ମୟୁରଭଂଜ କୃଷ୍ଣଚନ୍ଦ୍ରପୁରର ଆଉ ଜଣେ ରେବତୀ : ଉଚ୍ଚ ଶିକ୍ଷିତା ହେବାରୁ ଗାଁରୁ କରାଗଲା ବାସନ୍ଦ

87

କନକ ବ୍ୟୁରୋ : ଲୋ ରେବ, ଲୋ ଚୁଲି, ଲୋ ପାଠ । ଫକୀରମୋହନ ସେନାପତିଙ୍କ ରେବତୀ ଗପର ଏ କଥା ବୟାନ କରୁଥିଲା ଝିଅଙ୍କ ପାଠ ପଢାକୁ କେମିତି ଦେଢ଼ ଶହ ବର୍ଷ ତଳେ ଗ୍ରହଣ କରିପାରୁନଥିଲା ଆମ ସମାଜ । ହେଲେ ସମୟ ବଦଳିବା ସହ ସମାଜର ମାନସିକତାରେ ବି ପରିବର୍ତ୍ତନ ଆସିଛି ବୋଲି ଆମେ ଭାବି ନେଇଛେ । କିନ୍ତୁ ଏକଥା ସବୁଠି ସବୁବେଳେ ସତ ନୁହେଁ । କାରଣ ଏବେବି ଏମିତି ଝିଅ ବୋହୁ ଅଛନ୍ତି, ଯେଉଁମାନେ ପାଠ ପଢିବା ପାଇଁ ଗଲେ ସେମାନଙ୍କୁ ଗାଁରେ ବାସନ୍ଦ ହେବାକୁ ପଡେ, ଗାଁରୁ ବାହାରି ଯିବାପାଇଁ ନିର୍ଦ୍ଦେଶ ମିଳେ ।

ସୁବାସିନୀ ସିଂ । ମୟୁରଭଂଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଗାଁର ବୋହୂ । ନିଜେ ଇଂଜିନିୟରିଂରେ ଡିପ୍ଲୋମା କରୁଥିବା ବେଳେ ତାଙ୍କ ସ୍ୱାମୀ ଦଶମ ଯାଏଁ ପାଠ ପଢିଛନ୍ତି । ସୁବାସିନୀ ହେଉଛନ୍ତି କୃଷ୍ଣଚନ୍ଦ୍ରପୁର ଗାଁର ସବୁଠାରୁ ଉଚ୍ଚ ଶିକ୍ଷିତା । ଗାଁର ଅନ୍ୟ ମହିଳାଙ୍କ ପରି ବିଲ ବାଡିରେ କାମ ନକରି ସବୁଦିନ କଲେଜ ଯା’ନ୍ତି । ତା ପୁଣି ସ୍କୁଟର ଚଲାଇ । ବାସ୍ ଏ କଥା ଗାଁର ଅନ୍ୟମାନଙ୍କ ଦେହରେ ଯାଇନି । ପ୍ରଜାକୋର୍ଟ କରି ତାଙ୍କ ହାତରୁ ଶଂଙ୍ଖା ଚୁଡି କାଢ଼ି ମଥାରୁ ସିନ୍ଦୂର ପୋଛି ଗାଁରୁ ବାହାର କରିଦିଆଯାଇଛି ।

ବିଡମ୍ବନାର କଥା ପ୍ରଜାକୋର୍ଟରେ ସରପଂଚ, ୱାର୍ଡମେମ୍ବର ଓ ଗାଁ ମୁରବୀ ନେଇଛନ୍ତି ଏମିତି କିଛି ନିଷ୍ପତ୍ତି । ଅନ୍ୟାୟ ନିଷ୍ପତ୍ତି ବିରୋଧରେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ସୁବାସିନୀ ସିଂ । ପୁଲିସ ତଦନ୍ତ ଆରମ୍ଭ ହୋଇଛି । ହେଲେ ସରପଂଚଙ୍କ କହିବା କଥା ବକେୟା ବିଜୁଳି ବିଲକୁ ନେଇ ସୁବାସିନୀଙ୍କ ଘର ଆଗରେ ହୋହାଲ୍ଲା କରିଥିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ବିରୋଧ କରୁଥିବାରୁ ପ୍ରଜାକୋର୍ଟରେ ଜୀବନରୁ ମାରିଦେବାର ଧମକ ଦିଆଯାଉଥିବାର ଅଭିଯୋଗ କରିଛନ୍ତି ସୁବାସିନୀ । ଘରେ ତାଲା ଝୁଲୁଥିବା ବେଳେ ଗାଁରୁ ଆସିପାରୁନାହାନ୍ତି ଏହି ପରିବାର ।