ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ: କହିଲେ, ୭୫ତମ ସ୍ୱାଧିନତା ଦିବସରେ ଦେଶବାସୀ ଦେଖିବେ ନୂଆ ଭାରତ, କୃଷକଙ୍କ ଆୟ ହେବ ଦୁଇଗୁଣା

ଚଳିତ ନିର୍ବାଚନରେ ୬୧ କୋଟି ମତଦାତା ନିଜର ମତଦାନ ସାବ୍ୟସ୍ତ କରି ନିଜର ସରକାର ବାଛିଛନ୍ତି ।

231

କନକ ବ୍ୟୁରୋ: ସଂସଦ ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି । ଉଦବୋଧନ ଆରମ୍ଭରୁ ଲୋକସଭାର ବାଚସ୍ପତିଙ୍କ ସମେତ ସଂସଦର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ଚଳିତ ନିର୍ବାଚନରେ ୬୧ କୋଟି ମତଦାତା ନିଜର ମତଦାନ ସାବ୍ୟସ୍ତ କରି ନିଜର ସରକାର ବାଛିଛନ୍ତି । ପ୍ରଚଣ୍ଡ ଗରମ ସତ୍ୱେ ଭୋଟର ଲାଇନରେ ଛିଡ଼ା ହୋଇ ଦେଶର ଭବିଷ୍ୟତ ପାଇଁ ସରକାର ବାଛିଛନ୍ତି ତେଣୁ ସେମାନଙ୍କୁ ଅନେକ କୃତଜ୍ଞତା ଜଣାଉଛି ।

ଚଳିତ ନିର୍ବାଚନରେ ମହିଳାମାନେ ପୂର୍ବବର୍ଷ ଅପେକ୍ଷା ଅଧିକ ମାତ୍ରାରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଏଥର ସରକାର ବାଛିଛନ୍ତି ମହିଳା ଭୋଟର । ସେହିପରି ନୂଆ ଭାରତ ଗଢ଼ିବା ପାଇଁ ଚଳିତ ନିର୍ବାଚନରେ ଯୁବ ଭୋଟରମାନେ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରି ଏହି ସ୍ୱପ୍ନକୁ ସାକାର କରିବାରେ ଆଉ ଏକ ପାଦ ବଢ଼ାଇଛନ୍ତି । ବିଶ୍ୱର ସର୍ବ ବୃହତ ନିର୍ବାଚନରେ ଚଳିତ ଥର ସଂସଦକୁ ୭୮ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି । ଯାହା ଏକ ଐତିହାସିକ ଉପଲବ୍ଧି ।

ସେହିପରି ୨୦୨୨ରେ ଦେଶ ଯେତେବେଳେ ୭୫ତମ ସ୍ୱାଧିନତା ବର୍ଷ ପାଳନ କରିବ ସେବେ ସୁଦ୍ଧା ନୂଆ ଭାରତର ବିଭିନ୍ନ ଯୋଜନା ପୂରଣ କରିବା ଆମ ସରକାର ଲକ୍ଷ୍ୟ ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିଭଳି ୨୦୨୨ ସୁଦ୍ଧା ଦେଶର ସମସ୍ତ ଚାଷୀଙ୍କ ଆୟ ଦ୍ୱିଗୁଣା କରିବା ଦିଗରେ ସରକାର ପ୍ରତିଶ୍ରୁତି ବଦ୍ଧ । ଆଉ ୨୦୧୪ରୁ ଆରମ୍ଭ ହୋଇଥିବା ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସ ହିଁ ଆଗାମୀ ୨୦୨୨ ସୁଦ୍ଧା ନୂଆ ଭାରତର ନିର୍ମାଣରେ ସହାୟକ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ।

ଚଳିତ ଶତବ୍ଦୀରେ ଦେଶରେ ସବଠାରୁ ବଡ଼ ଚ୍ୟାଜେଞ୍ଜ ହେଉଛି ଜଳ ସମସ୍ୟା । ତେଣୁ ଗ୍ରାମୀଣ କ୍ଷେତ୍ରରେ କିଭଳି ଜଳ ସଙ୍କଟକୁ ଦୂର କରିହେବ ସେନେଇ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ପୁଣିଥରେ ଏକ ପୂର୍ଣ୍ଣବହୁମତ ସରକାର ବାଛିଛନ୍ତି ଜନତା । ଦେଶର ଅନେକ ଗରୀବ ଲୋକ ଆୟୁଷ୍ମାନ ଯୋଜନାରେ ଉପକୃତ ହେଉଛନ୍ତି । ପାଖାପାଖି ୨୬ ଲକ୍ଷ ଗରୀବ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ଯୋଜନାରେ ଉପକୃତ ହୋଇସାରିଲେଣି ।

ଦେଶରେ ମହିଳାମାନଙ୍କୁ ସମାନ ଅଧିକାର ଦେବା ପାଇଁ ତିନ୍‌ ତଲାକ୍‌ ଏବଂ ନିକା ହଲାଲା ଭଳି ପ୍ରଥା ଉଠାଯିବା ଜରୁରୀ। ଆମ ଭଉଣୀ ଓ ଝିଅମାନଙ୍କ ଜୀବନକୁ ସରସ କରିବା ପାଇଁ ସହଯୋଗ କରିବାକୁ ମୁଁ ସମସ୍ତ ସଦସ୍ୟଙ୍କୁ ନିବେଦନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତ।

ଜିଏସ୍‌ଟି ଲାଗୁ ହେବା ପରେ ‘ଏକ ଦେଶ, ଏକ ଟିକସ, ଏକ ବଜାର’ ନୀତି ବାସ୍ତବ ରୂପ ନେଇଛି। ଖୁବ୍‌ ଶୀଘ୍ର ଶିଳ୍ପନୀତି ଘୋଷଣା କରାଯିବ ଏବଂ ଜିଏସ୍‌ଟି ସରଳୀକରଣ ପାଇଁ ଉଦ୍ୟମ ଚାଲୁ ରହିବ। ୨୦୨୪ ସୁଦ୍ଧା ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଡଲାର୍‌ କରିବା ନିମନ୍ତେ ସରକାର ଲକ୍ଷ୍ୟ ରଖିଛନ୍ତି। ଭାରତୀୟ ବୈଜ୍ଞାନିକମାନେ ଚନ୍ଦ୍ରାୟନ-୨ ପାଇଁ ପ୍ରସ୍ତୁତି କରୁଛନ୍ତି। ମହାକାଶକୁ ପ୍ରଥମ ଭାରତୀୟ ପ୍ରେରଣ କରିବା ଲାଗି ଯୋରଦାର୍‌ କାର୍ଯ୍ୟ ଚାଲିଛି।

ସବୁଠାରୁ ବଡ଼ କଥା ହେଲା କି, ଚଳିତ ନିର୍ବାଚନରେ ସଂସଦକୁ ସମାଜର ବିଭିନ୍ନ କ୍ଷେତ୍ରର ବିଭିନ୍ନ ବ୍ୟକ୍ତି ବିଶେଷ ନିର୍ବାଚିତ ହୋଇଛନ୍ତି । କୀଡ଼ା, କଳା, କୃଷି, ମହିଳା କଲ୍ୟାଣ ବିକାଶ କ୍ଷେତ୍ରରେ ପ୍ରତିଶ୍ରୁତି ବଦ୍ଧ ଥିବା ବ୍ୟାକ୍ତି ଚଳିତ ସଂସଦରେ ସାମିଲ ହୋଇଛନ୍ତି । ତେଣୁ ଆଗାମୀ ୫ ବର୍ଷ ମଧ୍ୟରେ ଭାରତକୁ ଏକ ସଶକ୍ତ ଏବଂ ନୂଆ ଭାରତ ଭାବେ ଗଢ଼ି ତୋଳିବାରେ ସହାୟକ ହୋଇପାରିବ ସେନେଇ ସମସ୍ତ ସଂସଦର ସଦସ୍ୟ ପ୍ରତିଜ୍ଞା କରନ୍ତୁ ।