ପିଠା କାର୍ଯ୍ୟକ୍ରମ ପୋଷ୍ଟରରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ଫଟୋ ! ବିଜେଡିରେ ମିଶିବା ନେଇ ଚାଲିଛି ଚର୍ଚ୍ଚା

374

କନକ ବ୍ୟୁରୋ : ପିଠା କାର୍ଯ୍ୟକ୍ରମର ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଂଗ୍ରେସ ବିଧାୟକଙ୍କ ଫଟୋ । ଏଭଳି ପୋଷ୍ଟର ଦେଖିବାକୁ ମିଳିଛି ସାଲେପୁର ନିର୍ବାଚନମଣ୍ଡଳୀର ଚମ୍ପତିରେ । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ । ଆଉ ସାଲେପୁର ନିର୍ବାଚନମଣ୍ଡଳୀରେ ପିଠା କାର୍ଯ୍ୟକ୍ରମ ପୋଷ୍ଟରରେ ନବୀନଙ୍କ ସହ ବିଧାୟକ ପ୍ରକାଶ ବେହେରାଙ୍କ ଫଟୋ ଦେଖିବାକୁ ମିଳିଛି ।

ଦୀର୍ଘଦିନ ଧରି ନିଜ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ପ୍ରକାଶ ବେହେରା । ଏପରିକି ସେ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ବି ଚାଲିଛି । କିଛି ଦିନ ତଳେ ସାଲେପୁରରେ ଚମ୍ପତିରେ ଏହି ପୋଷ୍ଟର ଲାଗିଥିଲା । ଏ ନେଇ ଆମେ ପ୍ରକାଶ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ କହିଛନ୍ତି, ପୋଷ୍ଟର ସେ ନିଜେ ଲଗାଇନାହାନ୍ତି, କେହି ସମର୍ଥକ ଲଗାଇଥାଇପାରନ୍ତି ।

ସୂଚନାଯୋଗ୍ୟ ଗତ ୨୯ ତାରିଖରେ ପଦଯାତ୍ରାରେ ଏହାର ଝଲକ ଦେଖିବାକୁ ମିଳିଥିଲା । ବିନା ଦଳୀୟ ପତାକାରେ ଏକ ବିରାଟ ପଦଯାତ୍ରା କାର‌୍ୟ୍ୟକ୍ରମ କରିଥିଲେ ସାଲେପୁର ବିଧାୟକ । ପଦଯାତ୍ରା ମାଧ୍ୟମରେ ଲୋକପ୍ରିୟତାକୁ ଦଳୀୟ ବ୍ରାଣ୍ଡ ଅପେକ୍ଷା ନିଜର ବ୍ରାଣ୍ଡ ଭାଲ୍ୟୁ ଅଧିକ ବୋଲି ପରୋକ୍ଷରେ କହିଥିଲେ ପ୍ରକାଶ । ତେବେ ନିକଟରେ ଦେଖିବାକୁ ମିଳିଥିବା ପୋଷ୍ଟରରୁ ମିଶ୍ରଣ ରାଜନୀତିର ଗନ୍ଧ ବାରି ହେଉଛି । ତେବେ ଏବେ ବି ସିଧାସଳଖ କିଛି କହିବା ପାଇଁ ନାରାଜ ସାଲେପୁର ବିଧାୟକ ।

ଗୋଟିଏ ପଟେ କଂଗ୍ରେସ ସମସ୍ତ ବିଧାୟକଙ୍କ ଟିକେଟ ମିଳିବା ନେଇ ଘୋଷଣା କରିଥିବା ବେଳେ ପ୍ରକାଶ ବେହେରା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଅଥାର୍ତ କଂଗ୍ରେସ ଟିକେଟରୁ ପ୍ରକାଶ ବେହେରା ଏକରକମ ଲଢିବା ସ୍ଥିର ହୋଇଯାଇଥିବା ବେଳେ ପ୍ରକାଶ କିନ୍ତୁ କେଉଁଠୁ ଲଢ଼ିବେ ସେନେଇ କିଛି ସ୍ପଷ୍ଟ କରିନଥିଲେ । ସେନେଇ ରାଜ୍ୟ ରାଜନୀତରେ ସସପେନ୍ସ ବଢ଼ିବାରେ ଲାଗିଥିଲା । ଏପରିସ୍ଥଳେ ନବୀନ ପଟ୍ଟନାୟକଙ୍କ ସହ ପ୍ରକାଶ ବେହେରାଙ୍କ ଫଟୋ ସ୍ପଷ୍ଟଭାବେ ଆଗାମୀ ମିଶ୍ରଣର ସଙ୍କେତ ଦେଉଛି ।