ବିଜେପି ଉପରେ ରାଗି କଂଗ୍ରେସ ଭବନରେ ପହଞ୍ଚିଲେ ‘ଡୁପ୍ଲିକେଟ ମୋଦି’ ! କହିଲେ, ରାହୁଲ ଗାନ୍ଧୀଙ୍କ ସହ ଭେଟ କରାଅ, ମୋଦି ସରକାର ବିରୋଧରେ ୨୦୧୯ରେ ପ୍ରଚାର କରିବି

31

ବୁଧବାର ଦିନ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟର ମୁଖ୍ୟ ଅଟ୍ଟାଳିକା ଆଡ଼କୁ ଚାଲି ଚାଲି ଆସୁଥିବା ଦେଖି କଂଗ୍ରେସ କର୍ମୀମାନେ କ୍ଷଣିକ ପାଇଁ କାବା ହୋଇଯାଇଥିଲେ। କିନ୍ତୁ, ଖୁବ୍ ଶୀଘ୍ର ସେମାନେ ବୁଝି ପାରିଲେ ଯେ ପ୍ରଧାନମନ୍ତ୍ରୀ କଦାପି ଚାଲି ଚାଲି ଆସି ନ ଥିବେ। ସେ ମୋଦିଙ୍କ ପରି ଦିଶୁଥିବା ଅନ୍ୟ କେହି। ଏ କଥା ଜାଣିବା ପରେ ତୁରନ୍ତ ଜଣେ କଂଗ୍ରେସ କର୍ମୀ ତାଙ୍କ ପାଖକୁ ଯାଇ ପଚାରିଲେ, ମୋ ଆକାଉଣ୍ଟ୍କୁ ୧୫ ଲକ୍ଷ ଟଙ୍କା କେବେ ଆସିବ? ଏ କଥା ପଚାରିବାର କାରଣ ହେଲା- ପ୍ରଧାନମନ୍ତ୍ରୀ ମୋଦି ସବୁବେଳେ କହୁଥିଲେ କଳା ଟଙ୍କା ଫେରି ଆସିଲେ ସମସ୍ତଙ୍କ ଆକାଉଣ୍ଟ୍ରେ ୧୫ ଲକ୍ଷ ଲେଖାଏଁ ଟଙ୍କା ଜମା ହୋଇଯିବ।

କିନ୍ତୁ. ମୋଦିଙ୍କ ପରି ଦିଶୁଥିବା ଅଭିନନ୍ଦନ ପାଠକ ଥିଲେ ସ୍ଥିରଚିତ୍ତ। ୟୁପିସିସି ଅଧ୍ୟକ୍ଷ ରାଜ ବବରଙ୍କୁ ବୁଧବାର ଦିନ ଭେଟି ସେ କହିଲେ, ଏ ଭଳି ପ୍ରଶ୍ନ ମତେ କଂଗ୍ରେସ ପାର୍ଟିକୁ ଆସିବାକୁ ବାଧ୍ୟ କରିଛି। ୨୦୧୯ ନିର୍ବାଚନ ନିମନ୍ତେ ମୁଁ ବିଜେପି ବିରୋଧରେ ପ୍ରଚାର ଅଭିଯାନ ଚଳାଇବାକୁ ଚାହେଁ।ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେହେରା ସହ ଅବିକଳ ମେଳ ଖାଉଥିବା ପାଠକଙ୍କ ଚେହେରାକୁ ବିଜେପି ବହୁବାର କାମରେ ଲଗାଇଛି। ୨୦୧୫ ଦିଲ୍ଲୀ ନିର୍ବାଚନ ଏବଂ ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନ ସମୟରେ ସହରଣପୁର ନିବାସୀ ପାଠକ ମୋଦିଙ୍କ କେତେଗୁଡ଼ିଏ ରାଲିରେ ଆକର୍ଷଣର ମୁଖ୍ୟ ହୋଇଥିଲେ। ସେ ୧୯୯୯ରେ ଲୋକସଭା ନିର୍ବାଚନ ଏବଂ ୨୦୧୨ରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହାଛଡ଼ା ସେ ଦୁଇ ଥର ସହରଣପୁରର କର୍ପୋରେଟର୍ ମଧ୍ୟ ହୋଇଛନ୍ତି।

ବାସ୍ତବରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରେ। ସେ ମୋତେ ଭେଟି ହାର୍ଦ୍ଦିକ ଆଲିଙ୍ଗନ କରିଛନ୍ତି। କିନ୍ତୁ କଥା ରଖିବାରେ ତାଙ୍କ ସରକାର ବିଫଳ ହୋଇଛି। ତେଣୁ, ମୁଁ ତାଙ୍କ ବିରୋଧରେ ପ୍ରଚାର କରିବାକୁ ସ୍ଥିର କରିଛି। ରାହୁଳଜୀଙ୍କ ସହ ମୋର ଭେଟ କରାଇ ଦେବାକୁ ୟୁପିସିସି ମୁଖ୍ୟଙ୍କୁ ମୁଁ ଅନୁରୋଧ କରିଛି। ଫଳରେ ମୁଁ ବିଜେପି ବିରୋଧରେ ପ୍ରଚାର କରିବା କଥା ତାଙ୍କୁ ଜଣାଇ ପାରନ୍ତି।

ପାଠକ କହିଛନ୍ତି, ଅଚ୍ଛେଦିନ ପାଇଁ ମୋଦି ସରକାରଙ୍କୁ ଲୋକମାନେ ବାଛିଥିଲେ । କିନ୍ତୁ ଏବେ ଏମିତି ପରିସ୍ଥିତି ହୋଇଛି ଯେ ଲୋକମାନଙ୍କର ମୋଦି ସରକାରଙ୍କ ଉପରୁ ବିଶ୍ୱାସ ଉଠିଯାଇଛି । ଲୋକମାନେ ଏତେ ଅସନ୍ତୁଷ୍ଟ ଅଛନ୍ତି ଯେ, ମୋତେ ଅପଶବ୍ଦ ପ୍ରୟୋଗ କରିବା ସହ ମାରିବାକୁ ମଧ୍ୟ ପଛାଉନାହାନ୍ତି । ସେ କହିଛନ୍ତି, ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ପାଇଁ ୫୦ରୁ ଅଧିକ ଚିଠି ଲେଖିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ । ତେଣୁ ସେ ମୋଦି ସରକାରଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି ।