ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗିରଫଦାରୀକୁ ନେଇ ବଢିଲା ରାଜନୀତି : ବିଜେପି କହିଲା, ଓଡିଶା ପାଇଁ ଏହା ଲଜ୍ଜାଜନକ, ନେତାଙ୍କ ଉପରେ ଲଗାମ ଲଗାନ୍ତୁ ନବୀନ ବାବୁ

57

କନକ ବ୍ୟୁରୋ : ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗିରଫଦାରୀକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେପି କହିଛି, ଓଡିଶା ପାଇଁ ଏହା ବେଶ ଲଜ୍ଜାଜନକ ଘଟଣା ଏବଂ ନେତାଙ୍କ ଉପରେ ଲଗାମ ଲଗାନ୍ତୁ ନବୀନ ବାବୁ । ଏ ଘଟଣାରେ ଆମେ ଓଡିଶାବାସୀ ଲଜ୍ଜିତ ହୋଇଛୁ । ଶାସକ ଦଳର ନେତାମାନେ ଓଡ଼ିଶାର ଗୌରବକୁ ହାନି କରିବା ଭଳି କୌଣସି କାମ କରନ୍ତୁ ନାହିଁ ବୋଲି ମଧ୍ୟ ବିଜେପି କହିଛି । ଅନ୍ୟପଟେ ଏନେଇ ବିଜେଡ଼ି କହିଛି, ଭୁଲ କରିଥିଲେ ସେ ତା’ର ଦଣ୍ଡ ପାଇବେ । ଗଣମାଧ୍ୟମ ଖବର ସତ ହେଲେ ପୋଲିସ ତା’ କାମ କରିବ । ଏହାସହ ଗଣମାଧ୍ୟମରେ ଆସିଥିବା ଖବର ଯଦି ସହ ହୁଏ ତେବେ ଏହା ବେଶ୍ ଲଜ୍ଜାଜନକ ବୋଲି ।

କୋଲକାତାରେ ଗିରଫ ହେବା ପରେ ଡେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବେଲରେ ଆସିଥିବା ଜଣାଯାଇଛି । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ, କୋଲକାତାର ପାର୍କ ଷ୍ଟ୍ରିଟରେ ଏକ ସେକ୍ସ ର୍ୟାକେଟ ଠାବ ହୋଇଥିଲା । ଏଠାରେ ଚଢାଉ ବେଳେ କୋଲକାତା ପୋଲିସ ୯ ଜଣ ଯୁୁବତୀଙ୍କ ସହ ୧୮ ଜଣଙ୍କୁ ଗିରଫ କରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ । । ଗତକାଲି ସେ ନିଖୋଜ ଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଗତକାଲି ତାଙ୍କୁ କୋର୍ଟରେ ହାଜର ପରେ ଜାମିନ ମିଳିଛି । କୋଲକାତାକୁ ନିଜର ବ୍ୟକ୍ତିଗତ କାମରେ ଯାଇଥିବା ନବୀନ ଘରକୁ ଫେରିଥାନ୍ତେ । କିନ୍ତୁ ସେ ଫେରିନଥିଲେ । ଏପରିକି ତାଙ୍କ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ଥିଲା । ଏହା ପରେ ପରିବାର ବ୍ୟସ୍ତ ହୋଇପଡିଥିଲେ । ଏପରିକି ତାଙ୍କ ପୁଅ ସମ୍ବିତ କୋଲକାତା ଯାଇ ବାପାଙ୍କୁ ନପାଇବାରୁ ଥାନାରେ ଏତଲା ଦେଇଥିଲେ ।

ତେବେ କୋଲକାତାରେ ତାଙ୍କ ବାପାଙ୍କର କିଛି ଜିନିଷ ଚୋରି ହୋଇଯାଇଥିବାରୁ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା ବୋଲି ନବୀନଙ୍କ ପୁଅ ସମ୍ବିତ କହିଛନ୍ତି । ବ୍ୟକ୍ତିଗତ କାମରେ ନବୀନ ନନ୍ଦ ୨୯ ତାରିଖରେ କୋଲକାତା ଯାଇଥିଲେ । ଗତକାଲି ସେ ଫେରିବାର ଥିଲା । କିନ୍ତୁ ସେ ଫେରିନଥିବାରୁ ସମ୍ବିତ କୋଲକାତା ଯାଇଥିଲେ । ସେ ରହୁଥିବା ହୋଟେଲ ରୁମରେ ତାଙ୍କର ଲ୍ୟାପଟାପ ଓ ଅନ୍ୟ ଜିନିଷପତ୍ର ଥିଲା । ହୋଟେଲ ମ୍ୟାନେଜର କୌଣସ ସଠିକ ତଥ୍ୟ ଦେଇନପାରିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ସମ୍ବିତ । ତେବେ ହୋଟେଲ ଛାଡିବାର ୧୩ ଘଂଟା ପରେ ଅର୍ଥାତ ସନ୍ଧ୍ୟା ପ୍ରାୟ ୫ଟା ୪୦ରେ ହୋଟଲକୁ ଫେରିଆସିଥିଲେ ନବୀନ । ଦୀର୍ଘ ୧୩ ଘଂଟା ପରେ ନବୀନ ନନ୍ଦ ଫେରିଥିଲେ ।

ସେପଟେ ନବୀନ ନନ୍ଦ ଏନେଇ ସଫେଇ ଦେଇଛନ୍ତି । ତାଙ୍କ ପର୍ସ ଓ ମୋବାଇଲ ଚୋରି ହୋଇଯାଇଥିଲା । ସେ ଚୋରି କରିଥିବା ୩ ଜଣଙ୍କ ପିଛା କରୁଥିବା ବେଳେ ପୁଲିସ ହାବୁଡାରେ ପଡିଥିବା କହିଛନ୍ତି ।