ପୁଲୱାମା ଆକ୍ରମଣରେ ଦୁଇ ଓଡିଆ ଯବାନ ସହିଦ ! ଦେଶ ପାଇଁ ବଳିଦାନ ଦେଲେ ଜଗତସିଂହପୁର ନାଉଗାଁର ପ୍ରସନ୍ନ ସାହୁ ଓ ନିଆଳିର ମନୋଜ ବେହେରା

2,346

କନକ ବ୍ୟୁରୋ : ପୁଲୱାମା ଆକ୍ରମଣରେ ଦୁଇଜଣ ଓଡିଆ ଯବାନ ସହିଦ ହୋଇଛନ୍ତି । ସେମାନେ ହେଲେ ଜହତସିଂହପୁରର ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ ଗତକାଲି ଆକ୍ରମଣରେ ସହିଦ ହୋଇଛନ୍ତି । ସେ ସିଆରପିଏଫର ୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ । ଏହି ଖବର ଆସିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମା ଓ ପତ୍ନୀ ଗୁମୁରି ଗୁମୁରି କାନ୍ଦୁଛନ୍ତି । ପ୍ରସନ୍ନ ବହୁତ ମେଳାପୀ ଥିଲେ । କିଛିଦିନ ତଳେ ସେ ଗାଁକୁ ଆସିଥିଲେ । ତେବେ ହଠାତ୍ ତାଙ୍କ ସହିଦ ହେବା ଖବରକୁ କେହି ବିଶ୍ୱାସ କରିପାରୁନାହାନ୍ତି ।

ସେପଟେ ନିଆଳି ରତନପୁର ଗାଁର ମନୋଜ ବେହେରା ପୁଲୱାମା ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଛନ୍ତି । ଏହି ଖବର ଆସିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମନୋଜଙ୍କ ଦୁଇବର୍ଷର ଝିଅ ଅଛି । ମନୋଜଙ୍କୁ ଗାଁ ଲୋକେ ଝୁରୁଛନ୍ତି ।

ସୂଚନାଯୋଗ୍ୟ କଶ୍ମୀରର ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ସିଆରପିଏଫ୍ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ୩୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଭର୍ତି କରାଯାଇଛି । ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା । ତେଣୁ ଏତେ ବଡ ଆକ୍ରମଣ କେମିତି ହେଲା ତଦନ୍ତ ପାଇଁ ଆଜି ଘଟଣାସ୍ଥଳକୁ ଯିବ ଏନଆଇଏର ୧୨ ଜଣିଆ ଟିମ୍ । ଏନଆଇଏ ସହ ଏନଏସଜି ଟିମ୍ ବି ପୁଲୱାମା ଯିବ । ସେପଟେ ଜମ୍ମୁ କାଶ୍ମୀରରେ ମୁତୟନ ସୁରକ୍ଷାକର୍ମୀଙ୍କର ଆଜି ଗୁରୁତ୍ୱପୂଣ୍ଣ ବୈଠକ ବସିବ । ଏଥିରେ ସିଆରପିଏଫର ଉଚ୍ଚ ପଦସ୍ଥ ଅଧିକାରୀ ସାମିଲ ହେବେ ।