ଓଡିଶାରେ ବିହାର ଫର୍ମୁଲା? ପୁଣି ହେବ କି ବିଜେଡି-ବିଜେପି ମେଣ୍ଟ?

71

ବିହାର ରାଜନୈତିକ ନାଟକ ପରେ ଏହାର ପ୍ରଭାବକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କିଭଳି ଏହା ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟ ସହ ରାଜ୍ୟ ରାଜନୈତିକ ସ୍ଥିତିକୁ ପ୍ରଭାବିତ କରିବ? ବିହାର ନିର୍ବାଚନ ବେଳେ ବିଜେପି ଓ ଜେଡିୟୁ ଯେଉଁଭଳି ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିଥିଲେ, ଅଭିଯୋଗର ଲମ୍ବା ଫର୍ଦ୍ଦ ଧରି ଲୋକଙ୍କ ନିକଟକୁ ଯାଇଥିଲେ ଆଜି ସେସବୁକୁ ଭୁଲି ଯାଇଛନ୍ତି ଏହି ଦୁଇ ରାଜନୈତିକ ଦଳ । ବିଜେପି ସମର୍ଥନରେ ଜେଡିୟୁ ବିହାରରେ ସରକାର ଗଠନ କରିଛନ୍ତି । ପ୍ରଶ୍ନ ଉଠୁଛି, ଆଗାମୀ ଦିନରେ ଏହାର ପ୍ରଭାବ ଓଡିଶା ରାଜନୀତି ସହ ବିଜୁ ଜନତା ଦଳ ଉପରେ କଣ ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ହିସାବରେ, ନିର୍ବାଚନ ପୂର୍ବରୁ ଉଭୟ ଦଳ ଭିତରେ କୌଣସି ବୁଝାମଣା ହେବାର ସମ୍ଭାବନା ନାହିଁ । ହେଲେ ନିର୍ବାଚନ ପରେ ଯଦି ଆବଶ୍ୟକ ପଡେ ତେବେ ପୁଣି ଦୁଇ ଦଳ ମେଂଟ କରିବାକୁ ପଛଘୁଂଚା ଦେବେନାହିଁ । ଏ ସଂକ୍ରାନ୍ତରେ ବହୁ ଭାବିଚିନ୍ତି ନବୀନ ଗୋଟିଚାଳନା କରୁଥିବା ରବି ଦାସ କହିଛନ୍ତି । ଅତୀତରେ ନବୀନ ନେଇଥିବା ନିଷ୍ପତ୍ତି ଏସବୁ ଦିଗକୁ ଇଂଗିତ କରୁଥିବା ସେ ଆକଳନ କରିଛନ୍ତି ।

୨୦୦୦ ମସିହାରେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେଡି-ବିଜେପି ମେଂଟ ସରକାରକୁ ଆସିଥିଲା । ମେଂଟର ଚେହେରା ହୋଇ ନବୀନ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୪ରେ ପୁଣି ଦ୍ୱିତୀୟ ଥର ପାଇଁ ମେଂଟ କ୍ଷମତାକୁ ଆସିଥିଲା । ହେଲେ ୨୦୦୯ ନିର୍ବାଚନ ଆଗରୁ ମେଂଟ ଭାଙ୍ଗିଗଲା । ଏଥିପାଇଁ ଅନେକ କାରଣ କୁହାଯାଉଥିଲେ ବି ୨୦୦୮ରେ ହୋଇଥିବା କନ୍ଧମାଳ ଦଙ୍ଗା ଏହା ପଛର ପ୍ରମୁଖ କାରଣ ବୋଲି କୁହାଗଲା । ସାମ୍ପ୍ରଦାୟିକ ଶକ୍ତି ସହ ଆଉ ରହିବାକୁ ଉଚିତ ମନେକଲାନି ବିଜେଡି, ତେଣୁ ମେଂଟ ଭାଙ୍ଗିବା ସହ ଉଭୟ ରାଜନୈତିକ ଦଳ ଅଲଗା ଅଲଗା ନିର୍ବାଚନ ଲଢିଲେ ।

ବିହାର ରାଜନୀତିରେ ମଧ୍ୟ ଠିକ ଏମିତି ଏକ ସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଠି, ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନରେନ୍ଦ୍ର ମୋଦିଙ୍କ ନାଁକୁ ସାମ୍ନାକୁ ଆଣିବା ପରେ ନୀତିଶ ଅସନ୍ତୁଷ୍ଟ ହୋଇ ଏନଡିଏରୁ ଓହରିଗଲେ । ଆଉ ଏହାପରେ ସେ ନରେନ୍ଦ୍ର ମୋଦିଙ୍କର ଖୋଲାଖୋଲି ବିରୋଧୀ ପାଲଟିଗଲେ । ଏପରିକି ନିଜ ରାଜନୈତିକ ବିରୋଧୀ କଂଗ୍ରେସ ଓ ଆରଜେଡି ସହ ମିଶି ମହାମେଂଟ ଗଠନ କରି ନିର୍ବାଚନ ସାମ୍ନା କଲେ । ହେଲେ ୨୦ ମାସ ଭିତରେ ଭାଙ୍ଗିଗଲା ଏହି ମହାମେଂଟ । ଆଉ ତୁରନ୍ତ ବିଜେପି ସମର୍ଥନ ଘୋଷଣା କରିଦେଲା, ଆଉ ମେଂଟ କ୍ଷମତାକୁ ଆସିଗଲା ।

ଏଭଳି ପରିସ୍ଥିତି ଓଡିଶାରେ ବା ବିଜେଡି ରାଜନୀତିରେ ଦେଖିବାକୁ ମିଳିବ କି? ବିଜେଡି ନେତା ତେଜେଶ୍ୱର ପରିଡା କହିଛନ୍ତି, ଏଭଳି କୈାଣସି ସମ୍ଭାବନା ନାହିଁ । ବିଜେଡି ଏବେ ସ୍ପଷ୍ଟ ବହୁମତ ସହ ସରକାରରେ ଅଛି, ଆଉ ଆଗାମୀ ଦିନରେ ମଧ୍ୟ ସ୍ପଷ୍ଟ ବହୁମତ ପାଇ କ୍ଷମତାକୁ ଆସିବ । ବିଜୁ ଜନତା ଦଳ, ରାଷ୍ଟ୍ର ଓ ରାଜ୍ୟର ହିତ ପାଇଁ ଯେଉଁ ସବୁ ନିଷ୍ପତ୍ତି ଠିକ ଅର୍ଥାତ୍ ପ୍ରସଙ୍ଗ ଭିତ୍ତିକ ସମର୍ଥନ କେନ୍ଦ୍ର ସରକାରକୁ ଦେଉଛି । ଏହାର ଅର୍ଥ ନୁହେଁ, ବିଜେପି ବିଜେଡି ମଧ୍ୟରେ ମେଂଟ ହେବ ।

ତେବେ ବଡ କଥା ହେଉଛି, କିଛି ଦିନ ଆଗରୁ ବିଜେଡି ସାଂସଦ ତଥାଗତ ଶତପଥୀ ଆକଳନ କରିଥିଲେ, ତାମିଲନାଡୁରେ ଯେଉଁଭଳି ରାଜନୈତିକ ସ୍ଥିତି ଉପୁଜିଲା, ଠିକ ସେଭଳି ବିଜେଡିରେ ଘଟାଇବାକୁ ବିଜେପି ଯୋଜନା କରୁଛି । ଆଉ ଏଥିରେ ଜଣେ ସାଂସଦ ତାଙ୍କୁ ସମର୍ଥନ କରୁଛନ୍ତି । ଯାହାକୁ ନେଇ ବିବାଦ ମଧ୍ୟ ଆଗକୁ ବଢିଥିଲା । ତେବେ ଏହା ତଥାଗତଙ୍କ କେବଳ ଏକ ମନର କଥା ହିସାବରେ ରହିଯିବ ନା ଏହାର କିଛି ବାସ୍ତବତା ରହିଛି, ତାକୁ ନେଇ ଚର୍ଚ୍ଚା ଏବେ ପୁଣି ଥରେ ଆରମ୍ଭ ହୋଇଛି । ବିହାର ଭଳି ସ୍ଥିତି ଯଦି ଓଡିଶାରେ ଉପୁଜେ ତେବେ ବିଜେଡି ସୁପ୍ରିମୋଙ୍କ ପାଖରେ ବିଜେପି ଆଡକୁ ଢଳିବାକୁ ହିଁ ଗୋଟିଏ ବାଟ ରହିବ । ଯାହାକୁ ଆଖି ଆଗରେ ରଖି ବିଜେଡି ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି ।

ସେହିଭଳି ବିଜୁ ଜନତା ଦଳର କିଛି ନେତା ମୋଦିଙ୍କ ଖୋଲାଖୋଲି ପ୍ରଶଂସା କରିବା ମଧ୍ୟ ଏହି ସନ୍ଦେହକୁ ଦୃଢୀଭୁତ କରୁଛି । ବିଜେପି ନେତା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଆଗାମୀ ଦିନରେ ଓଡିଶାରେ ନିଜସ୍ୱ ଶକ୍ତିରେ ସରକାର ଗଠନ କରିବ ବିଜେପି । ବିଜୁ ଜନତା ଦଳ ଭିତରେ ସବୁ କିଛି ଠିକ ଚାଲିନି । ବରଂ ନବୀନଙ୍କ ନିଷ୍ପତ୍ତିକୁ ନେତା ଖୋଲାଖୋଲି ବିରୋଧ କରିବା ଆରମ୍ଭ କଲେଣି । ଏଭଳି ପରିସ୍ଥିତିରେ ବିଜୁ ଜନତା ପାଇଁ ଅନେକ ଆହ୍ୱାନ ଥିବା ଲେଖାଶ୍ରୀ କହିଛନ୍ତି ।

ତେବେ ବିହାରରେ ଘଟିଥିବା ରାଜନୈତିକ ନାଟକ ଗୋଟିଏ ଦିଗକୁ ଇଙ୍ଗିତ କରୁଛି । ରାଜନୀତିରେ କେହି କାହାର ଚିର ଶତ୍ରୁ କିମ୍ବା ମିତ୍ର ନୁହଁନ୍ତି । ତେଣୁ ସମୟ ଆସିଲେ ଯେ ପୁଣି ବିଜେଡି-ବିଜେପି ଏକାଠି ନହେବେ, ଏକଥା ଆଜିର ଦିନରୁ ଆକଳନ କରିବା ହୁଏ ଭୁଲ ହୋଇଯିବ । ଯେଉଁଭଳି ୨୪ ଘଂଟା ଭିତରେ ବିହାର ରାଜନୀତି ବଦଳିଗଲା, ଠିକ ସେଭଳି ଓଡିଶା ରାଜନୀତିରେ ପରିବର୍ତ୍ତନ ଆସିବାର ଆକଳନ କରାଯାଉଛି । ହେଲେ କେବେ ଆସିବ, ଏକଥା କହିବା ମୁସ୍କିଲ ।