ଜିଅନ୍ତା ଶିଶୁକୁ ମୃତ୍ୟୁ ପ୍ରମାଣପତ୍ର ! ବଞ୍ଚି ଥାଉ ଥାଉ ୬ ବର୍ଷର ପିଲାକୁ ମୃତ୍ୟୁର ପ୍ରମାଣପତ୍ର ଦେଲା ଜନମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟ

25

କନକ ବ୍ୟୁରୋ : ବାର୍ଥ ସାର୍ଟିଫିକେଟ୍ ବଦଳରେ ଡେଥ୍ ସାର୍ଟିଫିକେଟ୍ । ବଞ୍ଚି ଥାଉ ଥାଉ ୬ ବର୍ଷର ପିଲାକୁ ମିଳିଲା ମୃତ୍ୟୁର ପ୍ରମାଣପତ୍ର । ଦାୟିତ୍ୱହୀନତାର ଏମିତି ଏକ ଚରମ ନମୂନା ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀର ଜନ୍ମମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟରେ । ପୁରୀ ଜିଲ୍ଲା ବାସୁଦେଇପୁରର ସଞ୍ଜୟ ମିଶ୍ରଙ୍କ ପତ୍ନୀ ସ୍ୱର୍ଣ୍ଣପ୍ରଭା ୨ ହଜାର ମସିହା ଅଗଷ୍ଟ ୭ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ଭୁବନେଶ୍ୱରର ଜନ୍ମମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟରୁ ଜନ୍ମ ପ୍ରମାଣପତ୍ର ମଧ୍ୟ ଆଣିଥିଲେ ।

କିନ୍ତୁ ପୁଅ ଆଶିଷକୁ ସ୍କୁଲରେ ଆଡମିଶନ୍ କରିବାକୁ ଯାଇ ଚଡକ ପଡିଥିଲା ବାପା ସଞ୍ଜୟ ମିଶ୍ରଙ୍କ ମୁଣ୍ଡରେ । କାରଣ ଜନ୍ମ ପ୍ରମାଣପତ୍ର ବୋଲି ସେ ଯେଉଁ ସାର୍ଟିଫିକେଟ୍ ଆଣିଥିଲେ ତାହା ଥିଲା ପୁଅର ମୃତ୍ୟୁ ପ୍ରମାଣପତ୍ର ବା ଡେଥ୍ ସାର୍ଟିଫିକେଟ୍ । ଫଳରେ ସ୍କୁଲରେ ଆଡମିଶନ୍ ତ ହୋଇପାରିନଥିଲା ବରଂ ଅନ୍ୟ ସମସ୍ତ ସରକାରୀ ସୁବିଧାରୁ ବଂଚିତ ମଧ୍ୟ ହୋଇଛି ୬ ବର୍ଷର ଆଶିଷ । ଏବେ ଏହି ପ୍ରମଣାପତ୍ରରେ ସଂଶୋଧନ ପାଇଁ ପରିବାର ନିବେଦନ କରିଛନ୍ତି ।