ ମନରେ ସବୁଠାରୁ ବେଶୀ ଆଗ୍ରହ ଥାଏ ସେହି ମହାପ୍ରସାଦ ପ୍ରଶାସନ ଓ ସେବାୟତଙ୍କ କଳି ଭିତରେ ପାତାଳୀ ହୋଇଯାଇଛି । ପ୍ରାୟ ୫୦ ଲକ୍ଷ ଟଙ୍କାର ଅବଢାକୁ ପୂଜା ନକରି କୋଇଲି ବୈକୁଣ୍ଠରେ ପୋତି ଦେଇଛନ୍ତି ସେବାୟତ ।

ସିଂହଦ୍ୱାର ଆଗରେ ଧାରଣା ଦେଇ ସେବାୟତ ଜିଦ ଧରିଛନ୍ତି ପ୍ରଶାସନ ସେମାନଙ୍କୁ କ୍ଷତିପୂରଣ ଦେଉ ଏବଂ ଏଭଳି କ୍ଷତି ଯେଭଳି ଆଗକୁ ନହେବ ସେଥିପାଇଁ ଗ୍ୟାରେଂଟି ଦେଉ । ପୀଢି ପରେ ପୀଢି ଠାକୁରଙ୍କ ସେବା କରୁଥିବା ଏହି ସେବାୟତମାନେ ଏତେ ଜିଦଖୋର ପାଲଟିଯାଇଛନ୍ତି ଯେ ମଙ୍ଗଳବାର ବି ଅବଢା ବନ୍ଦ କରିଦେଇଛନ୍ତି । ଏହି ବିବାଦ ଆରମ୍ଭ ହୋଇଛି ଓଡିଶା ହାଇକୋର୍ଟଙ୍କ ରାୟରୁ । ୧୬ ତାରିଖରେ ଜଗମୋହନ ଖୋଲିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଗର୍ଭଗୃହ ଭିତରକୁ ପାଳିଆ ସେବାୟତଙ୍କ ଛଡା ଆଉ କେହି ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ପାଳିଆ ସେବାୟତର ଅର୍ଥ ହେଉଛି ଯାହାର ପାଳି ଥିବ କେବଳ ସେହି ସେବାୟତ ହିଁ ଗର୍ଭଗୃହରେ ପ୍ରବେଶ କରିପାରିବେ ।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିଲା ବିବାଦ । ଗର୍ଭଗୃହକୁ ଯିବା ପାଇଁ ହାଇକୋର୍ଟଙ୍କ କଟକଣାକୁ ଗ୍ରହଣ କରିପାରିନାହାନ୍ତି ସେବାୟତ । ତେଣୁ ସୋମବାର ଜଗମୋହନ ଖୋଲିବାକୁ ନେଇ ମଧ୍ୟ ନୀତିକାନ୍ତିରେ ବିଳମ୍ବ ହେଲା ଏବଂ ପରିସ୍ଥିତି ଏତେ ଉକ୍ରଟ ହେଲା ଯେ, ମହାପ୍ରଭୁ ଉପାସରେ ରହିଲେ ଏବଂ ରାତିତମାମ ପହଡ ମଧ୍ୟ ପଡିଲାନାହିଁ । ଜଗନ୍ନାଥଙ୍କ ମହାପ୍ରସାଦ ପାଇବା ପାଇଁ ହଜାର ହଜାର କିଲୋମିଟର ଦୂରରୁ ଛୁଟିଆସନ୍ତି ଭକ୍ତ ଏବଂ ଅବଢା ଟିକିଏ ପାଇଲେ ତାଙ୍କ ଜୀବନ ଧନ୍ୟ ହୋଇଯାଏ । କିନ୍ତୁ ସେବାୟତମାନେ ବୋଧହୁଏ ବୁଝିପାରିନାହାନ୍ତି ଯେ, ନିଜ ଲଢେଇ ଭିତରେ ଭକ୍ତଙ୍କ ଉପରେ ସେମାନେ କେତେ ଅତ୍ୟାଚାର କରୁଛନ୍ତି ।

କୋର୍ଟ, ପ୍ରଶାସନ ଓ ଆଇନର ଲଢେଇ ଭିତରେ ଏହି ସମସ୍ୟା ଛନ୍ଦି ହୋଇଯାଇଛି । କିନ୍ତୁ ଏଥିରେ ଭକ୍ତର କିଛି ଯାଏ ଆସେ ନାହିଁ । କୋଟି କୋଟି ଭକ୍ତଙ୍କ ମନରେ କେବଳ ଗୋଟିଏ କଥା, ଠାକୁରଙ୍କ ସେବା ଠିକ ଭାବରେ ହେଉ ଏବଂ ମହାପ୍ରସାଦ ବନ୍ଦ ନ ହେଉ । ଆଉ ପ୍ରଶାସନ-ସେବାୟତ କଳି ମଧ୍ୟରେ ମହାପ୍ରଭୁଙ୍କୁ ଉପାସ ନ ରଖାଯାଉ । ସେପଟେ ଗତକାଲିର ନୀତିକାନ୍ତିରେ ବିଭ୍ରାଟ ପାଇଁ ଦାୟୀ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ସମସ୍ୟାର ସମାଧାନ ପାଇଁ ସେବାୟତ, ଜିଲ୍ଲାପାଳ ଓ ମୁଖ୍ୟ ପ୍ରଶାସକଙ୍କୁ ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି, ତଦନ୍ତ କରାଯାଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।