ରାଜସ୍ଥାନ ଗୌରବ ଯାତ୍ରାର ଶେଷ ଦିନରେ ୩ଲକ୍ଷ ଲୋକଙ୍କୁ ମୋଦିଙ୍କ ସମ୍ବୋଧନ : ସେପଟେ ମଧ୍ୟପ୍ରଦେଶରେ ସଂକଳ୍ପ ରାଲିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

31

କନକ ବ୍ୟୁରୋ : ଆଜି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେବ ତାରିଖ । ଏହା ପୁର୍ବରୁ ନିଜ ନିଜ ଦଳ ପାଇଁ ପ୍ରଚାରକୁ ଜୋଦାର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ରାଜସ୍ଥାନରେ ବସୁନ୍ଧରା ରାଜେ ସରକାର ଚଳାଇଥିବା ରାଜସ୍ଥାନ ଗୌରବ ଯାତ୍ରାର ଉଦଯାପନୀ ଦିବସରେ ଆଜି ଆଜମେରରେ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କୟାଦ ବିଶ୍ରାମ ସ୍ଥଳୀରେ ପ୍ରାୟ ୩ ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ଦାବି କରିଛନ୍ତି ବିଜେପି ରାଜ୍ୟ ନେତା । ନିର୍ବାଚନକୁ ଆଖିରେ ରଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରାୟ ମାସେଧରି ଏହି ଗୌରବ ଯାତ୍ରା ଚଳାଇଛନ୍ତି । ଦସ୍ୱବ ଦୁଇ ଥର କ୍ଷମତାରେ ରହିଥିବା ବସୁନ୍ଧରା ରାଜେ ସରକାରଙ୍କ ବିରୋଧରେ ଜନମତ ଯିବା ନେଇ ସମ୍ଭାବନା ଭିତରେ କ୍ୟାମ୍ପେନିଂକୁ ଜୋରଦାର କରିଛି ବିଜେପି । ସେପଟେ ମଧ୍ୟପ୍ରଦେଶରେ କଂଗ୍ରେସର ସଂକଳ୍ପ ଯାତ୍ରାରେ ସାମିଲ ହେବେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି । ଜବଲପୁରରେ ପୋଷ୍ଟର ବ୍ୟାନର ଲଗାଇ ରାହୁଲଙ୍କ ରାଲି ବାବଦରେ ଜୋରଦାର ପ୍ରଚାର ପ୍ରସାର କରାଯାଉଛି ।

ଗୌରୀଘାଟରେ ନର୍ମଦା ପୂଜାରୁ ଆରମ୍ଭ ହେବ ରାହୁଲ ଗାନ୍ଧିଙ୍କ ସଂକଳ୍ପ ଯାତ୍ରା । ଏହାପରେ ଜବଲପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ରାହୁଲ । ଗତ ୨୦ ଦିନ ଭିତରେ ରାହୁଲଙ୍କ ଏହା ତୃତୀୟ ଗସ୍ତ । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ମଧ୍ୟପ୍ରଦେଶରେ ମହା ଜନସଂପର୍କ ଯାତ୍ରାର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି । ବ୍ୟବସାୟୀ, ଆଦିବାସୀ ଓ ଚାଷୀମାନଙ୍କୁ ଆଖିରେ ରଖି ବିଜେପି ଏହି ଅଭିଯାନ ଆରମ୍ଭ କରୁଥିବାବେଳେ ଭୋଟ୍ ରାଜନୀତିରେ ବାଜିମାତ୍ କରିବାକୁ ଲକ୍ଷ୍ୟ ରଖିଛି ।