ଖାଲଖମା ରାସ୍ତାରେ ଆସିପାରିଲା ନାହିଁ ଆମ୍ବୁଲାନ୍ସ : ଖଟିଆରେ ଅଢେଇ କିଲୋମିଟର ବୁହା ହେଲେ ଗର୍ଭବତୀ,ହସ୍ପିଟାଲ ଯିବା ବାଟରେ ଜନ୍ମଦେଲେ ଶିଶୁପୁତ୍ର

36

କନକ ବ୍ୟୁରୋ : ଆସନ୍ନ ପ୍ରସବାଙ୍କ ପାଇଁ ଅଡୁଆ ହେଲା ରାସ୍ତା । ଗାଁକୁ ରାସ୍ତା ନଥିବାରୁ ଠିକାଣା ସମୟରେ ଘର ପାଖରେ ପହଂଚି ପାରିଲାନାହିଁ ଆମ୍ବୁଲାନ୍ସ । ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ଅଢେଇ କିଲୋମିଟର ରାସ୍ତା ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ ପରିବାର ଲୋକ । ଆଉ ଆମ୍ବୁଲାନ୍ସରେ ଡାକ୍ତରଖାନା ଯିବା ବାଟରେ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ତେଲାରୀ ଗାଁର ଦସାଇ ସାନ୍ତା । ବର୍ଷା ଯୋଗୁ ତେଲାରୀ ଗାଁର ରାସ୍ତା ମାଟିକାଦୁଅ ଯୋଗୁଁ ଗମନାଗମନ ପାଇଁ ଅସୁବିଧା ହେଉଛି ।

ତେଣୁ ୧୦୨ ଆମ୍ବୁଲାନ୍ସ ତେଲାରୀ ଗାଁକୁ ନଯାଇ ଅଢେଇ କିଲୋମିଟର ଦୂର ମାଲଗେଡା ଗାଁ ପାଖରେ ଅଟକି ରହିଥିଲା । ତେଣୁ ଦସାଇଙ୍କ ପରିବାର ଲୋକ ତାଙ୍କୁ ଖଟିଆରେ ବସାଇ ଆମ୍ବୁଲାନ୍ସ ଯାଏଁ ଆଣିଥିଲେ । ସେଠାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବାଟରେ ସେ ଶିଶୁ ପୁତ୍ରଟିଏ ଜନ୍ମ ଦେଇଛନ୍ତି । ପରେ ଉଭୟ ମା ଓ ନବଜାତକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ରାୟଗଡା ଜିଲ୍ଲା ଉପାନ୍ତ ଅଞ୍ଚଳର କଲ୍ୟାଣସିଂହପୁର ଲଣ୍ଡାବାଲ ଗ୍ରାମରେ ଏପରି ଏକ ଘଟଣା ଘଟିଥିଲା । ଗାଁ ର ଜଣେ ମହିଳାଙ୍କ ଦେହ ହଠାତ ଖରାପ ହେବା କାରଣରୁ ତାଙ୍କ ସମ୍ପର୍କୀୟମାନେ ସରକାରଙ୍କ ପକ୍ଷରୁ ଉପଲବ୍ଧ ହେଉଥିବା ମାଗଣା ଆମ୍ବୁଲାନ୍ସ ୧୦୮ କୁ ଫୋନ କରିଥିଲେ । ତେବେ ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ନିକଟ ସମ୍ପର୍କୀୟ ଓ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ମହିଳାଙ୍କୁ ଏକ ଲୁଗାରେ ବାଉଁଶ ଦେଇ ବୋହିକି ମେଡ଼ିକାଲ ନେଇଥିଲେ ।