ପ୍ରଥମ ଟେଷ୍ଟରେ ଶ’ଙ୍କ ଶାନଦାର ଶତକ । ଭାଙ୍ଗିଲେ ରେକର୍ଡ ପରେ ରେକର୍ଡ, ସଚିନଙ୍କ ପରେ ଦ୍ୱିତୀୟ କନିଷ୍ଠ ଭାରତୀୟ ଖେଳାଳି ଭାବେ ମାରିଲେ ସେଞ୍ଚୁରୀ

61

କନକ ବ୍ୟୁରୋ : ପଦାର୍ପଣ ଟେଷ୍ଟରେ ଶତକ ହାସଲ କରି ରେକର୍ଡ କରିଛନ୍ତି ପୃଥ୍ୱୀ ଶ । ରାଜକୋଟରେ ଚାଲିଥିବା ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟରେ ଶତକ ହାସଲ କରି ଦଳକୁ ଜବରଦସ୍ତ ଆରମ୍ଭ ଦେଇଛନ୍ତି ପୃଥ୍ୱୀ । ଦମଦାର ବ୍ୟାଟିଂ ଜାରି ରଖି ୯୯ ବଲରେ ଶତକ ହାସଲ କରିଛନ୍ତି ପୃଥ୍ୱୀ । ମାତ୍ର ୧୮ ବର୍ଷ ୩୨୯ ଦିନ ବୟସରେ ଏହି କୀର୍ତିମାନ ହାସଲ କରିଛନ୍ତି ଭାରତୀୟ କ୍ରିକେଟର ଉଦୀୟମାନ ତାରକା ।

ରାଜକୋଟ ଟେଷ୍ଟରେ ପୃଥ୍ୱୀ ଶ’ଙ୍କ ଶାନଦାର ଶତକ । ଜବରଦସ୍ତ ଇନିଂସ ଖେଳିଲେ ପୃଥ୍ୱୀ । ଟସ ଜିତି କ୍ୟାପଟେନ ବିରାଟ କୋହଲି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ହେଲେ ଓପନିଂ ଏତେଟା ଦମଦାର ହୋଇପାରିନଥିଲା । ଖାତା ନଖୋଲି ପାଭିଲିଅନ ଫେରିଥିଲେ କେଏଲ ରାହୁଲ । ତାପରେ କମାଲ ଦେଖାଇଥିଲେ ଜୀବନର ପ୍ରଥମ ଟେଷ୍ଟ ଖେଳୁଥିବା ପୃଥ୍ୱୀ ଶ । ଚେତେଶ୍ୱର ପୂଜାରାଙ୍କ ସହ ମିଶି ଇନିଂସ ସମ୍ଭାଳି ନେଇଥିଲେ । ୱେଷ୍ଟଇଣ୍ଡିଜ ବୋଲର ପ୍ରଭାବିତ କରିପାରିନଥିଲେ ଶଙ୍କୁ । ଆଉ ରେକର୍ଡ ପରେ ରେକର୍ଡ କରିଚାଲିଲେ ଶ’ । ୧୩୪ ରନର ଦମଦାର ଇନିଂସରେ ଆକର୍ଷଣୀୟ ୧୯ଟି ଚୌକା ରହିଥିଲା ।


• ଏତେ କମ ବୟସରେ ସେଂଚୁରୀ ହାସଲ କରିବାରେ ଶ’ ହେଉଛନ୍ତି ବିଶ୍ୱର ଚତୁର୍ଥ ଖେଳାଳି ଏବଂ ଭାରତର ଦ୍ୱିତୀୟ ଖେଳାଳି । ଶ’ ଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ପ୍ରଥମେ ସେଂଚୁରୀ କରିଥିଲେ । ୧୮ବର୍ଷ ୩୨୯ଦିନ ବୟସରେ ଶ’ ଶତକ କରିଥିବା ବେଳେ ସଚିନ ୧୭ବର୍ଷ ୧୧୨ଦିନରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଶତକ ବନେଇଥିଲୋ
• ଡେବ୍ୟୁ ଟେଷ୍ଟରେ ସବୁଠୁ କମ ବଲରେ ଶତକ ଲଗାଇବାରେ ଶ’ ତୃତୀୟ ନମ୍ବରରେ ରହିଛନ୍ତି । ଶିଖର ଧବନ ୮୫ବଲ ଡ୍ୱେନ ସ୍ମିଥ ୯୩ ଆଉ ଶ’ ୯୯ବଲରେ ଏହି ସେଂଚୁରୀ ହାସଲ କରିଥିଲେ ।
• ଏଥିସହ ଡେବ୍ୟୁ ଟେଷ୍ଟରେ ସେଞ୍ଚୁରୀ ମାରିବାରେ ଶ’ ହେଉଛନ୍ତି ଭାରତର ସବୁଠାରୁ କମ ବୟସର ବ୍ୟାଟସମ୍ୟାନ ।