ଶ୍ରୀମନ୍ଦିର ଉପରେ ଆଜି ବିଶେଷଜ୍ଞ କମିଟିର ଜନଶୁଣାଣି : ସୁଧାର ସମ୍ପର୍କରେ ପ୍ରଥମ ଥର ଲାଗି ସେବାୟତ ଓ ଲୋକଙ୍କ ମତାମତ ନେବ କମିଟି

27

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନାରେ ସୁଧାର ଆଣିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ ବିଶେଷଜ୍ଞ କମିଟିର ଜନଶୁଣାଣି ଆଜି ଶ୍ରୀମନ୍ଦିର ଅଫିସ ପରିସରରେ ହେବ । ଉଭୟ ସେବାୟତ ଓ ସର୍ବସାଧାରଣଙ୍କ ମତାମତ ଉପରେ ପ୍ରଥମ ଥର ଲାଗି ଏଭଳି ଜନଶୁଣାଣୀର ଆୟୋଜନ କରାଯାଇଛି । ଜନଶୁଣାଣି ଯୋଗୁଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଛତିଶାନିଯୋଗ ବୈଠକକୁ ଘୁଂଚାଇ ଦିଆଯାଇଛି । ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ବନ୍ଦ, ରୋଷ ଘରକୁ ଶ୍ରୀମନ୍ଦିର ପ୍ରଶାସନ ନିଜ କର୍ତୃତ୍ୱକୁ ଆଣିବା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଭଳି ୧୨ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

puri-jagannath-temple

ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବାଦବିବାଦ ଲାଗିରହିଥିବାରୁ ଆଜି ଜନଶୁଣାଣିରେ ବିବାଦ ଉପୁଜିବା ଆଶଙ୍କା ରହିଛି । ସେବାୟତ ଏହିଜନଶୁଣାଣିକୁ ବିରୋଧ କରିଆସିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ବାହାରର ବିଭିନ୍ନ ମନ୍ଦିର ଓ ଧାର୍ମିକ ସ୍ଥଳର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଏହି କମିଟି ଏବେ ଶ୍ରୀମନ୍ଦିର ପରିଚାଳନା ସୁଧାର ଉପରେ ଅନୁଧ୍ୟାନ କରିବା ଆରମ୍ଭ କରିଛିା ଏହି ପରିପ୍ରେକ୍ଷୀରେ ଜନସାଧାରଣ, ଭକ୍ତ ଓ ସେବାୟତଙ୍କ ମତାମତ ନେବା ପାଇଁ ବିଶେଷଜ୍ଞ କମିଟି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜନଶୁଣାଣିର ଆୟୋଜନ କରିଛି । ଦିନ ୧୧ଟାରୁ ୨ଟା ଯାଏଁ ଏହି ଜନଶୁଣାଣି ହେବ ।