କନକ ବ୍ୟୁରୋ : ସୁପ୍ରିମକୋର୍ଟର ଓଡ଼ିଆ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ଜଷ୍ଟିସ ମିଶ୍ର ଦେଶର ୪୫ତମ ପ୍ରଧାନ ବିଚାରପତି ହେବା ସହିତ ତୃତୀୟ ଓଡ଼ିଆ ଭାବେ ଏହି ସମ୍ମାନଜନକ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି । ପୂର୍ବରୁ ଦୁଇ ଜଣ ଓଡ଼ିଆ ଜଷ୍ଟିସ ରଙ୍ଗନାଥ ମିଶ୍ର ଓ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଦେଶର ପ୍ରଧାନ ବିଚାରପତି ହେବାର ଗୌରବ ଅର୍ଜନ କରିଛନ୍ତି। ଜଷ୍ଟିସ ଦୀପକ ମିଶ୍ର ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କର ପୁତୁରା ।
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଜେ.ଏସ୍. ଖେହର ୨୦୧୭, ଅଗଷ୍ଟ ୨୭ରେ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଭାବେ ପରବର୍ତ୍ତୀ ପ୍ରଧାନ ବିଚାରପତି ପଦ ପାଇଁ ଜଷ୍ଟିସ ଦୀପକ ମିଶ୍ରଙ୍କ ନାମ ସୁପାରିଶ କରାଯାଇଛି। ଜଷ୍ଟିସ ମିଶ୍ର ୧୯୫୩, ଅକ୍ଟୋବର ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୭, ଫେବ୍ରୁଆରି ୧୪ ତାରିଖରେ ସେ ଆଇନଜୀବୀ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ । ସାମ୍ବିଧାନିକ, ଦେଓ୍ଵାନୀ, ଫୌଜଦାରୀ, ରାଜସ୍ୱ ମାମଲା ସହିତ ଚାକିରି, ବିକ୍ରି କର ସଂପର୍କିତ ମାମଲା ଓଡିଶା ହାଇକୋର୍ଟ ଓ ସର୍ଭିସ୍ ଟ୍ରିବୁନାଲରେ ପରିଚାଳନା କରିବାରେ ସେ ସିଦ୍ଧହସ୍ତ ଥିଲେ ।
୧୯୯୬, ଜାନୁଆରି ୧୭ରେ ଓଡିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଜଷ୍ଟିସ ମିଶ୍ର ନିଯୁକ୍ତି ପାଇଥିଲେ । ୧୯୯୭, ମାର୍ଚ୍ଚ ୩ରେ ତାଙ୍କର ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଥିଲା। ୧୯୯୭, ଡିସେମ୍ବର ୧୯ରେ ସେ ସେଠାରେ ସ୍ଥାୟୀ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୦୯, ଡିସେମ୍ବର ୨୩ରେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି, ୨୦୧୦, ମେ’ ୨୪ରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିବା ବେଳେ ୨୦୧୧, ଅକ୍ଟୋବର ୧୦ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ୟ୍ୟ କରି ଆସୁଛନ୍ତି ।
ଜଷ୍ଟିସ ମିଶ୍ର ବିଚାରପତି ଭାବେ ନିଜର ରାୟ ପାଇଁ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଐତିହାସିକ ରାୟ ମଧ୍ୟରୁ ଏଫ୍ଆଇଆର୍ର ୨୪ ଘଣ୍ଟା ମଧ୍ୟରେ ୱେବସାଇଟରେ ସମସ୍ତ ତଥ୍ୟ ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ହେଉଛି ଅନ୍ୟତମ । ଏହା ଦ୍ୱାରା ଅଭିଯୁକ୍ତ ଅଦାଲତରେ ନିଜ ଅଭିଯୋଗ ସଂପର୍କରେ ଉପଯୁକ୍ତ ଆବେଦନ ଦାୟର କରି ପାରିବ ବୋଲି ରାୟରେ ସ୍ପଷ୍ଟ କରାଯାଇଥିଲା । ଏଥି ସହିତ ପଦୋନ୍ନତିରେ ସଂରକ୍ଷଣ ସଂପର୍କିତ ତାଙ୍କ ରାୟ ମଧ୍ୟ ଥିଲା ଚର୍ଚ୍ଚିତ। ୧୯୯୩ ମୁମ୍ବାଇ ସିରିଏଲ ବ୍ଲାଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ଆସାମୀଙ୍କ ସଜ୍ଜା କାର୍ଯ୍ୟକାରୀ ରୋକିବା ପାଇଁ ଦାୟର ଅପିଲକୁ ଖାରଜ କରିଥିବା ଖଣ୍ଡପୀଠର ଜଷ୍ଟିସ ମିଶ୍ର ଜଣେ ସଦସ୍ୟ ଥିଲେ। ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା କାଣ୍ଡ ମାମଲାର ଶୁଣାଣି ହୋଇଥିବା ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠରେ ମଧ୍ୟ ଜଷ୍ଟିସ ମିଶ୍ର ସଦସ୍ୟ ଥିଲେ।