ଲୋକଙ୍କୁ ଭୂଆଁ ବୁଲାଇଲେ ନେତା ! ପୋଷ୍ଟରରେ କୋହଲିଙ୍କ ଫଟୋ, ଆଣିଲେ ଡୁପ୍ଲିକେଟ ।

41

ପୂର୍ବରୁ ଅନେକ ରାଜନେତା ଗୁଡ଼ାଏ ଆଶ୍ଚର୍ୟ୍ୟଜନକ ପଦକ୍ଷେପ ନେଇଥିବା ଘଟଣା ଆମେ ଦେଖିଆସିଛେ । ବିଶେଷ କରି ନିର୍ବାଚନ ରାଲି ସମୟରେ ରାଜନେତାମାନଙ୍କର ଠାଣୀ ହିଁ ବଦଳିଯାଇଥାଏ । ଅନେକ ସମୟରେ ରାଜନେତାମାନେ ଲୋକ ସମର୍ଥନ ପାଇଁ ଚିହ୍ନା ମୁହଁ ଅର୍ଥାତ ସେଲିବ୍ରିଟିମାନଙ୍କ ସାହାରା ନେଇଥାନ୍ତି । ମାତ୍ର ପୁଣେର ବାବୁରାଓ ନଗରରେ ହେଉଥିବା ଗ୍ରାମ ପଞ୍ଚାୟତ ନିର୍ବାଚନକୁ ନେଇ ଯେଉଁ ଭଳି ଏକ ଘଟଣା ଘଟିଛି ତାହା କାହାକୁ ବି ହସାଇପାରେ ।

ଘଟଣାଟି ଏଭଳି, ସାଧାରଣ ଜନତାଙ୍କୁ ନିଜ ଦଳ ଆଡ଼େ ଆକୃଷ୍ଟ କରିବା ପାଇଁ ସଂପୃକ୍ତ ଅଞ୍ଚଳର ଜଣେ ସରପଞ୍ଚ ପ୍ରାର୍ଥୀ ଭିଟାଲ୍ ଗନପଥ ଲୋକମାନଙ୍କୁ ଏକ ପ୍ରତିଶ୍ରୁତି ଦେଇଥିଲେ । ସେ ଲୋକମାନଙ୍କୁ କହିଥିଲେ କି ତାଙ୍କ ଦଳୀୟ ପ୍ରଚାର ପାଇଁ ସେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଅତିଥି ଭାବେ ଆଣିବେ । ମାତ୍ର ସେ ଯେଉଁଭଳି ଭାବେ ନିଜ ପ୍ରତିଶ୍ରୁତି ପୂରା କରିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ।

ଆପଣ ଫଟୋ ଦେଖି ଅନୁମାନ କରି ସାରିବେଣି ନିଶ୍ଚୟ। ନିଜ ପୋଷ୍ଟରରେ ମୁଖ୍ୟ ଆକର୍ଷଣ ବିରାଟ କୋହଲି ବୋଲି ଲେଖିଥିବା ରାଜନେତା ବିରାଟ କୋହଲିଙ୍କୁ ତ ଆଣିପାରିଲେ ନାହିଁ ମାତ୍ର ତାଙ୍କ ପରି ଦିଶୁଥିବା ତାଙ୍କର ଜଣେ ହମସକଲଙ୍କୁ ଆଣି ଟୁଇଟରରେ ଚର୍ଚ୍ଚା ପାଲଟିଛନ୍ତି। ଏହି ନକଲି କୋହଲିଙ୍କୁ ଦେଖି ଅନେକ ଟୁଇଟର୍ ବ୍ୟବହାରକାରୀ ପ୍ରତିକ୍ରିୟା ରଖିଛନ୍ତି ।