କୃଷି ଋଣ ଛାଡ ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର : କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ, ବିଭନ୍ନ ସ୍ତରରେ ଚାଲିଛି ବିଚାର ବିମର୍ଷ

28

କନକ ବ୍ୟୁରୋ : ଓଡିଶାରେ କୃଷି ଋଣ ଛାଡ କରିପାରନ୍ତି ରାଜ୍ୟ ସରକାର । କୃଷି ଋଣ ଛାଡ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥିି କହିଛନ୍ତି, ରାଜ୍ୟ ସରକାର କୃଷି ଋଣ ଛାଡ କରିବାକୁ ବିଚାର ବିମର୍ଷ କରୁଛନ୍ତି । କୃଷକଙ୍କ ଯେତେ ସବୁ ବିକାଶ ହେବ ସବୁ ତାଙ୍କ ସରକାର କରିବେ । କୃଷକଙ୍କ ହିତ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଦୀର୍ଘ ଦିନ ହେବ ଓଡିଶାରେ କୃଷି ଋଣ ଛାଡ କରିବାକୁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଛି । ଅନ୍ୟପଟେ ଗତକାଲି କର୍ଣ୍ଣାଟକ ସରକାର କୃଷି ଋଣ ଛାଡ କରିଥିଲେ । ୨ଲକ୍ଷରୁ କମ୍ କୃଷି ଋଣ ଥିବା ଚାଷୀଙ୍କର ଋଣ ଛାଡ କରିବାକୁ ବଜେଟରେ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ସେହିପରି ପୂର୍ବରୁ ମହାରାଷ୍ଟ୍ର, ଉତରପ୍ରଦେଶରେ କୃଷି ଋଣ ଛାଡ କରିଥିଲେ ରାଜ୍ୟ ସରକାର ।

ସୂଚନାଯୋଗ୍ୟ କେନ୍ଦ୍ର ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ଗତକାଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ଓଡ଼ିଶାର ଲକ୍ଷଲକ୍ଷ ଚାଷୀଙ୍କୁ ମୋଦି ପ୍ରତାରିତ କରିଥିବା ସେ କହିଥିଲେ । ବିଧାନସଭାରେ ଦଳମତ ନିର୍ବିଶେଷରେ ଧାନ କୁଇଂଟାଲ୍ ପିଛା ୨୩୪୪ ଟଙ୍କା ଖର୍ଚ୍ଚ ହେଉଥିବା ସମସ୍ତେ ସ୍ୱୀକାର କରିଥିବା ବେଳେ କୁଇଂଟାଲ୍ ପିଛା ୧୧୬୬ ଟଙ୍କା ଖର୍ଚ୍ଚ ହେଉଥିବା କେନ୍ଦ୍ର କେଉଁଠୁ ତଥ୍ୟ ପାଇଲା ବୋଲି ମହାରଥୀ ଗତକାଲି ପ୍ରଶ୍ନ କରିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଏହି ହିସାବ ବୁଝିନପାରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ ।