ପେନସନ୍ ପାଇଁ ପ୍ରମୋସନ : ସ୍ୱାସ୍ଥ୍ୟ ବିଭାଗ ସମେତ ରାଜ୍ୟର ବିଭିନ୍ନ ବିଭାଗରେ ଚାଲିଛି ଏଭଳି ବିଚିତ୍ର ନୀତି

17

କନକ ବ୍ୟୁରୋ : ଗୋଟିଏ ଦିନରେ ପଦୋନ୍ନତି, ବଦଳି ଓ ଅବସର । ସ୍ୱାସ୍ଥ୍ୟ ବିଭାଗ ସମେତ ରାଜ୍ୟର ଅନେକ ବିଭାଗରେ ଏଭଳି ବିଚିତ୍ର ନୀତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ସିଡିଏମଓ ସ୍ତରର ଚାରିଜଣ ବରିଷ୍ଠ ଡାକ୍ତରଙ୍କୁ ନିକଟରେ ଅକ୍ଟୋବର ୩୧ ତାରିଖରେ ପଦୋନ୍ନତି ଦିଆଗଲା । ଦରମା ପ୍ରାୟ ୮୦ ହଜାରରୁ ୧ ଲକ୍ଷ ୨୦ ହଜାର ଟଙ୍କା ହୋଇଗଲା । ହେଲେ ସେମାନେ ସେହିଦିନ ଅବସର ନେଇଗଲେ । ଦରମା ବଢ଼ିଲେ ସୁ୍ଦ୍ଧା ସେମାନଙ୍କ ସେବା ଲୋକଙ୍କ ପାଇଁ ଲାଗିପାରିଲା ନାହିଁ ।

ତିନି ଦିନ ତଳେ ଅବସର ନେଇଥିଲେ ଖୋର୍ଦ୍ଧାର ସିଡିଏମଓ ଡାକ୍ତର ସାରଦା ପ୍ରସନ୍ନ ମିଶ୍ର । ଅକ୍ଟୋବର ୩୧ ତାରିଖରେ ଡାକ୍ତର ମିଶ୍ରଙ୍କ ସମେତ ଅନ୍ୟ ୪ ଜଣ ବରିଷ୍ଠ ଡାକ୍ତର ବି ଅବସର ଦିନ ହିଁ ପଦୋନ୍ନତି ପାଇଛନ୍ତି । ଡାକ୍ତର ସାରଦା ପ୍ରସନ୍ନ ମିଶ୍ର ଖୋର୍ଦ୍ଧାର ସିଡିଏମ୍ଓ ଥିବା ବେଳେ ତାଙ୍କୁ ଆଡିସନାଲ୍ ଡାଇରେକ୍ଟର ଭାବେ ଅବସର ଦିନ ବୌଦ୍ଧକୁ ବଦଳି କରାଯାଇଛି । ଏହାଦ୍ୱାରା ତାଙ୍କ ଦରମା ଓ ଭତ୍ତା ମିଶି ପ୍ରାୟ ୮୦ ହଜାର ଟଙ୍କାରୁ ୧ ଲକ୍ଷ ୨୦ ହଜାର ଟଙ୍କା ହୋଇଯାଇଛି । ଜଣେ ସରକାରୀ କର୍ମଚାରୀ ଭାବେ ସେ ଅବସର ପରେ ପେନସନ୍ ବାବଦରେ ପ୍ରାୟ ଅଧା ଅର୍ଥାତ୍ ୪୦ ହଜାର ଟଙ୍କା ପାଇଥାନ୍ତେ । ମାତ୍ର ଶେଷ ଦିନରେ ଦରମା ବଢ଼ିଯିବାରୁ ସେ ପେନସନ୍ ବାବଦରେ ମୋଟ ଦରମାର ଅଧା ଅର୍ଥାତ୍ ପ୍ରାୟ ୬୦ ହଜାର ଟଙ୍କା ପେନସନ୍ ପାଇବେ । ଲାଭ ୨୦ ହଜାର ଟଙ୍କା । ତେବେ ବିଡମ୍ବନା ହେଲା, ସେ କେବିକେ ଅଂଚଳକୁ ଯାଇ ଲୋକଙ୍କ ସେବାରେ ଲାଗିପାରିବେ ନାହିଁ ।

କେବଳ ଡାକ୍ତର ସାରଦା ପ୍ରସନ୍ନ ମିଶ୍ର ନୁହନ୍ତି, ଗୋଟିଏ ବିଜ୍ଞପ୍ତିରେ ବଲାଙ୍ଗିରର ଡାକ୍ତର ଅନନ୍ତରାମ ମେହେର, କଟକରର ଡାକ୍ତର ବେଣୁଧର ଶତପଥୀ ଓ ଡାକ୍ତର ପ୍ରଦ୍ୟୋତ କୁମାର ପଟ୍ଟନାୟକଙ୍କୁ ବି ପଦୋନ୍ନତି ଓ ଅବସର ମିଳିଛି । ଏଭଳି ବରିଷ୍ଠ ଡାକ୍ତରମାନଙ୍କୁ ଆଡିସନାଲ୍ ଡାଇରେକ୍ଟର ସ୍ତରକୁ ପଦୋନ୍ନତି ଦେବା ପାଇଁ ସେପ୍ଟେମ୍ବର ୨୬ ତାରିଖରେ ବିଭାଗୀୟ ପଦୋନ୍ନତି ବୈଠକ ବା ଡିପିସି ବସିଥିଲା । ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କାହିଁକି ଏତେ ବିଳମ୍ବ ହେଲା, ସେ ନେଇ ପ୍ରଶ୍ନ ଉଠୁଛି । ବର୍ଦ୍ଧିତ ସରକାରୀ ଦରମା ବା ପେନସନ୍ ପାଉଥିବା କର୍ମଚାରୀଙ୍କଠାରୁ ରାଜ୍ୟ ଯଦି ସେବା ନ ପାଇଲା, ତେବେ ଏଭଳି ପଦୋନ୍ନତି ଦେବାର ଅର୍ଥ କ’ଣ ବୋଲି ପ୍ରଶ୍ନ ଉଠୁଛି ।