ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଦୀପ ମହାରଥୀ ! ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି କହିଲେ ପିପିଲି ବିଧାୟକ
କନକ ବ୍ୟୁରୋ : ନିର୍ବାଚନ ଲଢ଼ିବେ ପ୍ରଦୀପ ମହାରଥୀ । ଟିକେଟ୍ ପାଇଁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ନବୀନ ନିବାସରେ ବିଜେଡ଼ି ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ଏଥର ନିର୍ବାଚନ ଲଢ଼ିବି ବୋଲି ସ୍ପଷ୍ଟ କରିଛନ୍ତି ପ୍ରଦୀପ ମହାରଥୀ । ଏଥର ନିଶ୍ଚିତ ଭାବେ ନିର୍ବାଚନ ଲଢ଼ିବି ଏବଂ ମୁଁ ନିର୍ବାଚନ ପାଇଁ ପୁରା ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଦୀପ ମହାରଥୀ । ହେଲେ ଦଳର ମୁଖିଆ ଯାହା ନିଷ୍ପତି ନେବେ ତାକୁ ମାନିବି ବୋଲି କହିଛନ୍ତି ପ୍ରଦୀପ । ତେବେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ ଚୁପ ରହିଛନ୍ତି ମହାରଥୀ । ସୂଚନାଯୋଗ୍ୟ ଗତ ଜାନୁୟାରୀ ମାସରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପ୍ରଦୀପ ମହାରଥୀ । ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିବା ପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ନିର୍ବାଚନ ପାଇଁ ବିଜେଡିରେ ବଢୁଛି ଆଶାୟୀଙ୍କ ଭିଡ । ଆଜି ମଧ୍ୟ ନବୀନ ନିବାସ ଆଗରେ ଦେଖିବାକୁ ମିଳିଛି ଆଶାୟୀଙ୍କ ପ୍ରବଳ ଭିଡ । ହାତରେ ବାୟୋଡାଟା ଧରି ନବୀନ ନିବାସରେ ନେତାଙ୍କ ଲମ୍ୱା ଲାଇନ୍ ଲାଗିଛି । ବିଧାନସଭା ଓ ଲୋକସଭାକୁ ମିଶାଇ ମୋଟ୍ ୧୬୮ଟି ଆସନ ପାଇଁ ଗତ ୪ଦିନ ମଧ୍ୟରେ ପଡିସାରିଲାଣି ୩୦ ହଜାରରୁ ଅଧିକ ଆବେଦନ । ଏହା ମଧ୍ୟରୁ କାହାକୁ ଟିକେଟ୍ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କାହାର ଟିକେଟ୍ ରହିବ, କାହାର ଟିକଟ୍ କଟିବ, ସେସବୁକୁ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । କହିବାକୁ ଗଲେ ଆଶାୟୀ ପ୍ରାର୍ଥୀ ଟିକେଟ୍ ପାଇବାକୁ ଆଶା ରଖିଥିବା ବେଳେ ଷ୍ଟାଣ୍ଡିଂ ବିଧାୟକ ଓ ସାଂସଦ ଏଥର ଟିକେଟ୍ ରହିବ ନା କଟିବ ତାକୁ ନେଇ ମଧ୍ୟ ସନ୍ଦେହରେ ଅଛନ୍ତି ।