ଋାଷ୍ଟ୍ରପତିଙ୍କ ପତ୍ନୀଙ୍କୁ “ଦୁର୍ବ୍ୟବହାର” ! ସେବାୟତଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଆଜି ହୋଇପାରେ କାର୍ଯ୍ୟାନୁଷ୍ଠାନ

31

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରର ସେବାୟତଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଶ୍ରୀମନ୍ଦିରରେ ଦେଶର ପ୍ରଥମ ମହିଳାଙ୍କୁ ହୋଇଥିବା ଦୁର୍ବ୍ୟବହାର ପ୍ରସଙ୍ଗରେ ହେବ କାର୍ଯ୍ୟାନୁଷ୍ଠାନ । ପୁରୀ ଶ୍ରୀମନ୍ଦିରର ଦୁଇ ଜଣ ସେବାୟତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଆସିଥିଲା ଅଭିଯୋଗ । ଏ ନେଇ ରାଷ୍ଟ୍ରପତି ଭବନରୁ ଚିଠି ଆସିଥିଲା । ଗତ ମାର୍ଚ୍ଚ ୧୮ରେ ରାଷ୍ଟ୍ରପତି ସସ୍ତ୍ରୀକ ପୁରୀ ଶ୍ରୀମନ୍ଦିର ପରିଦର୍ଶନ ପାଇଁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କ ଦେହରେ ଏହି ଦୁଇଜଣ ସେବାୟତ ଘଷି ହୋଇ ଯାଇଥିଲେ ।

ତେବେ ଏମିତି ଏକ ସାଙ୍ଘାତିକ ଅଭିଯୋଗ ସେତେବେଳେ ସାମନାକୁ ଆସିଥିଲା ଯେତେବେଳେ ରାଷ୍ଟ୍ରପତି ଭବନରୁ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଏକ ଚିଠି ଆସିଥିଲା । ଯେଉଁ ଚିଠିରେ ଦର୍ଶାଯାଇଥିଲା ଯେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ବେଳେ ଦୁଇ ଜଣ ସେବାୟତ ତାଙ୍କ ଦେହରେ ଓ ପତ୍ନୀ ସବିତା କୋବିନ୍ଦଙ୍କ ଦେହରେ ଘଷି ହୋଇଯାଇଥିଲେ । ଖାଲି ସେତିକି ନୁହେଁ, ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ ପରେ ସେବାୟତଙ୍କୁ କୌଣସି ଦକ୍ଷିଣା ଦେଇ ନଥିବା ନେଇ ମଧ୍ୟ ସେବାୟତ ଗଣମାଧ୍ୟମରେ ବୟାନ ଦେଇଥିଲେ । ଯାହାକୁ ନେଇ ମଧ୍ୟ ରାଷ୍ଟ୍ରପତି ଭବନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା । ତେବେ ରାଷ୍ଟ୍ରପତି ଭବନରୁ ଚିଠି ପାଇବା ପରେ ଏହି ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା । ଆଉ ସଂପୃକ୍ତ ଦୁଇ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।

ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ନେଇ ରାଷ୍ଟ୍ରପତି ଭବନରୁ ଚିଠି ଆସିବା ପରେ ମାର୍ଚ୍ଚ ୨୦ ତାରିଖରେ ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଥିଲା । ଏଥି ସହ ଅଭିଯୋଗ ଆସିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଏ ହେଉଛି ସେହି ରିଜୋଲ୍ୟୁସନ୍ ଯେଉଁଥିରେ ଲେଖାଯାଇଛି ଯେ ଶ୍ରୀମନ୍ଦିରକୁ ବହୁ ସଂଖ୍ୟାରେ ଭିଭିଆଇପି ଆସୁଛନ୍ତି । ସେମାନଙ୍କୁ ଦର୍ଶନ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ରତ୍ନ ସିଂହାସନରେ ମଥା ରଖିବା ପାଇଁ ମହାମହିମ ରାଷ୍ଟ୍ରପତି ଯିବା ବେଳେ ସେଠାରେ ଉପସ୍ଥିତ ଖୁଂଟିଆ ମେକାପ ସେବକଙ୍କୁ ଆଡେଇ ନଥିଲେ । କେତେକ ସେବକ ମହାମହିମ ରାଷ୍ଟ୍ରପତିଙ୍କ ଦେହରେ ଘଷି ହୋଇ ଯାଉଥିଲେ । ଏପରିକି ମହାମହିମ ରାଷ୍ଟ୍ରପତିଙ୍କ ପତ୍ନୀ ଯେ କି ଭାରତବର୍ଷର ପ୍ରଥମ ମହିଳା ତାଙ୍କ ଦେହରେ ମଧ୍ୟ ଘଷି ହେବା ଯୋଗୁଁ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଅସନ୍ତୋଷ ପ୍ରକାଶ ପାଇଛି ।