ପ୍ଲାଷ୍ଟିକ ଫେରାନ୍ତୁ,ଟଙ୍କା ପାଆନ୍ତୁ । ଜାଣନ୍ତୁ, କଣ କଣ ଫେରାଇଲେ ଆପଣଙ୍କୁ ସରକାର ଦେବେ ଟଙ୍କା

123

କନକ ବ୍ୟୁରୋ : ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ଓଡିଶା ପାଇଁ ଆରମ୍ଭ ହେବ ଅଭିଯାନ । ଏନେଇ ଜୁଲାଇ ୧୦ ତାରିଖରେ ଏକ ବଡ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏସବୁ ଭିତରେ ଓଡିଶାରେ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାକୁ ଆଉ ଏକ ପାଦ ଆଗେଇଛନ୍ତି ରାଜ୍ୟ ସରକାର । ଏଣିକି ପ୍ଲାଷ୍ଟିକ ବଦଳରେ ମିଳିବ ଟଙ୍କା । ସଚିବାଳୟରେ ବସିଥିବା ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଖାସକରି ଓମଫେଡ ଜରି, ପାଣି ବୋତଲ ଫେରାଇଲେ ଏଣିକି ମିଳିବ ଟଙ୍କା । ଏଜେଣ୍ଟକ ଜରିଆରେ ଏହି ପ୍ଲାଷ୍ଟିକ ବୋତଲ ଓ ଜରି ସଂଗ୍ରହ କରାଯିବ । ଏପରିକି ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଉପରେ ଗ୍ରାହକଙ୍କ ଠାରୁ ପୁଣିଥରେ ଜରି ଯୋଗାଡ କରିବାର ଦାୟିତ୍ୱ ରହିବ । ଏହାସହ ଆଗାମୀ ୧୫ ଦିନ ମଧ୍ୟରେ ପ୍ଲାଷ୍ଟିକ ବ୍ୟାନ ନେଇ ଏକ ନୋଟିଫିକେସନ ଜାରି କରାଯିବ । ଯେଉଁଥିରେ ପ୍ଲାଷ୍ଟିକ ବ୍ୟାନ ସର୍ମ୍ପର୍କିତ ସମସ୍ତ ତଥ୍ୟ ଓ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉଲ୍ଲେଖ ରହିବ । ଆଉ ଏହି ସମୟ ମଧ୍ୟରେ ଜନସାଧାରଣଙ୍କ ମତାମତ ମଧ୍ୟ ନିଆଯିବ । ଆଉ ସବୁଠୁ ବଡ କଥା ହେଲା, ସେପ୍ଟେମ୍ବର ୧୫ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ ନିଷିଦ୍ଧ ନେଇ ନିୟମ ଆସିବ ।

Plastic ban in odishaଗାନ୍ଧୀ ଜୟନ୍ତୀରୁ ଓଡିଶାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହେବ । ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକର ଭୟାବହତା ଉପରେ ସତର୍କ କରାଇ ଆଗାମୀ ୨ ବର୍ଷରେ ଓଡିଶାକୁ ସଂପୂର୍ଣ୍ଣ ଫ୍ଲାଷ୍ଟିକ ମୁକ୍ତ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପୁନଃ ପ୍ରକ୍ରିୟାକୃତ ପ୍ଲାଷ୍ଟିକ ସାମଗ୍ରୀକୁ ବାଦ ଦେଇ ବାକି ସମସ୍ତ ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ବ୍ୟାନ ହେବାକୁ ଯାଉଛି । ୨ ଗ୍ରାମ ଓଜନ ଓ ୫୦ ମାଇକ୍ରୋନରୁ ଅଧିକ ପ୍ଲାଷ୍ଟିକ ସାମଗ୍ରୀକୁ ପୁନଃ ପ୍ରକ୍ରିୟାକରଣ କରାଯାଇ ପାରୁଥିବାରୁ ଏହାକୁ ବାଦ ଦିଆଯିବ । ମିଳିଥିବା ସୂଚନା ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ ସଂକ୍ରାନ୍ତରେ ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରି ଜଙ୍ଗଲ ଓ ପରିବେଶ ବିଭାଗକୁ ଦେଇସାରିଛି ।

ବ୍ୟାନ୍ ହେବ ନାହିଁ :
୨ ଶହ ମିଲିଲିଟର ଓ ତାଠୁ ଅଧିକ କ୍ଷମତା ବିଶିଷ୍ଟ ପାଣି ବୋତଲ ବ୍ୟାନ ହେବନାହିଁ । ବରଂ ଖାଲି ବୋତଲ ଫେରାଇଲେ ବ୍ୟବହାରକାରୀଙ୍କୁ ସେ ବାବଦରେ ଟଙ୍କା ମିଳିବ । ଅର୍ଥାତ ବାଏ ବ୍ୟାକ ନୀତି ଲାଗୁ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । କୌଣସି ଗ୍ରାହକ ପାଣି ପିଇବା ପରେ ଦୋକାନୀଙ୍କୁ ବୋତଲ ଫେରାଇଲେ ମିଳିବ ପଇସା । ୫୦ ମାଇକ୍ରୋନରୁ ଅଧିକ ଓ ୨୦% ପୁନଃ ବ୍ୟବହାରକ୍ଷମ ପ୍ଲାଷ୍ଟିକ କଟକଣାମୁକ୍ତ ରହିବ ।ଇଲେକଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଥର୍ମୋକୁଲ ଫେରସ୍ତ ହେବ । ୨ଗ୍ରାମ ଓଜନ ଓ ୫୦ ମାଇକ୍ରୋନ ମୋଟା ଖାଦ୍ୟ ପ୍ୟାକେଟକୁ ମଧ୍ୟ ବାଏ ବ୍ୟାକରେ ସାମିଲ କରାଯାଇପାରେ । ତେବେ ଏହିସବୁ ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ପୁନଃ ପ୍ରକ୍ରିୟାକରଣ ପରେ ପୁଣିଥରେ ବ୍ୟବହାର ଉପଯୋଗୀ ହୋଇପାରିବ । ତେଣୁ କେଉଁସବୁ ସାମଗ୍ରୀ ଏହି ତାଲିକାରେ ଆସିବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ତାହା ସ୍ଥିର କରାଯିବ ।

ବ୍ୟାନ୍ ହେବ :
ପିଇବା ପାଣି ପାଉଚକୁ ବ୍ୟାନ କରିବା ପାଇଁ ନିଷ୍ପତି ନେଇ ପାରନ୍ତି ସରକାର । ୨୦୦ ମିଲିମିଟରରୁ କମ୍ ପାଣି ବୋତଲ ଓ ପଲିଥିନ୍ ବ୍ୟାଗ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯିବ । କାରଣ ଏହାଦ୍ୱାରା ଅଧିକ ମାତ୍ରାରେ ପ୍ରଦୂଷଣ ସୃଷ୍ଟି ହେଉଛି । ଏହାଛଡା ଡିସ୍ପୋଜେବଲ ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ବାଉଲ ଓ ଚାମଚକୁ ବ୍ୟାନ କରାଯିବ । ହୋଟେଲରେ ଖାଦ୍ୟ ପ୍ୟାକିଙ୍ଗ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଡିସ୍ ଓ ମୃଦୁ ପାନୀୟରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟ୍ର କୁ ମଧ୍ୟ ବ୍ୟାନ କରିପାରନ୍ତି ସରକାର । ମହାରାଷ୍ଟ୍ରରେ ବ୍ୟାନ ହୋଇଥିବା ପ୍ଲାଷ୍ଟିକ ସାମଗ୍ରୀ ଆଧାରରେ ଏଭଳି ଏକ ତାଲିକା ପ୍ରସ୍ତୁତ କରୁଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଓ ପୁରୀ ଜିଲ୍ଲାରେ ପ୍ଲାଷ୍ଟିକ ବ୍ୟାନ କରିବାକୁ ଘୋଷଣା କରିଛନ୍ତି ସରକାର । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ପ୍ଲାଷ୍ଟିକ ବ୍ୟାନ କରାଯିବ । ଆଉ ସରକାରଙ୍କ ଏହି ପ୍ରୟାସ ବଳରେ ପୂରା ରାଜ୍ୟ ହେବ ପ୍ଲାଷ୍ଟିକ ମୁକ୍ତ । ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ପରେ ତୃତୀୟ ରାଜ୍ୟ ଭାବେ ପ୍ଲାଷ୍ଟିକ ବ୍ୟାନ କରିବାକୁ ନିଷ୍ପତି ନେଇଛନ୍ତି ସରକାର ।