କନକ ବ୍ୟୁରୋ : ରାଜଧାନୀରେ ପ୍ରଥମ ଥର ନିମନ୍ତେ ହେବାକୁ ଥିବା ବାଲିଯାତ୍ରା ପ୍ରସ୍ତୁତିକୁ ଝଟ୍‌କା ଲାଗିଛି । ବରିମୁଣ୍ଡ ଜରିପାଟଣା କୁଆଖାଇ ନଦୀପଠାରେ ଭୁବନେଶ୍ୱର ବାଲିଯାତ୍ରା ସମିତି ପକ୍ଷରୁ ଦୀର୍ଘ ତିନି ମାସ ହେବ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଏହି ବାଲିଯାତ୍ରାକୁ ବିଭିନ୍ନ କାରଣରୁ ଅନୁମତି ପ୍ରଦାନ କରାଯାଇପାରିବ ନାହିଁ କମିସନରେଟ ପୁଲିସ ଆଜି ସ୍ପଷ୍ଟ କରି ଦେଇଛି । ଫଳରେ ନଭେମ୍ବର ୪ରୁ ୯ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବାଲିଯାତ୍ରା ଆଶା ମଉଳି ଯାଇଛି ।

ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ଯେ ଜଳସେଚନ ଓ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଏହି ସ୍ଥାନ ବାଲିଯାତ୍ରା ଭଳି ବୃହତ୍‌ କାର୍ଯ୍ୟକ୍ରମ ନିମନ୍ତେ ଅନୁକୂଳ ନୁହେଁ । ପ୍ରଥମତଃ ଏନେଇ ଉକ୍ତ ଦୁଇ ବିଭାଗ ପକ୍ଷରୁ ଅନୁମତି ଆଣିବା ଆବଶ୍ୟକ । ଏହାସହିତ ସୁରକ୍ଷା, ଆଲୋକୀକରଣ, ଟ୍ରାଫିକ୍‌ ନିୟନ୍ତ୍ରଣ, ଗମନାଗମନ ସୁବିଧା ଓ ବିଶାଳ ଜନସମାଗମକୁ ଦୃଷ୍ଟିରୁ ଏହି ସ୍ଥାନ ପ୍ରକୃଷ୍ଟ ନଥିବା ଦର୍ଶାଯାଇଛି । ଏହି କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ଅନୁମତି ଆଦି ପାଇବା ନେଇ ମଧ୍ୟ ସମୟର ସ୍ୱଳ୍ପତା ରହିଛି । ତେଣୁ ଏହା ଆୟୋଜନ ସମ୍ଭବ ନୁହେଁ ବୋଲି ଅନୁମତି ପାଇଁ ଆବେଦନ କରିଥିବା ଆୟୋଜକଙ୍କୁ ଚିଠି ଯୋଗେ ଜଣାଇ ଦିଆଯାଇଛି । ଏହାସହିତ ନଦୀପଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାରୁ ଏନ୍‌ଜିଟି ସମସ୍ୟା ମଧ୍ୟ ଉଠିପାରେ । ତେଣୁ ଏନେଇ ଆବଶ୍ୟକ ଅନୁମତି ପ୍ରଦାନ କରିବା ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ ଠିକ୍‌ ନଥିବା ଶ୍ରୀ ଭୋଇ ପ୍ରକାଶ କରିଛନ୍ତି । ଏନେଇ ଗୁରୁବାର ଦିନ ସ୍ଥାନୀୟ ବିଧାୟକ, ଖୋର୍ଦ୍ଧା ଜିଲାପାଳ ଓ ସଂପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

କଟକ ଭଳି ଭୁବନେଶ୍ୱରରେ ମଧ୍ୟ ପ୍ରଥମ ବାଲିଯାତ୍ରା ହେବା ନେଇ ଗତ ୩ମାସ ହେବ ପ୍ରସ୍ତୁତି ଚାଲିଥିଲା । ପ୍ରଥମେ ଏକ କମିଟି ଜରିଆରେ ପ୍ରସ୍ତୁତି ଚାଲିିଥିବାବେଳେ ପରେ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏହି ସମିତିରେ ସଭାପତି ମନୋନୀତ ହୋଇଥିଲେ । କିଛି ଉତ୍ସାହୀ ଶିକ୍ଷିତ ଯୁବଗୋଷ୍ଠୀ ରାଜଧାନୀର ସବୁ ବର୍ଗର ଲୋକଙ୍କ ସହାୟତାରେ ଏହି ଅଭିନବ ପ୍ରୟାସ ଆରମ୍ଭ କରିଥିଲେ । ଏ ନେଇ ସାଧାରଣରେ ଉତ୍ସାହ ମଧ୍ୟ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ବିଭାଗରୁ ଆବଶ୍ୟକ ଅନୁମତି ପାଇଁ ପ୍ରାୟ ଦେଢ଼ମାସ ହେବ ଆବେଦନ କରାଯାଇଥିଲା । ଏନେଇ ବିଭିନ୍ନ ପର୍ଯ୍ୟାୟରେ ୫୩ଟି ଗ୍ରାମର ମୁଖିଆ, ରାଜଧାନୀର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ଜନପ୍ରତିନିଧି ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କର ବୈଠକ ମଧ୍ୟ କରାଯାଇଥିଲା । ବିଧାୟକ ଏହି କାର୍ଯ୍ୟକ୍ରମ ନିମନ୍ତେ ପ୍ରଥମେ ପ୍ରଥମେ ଅମଙ୍ଗ ହେଉଥିଲେ ମଧ୍ୟ ପରେ ଆୟୋଜକଙ୍କୁ ନିଜର ସମ୍ମତି ପ୍ରଦାନ କରିଥିଲେ । ମାତ୍ର ଆଜି ଉତ୍ତର ବିଧାୟକଙ୍କୁ ଏନେଇ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ କରଛଡ଼ା ଦେଇଥିଲେ ।

ଏଣେ ପ୍ରସ୍ତାବିତ ଭୁବନେଶ୍ୱର ବାଲିଯାତ୍ରାକୁ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ବିରୋଧ କରିଥିଲେ । ଏହା ଆୟୋଜନ ହେଲେ ଏକ ନୂତନ ପରମ୍ପରା ସୃଷ୍ଟି ହେବାର ସୁଯୋଗ ଥିଲା । ମାତ୍ର କତିପୟ ବ୍ୟକ୍ତି ଏହାକୁ ରାଜନୀତିର ରଙ୍ଗଦେଇ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ଆୟୋଜକମାନେ କହିଛନ୍ତି । କାରଣ ଯାହା ହେଉନା କାହିଁକି ଅନୁମତି ନ ମିଳିବାରୁ ରାଜଧାନୀ ଉପକଣ୍ଠବାସୀଙ୍କର ବାଲିଯାତ୍ରା ସ୍ୱପ୍ନ ସାକାର ହୋଇନାହିଁ ।