ଦକ୍ଷିଣ ଦୁର୍ଗରୁ ରଣହୁଙ୍କାର । କ୍ଷମତା ରାଜନୀତିର ପ୍ରଥମ ଅଧ୍ୟାୟରେ ୨୦୧୪ର ନାୟକ ବିଜେଡି, ୨୦୧୯ରେ ଦୁର୍ଗ ଭେଦି ପାରିବ କି ବିରୋଧୀଙ୍କ ରଣନୀତି?

147

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯୁଦ୍ଧ ପାଇଁ ଚାଲିଛି କ୍ଷେତ୍ର ପ୍ରସ୍ତୁତି । ବିଭିନ୍ନ ଦଳ ପକ୍ଷରୁ ଯୋଦ୍ଧାଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ବିଜୟ ସମ୍ଭାବନାକୁ ୧୦୦ ପ୍ରତିଶତ କରିବାକୁ ଅନ୍ୟ ଶିବିରର ଯୋଦ୍ଧାଙ୍କୁ ପୋଚିଂ କରିବାର ସୁଯୋଗକୁ ହାତଛଡା କରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ । ଗୋଟିଏ ପଟେ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳଡିଆଁ ପର୍ବ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ଦଳପତିଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ବିଦ୍ରୋହୀ ପ୍ରାର୍ଥୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଗୋଟିଏ ମାସରୁ କମ ସମୟ ଥିଲେ ମଧ୍ୟ ରାଜ୍ୟରେ ଏଯାଏଁ କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ୨୦୧୯ରେ ନିଶ୍ଚିତ ବିଜୟ ଧ୍ୱଜା ଉଡାଇବା ପାଇଁ ସୁଚିନ୍ତିତ ରଣନୀତି ସହ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଛନ୍ତି ୩ ପ୍ରମୁଖ ଦଳ । ଚଳିତଥର ତିନି ଦଳ ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଆଉ ଦିନ କେଇଟା ପରେ ନିର୍ବାଚନ ବ୍ୟାଟଲଗ୍ରାଉଣ୍ଡରେ ମୁହାଁମୁହିଁ ହେବ ବିଭିନ୍ନ ଦଳର ସିପାହୀ । କ୍ଷମତା ରାଜନୀତି ପ୍ରଥମ ଅଧ୍ୟାୟ ଅଥାର୍ତ ଏପ୍ରିଲ ୧୧ରେ ରାଜ୍ୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ଘମାଘୋଟ ଲଢେଇ ।  ଗଡ ରକ୍ଷା ହେଉ ଅବା ଗଡ ଦଖଲ ପାଇଁ ଦକ୍ଷିଣରୁ ଆରମ୍ଭ ହେବ ମହାଲଢେଇ । ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ସହ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କିଏ ବାଜି ମାରିବ ତାହାକୁ ନେଇ ହେବ ଭୋଟ ଲଢେଇ । ଗତ ନିର୍ବାଚନରେ ଏହି ୪ଟି ଲୋକସଭା ଆସନରେ ବିଜେଡି ବିଜୟ ବାନା ଉଡାଇଥିବା ବେଳେ କଂଗ୍ରେସ ଓ ବିଜେପିକୁ ନିରାଶ ହେବାକୁ  ପଡିଥିଲା । କେବଳ ୪ଟି ଲୋକସଭା ନୁହେଁ ବରଂ ଏହା ଅଧିନରେ ଆସୁଥିବା ୨୮ଟି ବିଧାନସଭା ଆସନ ମଧ୍ୟରୁ ଏକାକୀ ବିଜେଡି ୨୦ଟି ଆସନରେ ସବୁଜ ବାନା ଉଡାଇଥିଲା । ସେହିଭଳି କଂଗ୍ରେସ ମାତ୍ର ୬ଟି ଆସନରେ ହାତ ଟେକିଥିବା ବେଳେ ବିଜେପି ମାତ୍ର ୨ଟି ଆସନରେ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇଥିଲା ।

୨୦୧୪ରୁ ୨୦୧୯ । ସମୟ ବଦଳିବା ସହ ଏହି ଆସନ ଗୁଡିକରେ ବଦଳିଛି ରାଜନୈତିକ ସମୀକରଣ । ଖାସକରି ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜେଡି ପାଇଁ ଆହ୍ୱାନ ସୃଷ୍ଟି କରିଥିବା ବେଳେ ବିଜେପି ପାଇଁ ବିଜୟ ସୁଯୋଗ ସୃଷ୍ଟି କରିଛି । ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ଏହି ଲଢେଇରେ କଂଗ୍ରେସ ମଧ୍ୟ ପଛରେ ନାହିଁ । ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଦଖଲ କରି କଂଗ୍ରେସ ଉଭୟ ଦଳକୁ ଦେଇଛି କଡା ଟକ୍କର । କିନ୍ତୁ ଏବେ ଏହି ୪ଟି ନିର୍ବାଚନମଣ୍ଡଳୀରେ ବଦଳିଛି ରାଜନୀତିର ଗଣିତ । କୋରାପୁଟ ଆସନରୁ ବିଧାୟକ ଥିବା କୃଷ୍ଣ ସଗରିଆ କଂଗ୍ରେସରୁ ବିଦା ହେବା ପରେ ଏବେ ବିଏସପି ଶିବିରରେ । ସେହିଭଳି ନବରଙ୍ଗପୁରରୁ ସାଂସଦ ଥିବା ବଳଭଦ୍ର ମାଝୀ ଟିକେଟ ଘୋଷଣା ପୂର୍ବରୁ ବିଜେଡିକୁ ବାଏ ବାଏ କରିଛନ୍ତି । ଅନ୍ୟପଟେ କୋରାପୁଟ କଂଗ୍ରେସର ଭେଟରାନ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ନିଜ ପୁଅ ସହ ପଦ୍ମ ଧରିଛନ୍ତି । ସେହିଭଳି ବ୍ରହ୍ମପୁରର ଭେଟରାନ କଂଗ୍ରେସ ନେତା ଚନ୍ଦ୍ର ଶେଖର ସାହୁ ନିର୍ବାଚନ ପୂର୍ବରୁ ବିଜେଡି ଶିବିରକୁ ଏଣ୍ଟ୍ରି କରିଛନ୍ତି । ତେଣୁ ଗତ ୫ ବର୍ଷ ମଧ୍ୟରେ ଏହି ୪ଟି ନିର୍ବାଚନମଣ୍ଡଳୀରେ ରାଜନୀତିର ରଙ୍ଗ ବଦଳିଛି । କିନ୍ତୁ ଗତଥର କ୍ଷମତା ରାଜନୀତିର ନାୟକ ସାଜିଥିବା ବିଜେଡି ପାଇଁ ଚଳିତ ଥର ଗଡ ବଞ୍ଚାଇବା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

ଯଦି ୨୦୧୪ ନିର୍ବାଚନ କଥା କହିବା ତେବେ ନବରଙ୍ଗପୁର ଲୋକସଭା ଆସନରେ ବିଜେଡି ଟିକେଟରୁ ବଳଭଦ୍ର ମାଝୀ କଂଗ୍ରେସର ହେଭିୱେଟ ପ୍ରଦୀପ ମାଝୀଙ୍କୁ ୨୦୪୨ ଭୋଟରେ ପରାସ୍ତ କରି ସବୁଜ ବାନା ଉଡାଇଥିଲେ । ତେବେ ନିର୍ବାଚନ ପୂର୍ବରୁ ଶେଷ ମୁହୂର୍ତ୍ତରେ ବଳଭ୍ରଦ ବିଜେଡି ହାତ ଛାଡିବା ସହ ଦଳକୁ ଦେଇଛନ୍ତି ବଡ ଝଟକା । ତେଣୁ ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ତାହା ସବୁଠୁ ବଡ ପ୍ରଶ୍ନ । ଅନ୍ୟପଟେ କୋରାପୁଟ ଆସନରେ ବିଜେଡି ଟିକେଟରେ ଝିନ୍ନ ହିକକା କଂଗ୍ରେସର ଭେଟରାନ ନେତା ଗିରିଧର ଗମାଙ୍ଗଙ୍କୁ ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ଭୋଟରେ ମାତ୍ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସରୁ ଗିରିଧର ଇସ୍ତଫା ଦେବା ବିଜେଡି ପାଇଁ ଚଳିତ ନିର୍ବାଚନରେ ବରଦାନ ସାବ୍ୟସ୍ତ ହୋଇପାରେ ।  ବ୍ରହ୍ମପୁର ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଏକ ଲକ୍ଷରୁ ଉଦ୍ଧ୍ୱର୍ ଭୋଟର ପରାସ୍ତ କରି ଗଡ ରକ୍ଷା କରିଥିଲେ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର । କିନ୍ତୁ ଏବେ ଚନ୍ଦ୍ରଶେଖର ବିଜେଡିରେ ଯୋଗ ଦେବା ପରେ ବଦଳିଛି ବ୍ରହ୍ମପୁର ରାଜନୀତି । ଚନ୍ଦ୍ରଙ୍କ ଆଲୁଅରେ ବିଜେଡି ପୁଣିଥରେ ଆଲୋକିତ ହେବାକୁ ଲକ୍ଷ୍ୟ ରଖିଛି । କଳାହାଣ୍ଡିରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲେ ମଧ୍ୟ ବିଜେଡି ଏଥିରେ ବାଜି ମାରିନେଇଥିଲା । ବିଜେଡିର ଅର୍କ କେଶରୀ ସିଂହଦେଓ ବିଜେପିର ପ୍ରଦୀପ ନାୟକଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ହରାଇଥିବା ବେଳେ କଂଗ୍ରେସ ଟିକେଟରୁ ୩ ଥର ସାଂସଦ ଥିବା ଭକ୍ତ ଦାସ ୩ ନମ୍ବର ସ୍ଥାନରେ ରହିଥିଲେ ।

୨୦୧୪ ପରେ ପରେ ଏହି ନିର୍ବାଚନମଣ୍ଡଳୀରେ ପ୍ରତି ଦଳର ସ୍ଥିତି ବଦଳିଛି । ଗୋଟିଏ ଶିବିରର ସିପାହୀ ଅନ୍ୟ ଶିବିରରେ ଯୋଗ ଦେଉଥିବା ବେଳେ ସେହି ଅନୁଯାୟୀ ନିବାର୍ଚନ ବ୍ୟାଟଲଗ୍ରାଉଣ୍ଡ ପାଇଁ ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେଉଛି । କାରଣ ଆରମ୍ଭ ଭଲ ହେଲେ ଶେଷ ମଧ୍ୟ ଭଲ ହେବ ନ୍ୟାୟରେ ପ୍ରତି ଦଳ ଦକ୍ଷିଣ ଓଡିଶାରେ ଭଲ ପ୍ରଦର୍ଶନ କରିବାକୁ ଏବେ ଜି ଜାନ ଲଗାଇ ଦେଇଛନ୍ତି । ଶାସକ ଦଳ ଗଡ ରକ୍ଷା କରିବାକୁ ଉଦ୍ୟମ କରିବାକୁ ଅଣ୍ଟା ଭିଡିଥିବା ବେଳେ ବିରୋଧୀ ଦୁର୍ଗ ଭେଦ କରିବାକୁ ରଣନୀତି କରୁଛନ୍ତି ।