ଆନ୍ଦୋଳନରୁ ଓହରିଲା ଘରୋଇ ହସପିଟାଲ୍ ସଂଘ : ଦାବି ପୂରଣ ପାଇଁ ସରକାରଙ୍କୁ ଦେଲା ମାସେ ମହଲତ

31

କନକ ବ୍ୟୁରୋ :  ଆସନ୍ତାକାଲିଠାରୁ ହେବାକୁ ଥିବା ଘରୋଇ କ୍ଲିନିକ ଓ ହସ୍ପିଟାଲ ସଂଘର ଧର୍ମଘଟ ଏକ ମାସ ପାଇଁ ସ୍ଥଗିତ ରହିଲା । ଘରୋଇ ହସ୍ପିଟାଲ୍ ଓ କ୍ଲିନିକ ଗୁଡ଼ିକ ଲାଇସେନ୍ସ ଦେବା ନେଇ ରହିଥିବା ସର୍ତକୁ କୋହଳ ଦାବି କରି ସେମାନେ ଏହି ଧର୍ମଘଟ ଡାକରା ଦେଇଥିଲେ ।

ଏନେଇ ସଂଘର କର୍ମକର୍ତାମାନେ ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଲୋଚନା କରିବା ପରେ ଏହି ନିଷ୍ପତି ନେଇଛି ସଂଘ । ଘରୋଇ କ୍ଲିନିକ୍ ଓ କ୍ଲିନିକ ଗୁଡ଼ିକୁ ଲାଇସେନ୍ସ ଦେବା ବେଳେ ରେଜିଷ୍ଟ୍ରେସନ୍ ଓ ରିନ୍ୟୁଆଲ୍ ପାଇଁ ଥିବା ସର୍ତଗୁଡ଼ିକୁ କୋହଳ ଓ ବାସ୍ତବବାଦୀ କରିବାକୁ ସେମାନେ ଦାବି କରିଛନ୍ତି ।

ସରକାର ଏପର୍ଯ୍ୟନ୍ତ ଫାୟାର ସେଫ୍ଟି ପାଇଁ ରହିଥିବା ୧୯୯୩ ମସିହାର ଆଇନ ପାଇଁ ନିୟମାବଳୀ କରିନଥିବାରୁ ଏହାକୁ ବାସ୍ତବବାଦୀ କରାଯିବା ଦରକାର ଓ ରୁଲ୍ ପ୍ରଣୟନ ପୂର୍ବରୁ ସେମାନଙ୍କର ମତାମତ ଗ୍ରହଣ କରାଯିବା ଉଚିତ ବୋଲି ସଂଘର କର୍ମକର୍ତା କହିଛନ୍ତି । ଅନ୍ୟପଟରେ ସେମାନେ ଦୁଇ ବର୍ଷରେ ଥରେ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରୁଥିଲେ ସୁଦ୍ଧା ସରକାରୀ ସ୍ତରରୁ ଲାଇସେନ୍ସ ମିଳିବାରେ ବିଳମ୍ବ ହେଲେ ଏହାକୁ ଡିମ୍ଡ୍ ରିନ୍ୟୁଡ୍ ବା ନବୀକରଣ ହୋଇଯାଇଛି ବୋଲି ଧରିନେବାକୁ ସେମାନେ ଦାବି କରିଛନ୍ତି ।