ତାଳଗୁଡ଼କୁ ଜିଆଇ ମାନ୍ୟତା ଦେବା ପାଇଁ ଯୋଜନା !

168

କନକ ବ୍ୟୁରୋ : ତାଳଗୁଡ଼କୁ ଭୌଗୋଳିକ ଉତ୍ପତ୍ତି ବା ଜିଆଇ ମାନ୍ୟତା ଦେବା ପାଇଁ ଯୋଜନା ହୋଇଛି । ରାଜ୍ୟରେ ପାରମ୍ପରିକ ଢଙ୍ଗରେ ପ୍ରସ୍ତୁତ ହେଉଥିବା ତାଳଗୁଡ଼ର ରଂଗ, ସ୍ବାଦ ସ୍ବତନ୍ତ୍ର । ତେଣୁ ଜିଆଇ ମାନ୍ୟତା ଦ୍ବାରା ଏହାର ବିକ୍ରି ବଢ଼ିବା ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି । ତାଳଗୁଡ଼କୁ ଜିଆଇ ମାନ୍ୟତା ଦେବାରେ ସିଟିଟିସି ସହାୟତା ପ୍ରଦାନ କରିବ । ଏଥିପାଇଁ ତାଳଗୁଡ଼ ସଂଘ ଓ ସିଟିଟିସି ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ତାଳଗୁଡ଼ର ଇତିହାସ ବହୁତ ପୁରୁଣା । ଗାନ୍ଧୀଜୀ ମଧ୍ୟ ତାଳଗୁଡ଼ର ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେଇଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ତାଳଗୁଡ଼ ପ୍ରସ୍ତୁତ ହେଉଛି । ତେବେ ରାଜ୍ୟରେ ପ୍ରସ୍ତୁତ ହେଉଥିବା ତାଳଗୁଡ଼ ଭିନ୍ନ। ୧୯୫୯ ମସିହାରେ ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘର ଗଠନ ହୋଇଥିଲା । ଏହାର ଅଧୀନରେ ରାଜ୍ୟରେ ୬୭ଟି ସମବାୟ ସଂସ୍ଥା କାର‌୍ୟ୍ୟ କରୁଛି । ବାର୍ଷିକ ୧୦୦-୧୫୦ କ୍ବିଣ୍ଟାଲ ତାଳଗୁଡ଼ ପ୍ରସ୍ତୁତ ହେଉଛି। ତାଳ ସହିତ ଖଜୁରୀରୁ ଏହି ଗୁଡ଼ ତିଆରି ହୋଇଥାଏ ।

ପାରାଳାଖେମୁଣ୍ଡିରେ ୨ହଜାର ଓ ଢେଙ୍କାନାଳରେ ୧ହଜାରରୁ ଅଧିକ ଚାଷୀ ଅଛନ୍ତି । ତାଳଗୁଡ଼ରେ ପୋଷକତତ୍ତ୍ବ ଭରି ରହିଛି ।  ଏଥିରେ ଗ୍ଲାଇସେମିକ୍ସ ଇଣ୍ଡେକ୍ସ ବା ଜିଆଇ ୫୫ରୁ କମ୍ ରହିଛି । ତେଣୁ ଏହାକୁ ଖାଇଲେ ମଧୁମେହର ଆଶଙ୍କା କମ୍ । ଏହାସହ ଏଥିରେ କୌଣସି ପ୍ରକାର ରଂଗ କିମ୍ବା ସଂରକ୍ଷଣ ପାଇଁ କୌଣସି ରାସାୟନିକ ଜିନିଷ ମିଶି ନ ଥାଏ । ତେଣୁ ସ୍ବାସ୍ଥ୍ୟ ପାଇଁ ଏହା ଉପକାରୀ । ଏପରିକି ଆୟୁର୍ବେଦିକ ଚିକିତ୍ସାରେ ମଧ୍ୟ ତାଳଗୁଡ଼ର ବ୍ୟବହାର ଉପରେ ପରାମର୍ଶ ଦିଆଯାଇଥାଏ ।

ସଂଘର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ ତାଳଗୁଡ଼କୁ ପ୍ରସ୍ତୁତ କରୁଥିବା ଚାଷୀମାନେ କିଭଳି ଉପଯୁକ୍ତ ଢଙ୍ଗରେ ଏହାକୁ ପ୍ରସ୍ତୁତ କରିବେ ସେଥିପାଇଁ ଉଦ୍ୟମ କରାଯିବ । ରାଜ୍ୟରେ ତାଳଗୁଡ଼ର ୪ଟି ବିକ୍ରି ପଏଣ୍ଟ ରହିଛି । ଖଣ୍ଡଗିରି, ୟୁନିଟ-୨, କଟକ ଓ ସାଲେପୁରସ୍ଥିତ ବହୁଗ୍ରାମରେ ତାଳଗୁଡ଼ ବିକ୍ରି ହେଉଛି । ଏହାସହ ରାଜ୍ୟବ୍ୟାପୀ ହେଉଥିବା ବିଭିନ୍ନ ପ୍ରଦର୍ଶନୀରେ ଏହାକୁ ବିକ୍ରି କରାଯାଉଛି । ତାଳଗୁଡ଼ ବିଶେଷକରି ଡିସେମ୍ବରରୁ ମାର୍ଚ ମାସ ମଧ୍ୟରେ ତିଆରି ହୋଇଥାଏ ।

ଚାଷୀମାନେ ଜାଳେଣି କାଠ ଜରିଆରେ ଏହାକୁ ପ୍ରସ୍ତୁତ କରୁଛନ୍ତି । ବିନା ଜାଳେଣିକାଠ‌ରେ ଏହାକୁ କିଭଳି ପ୍ରସ୍ତୁତ କରାଯିବ ଓ ଯେଉଁ ଢଙ୍ଗରେ ଏହାକୁ ପ୍ରସ୍ତୁତ କରୁଛନ୍ତି ତାହାକୁ ପରିବର୍ତନ କରାଯିବ । ଯାହାଫଳରେ ଚାଷୀମାନଙ୍କ ଉତ୍ପାଦନ କ୍ଷମତା ବଢ଼ିପାରିବ । ଜିଆଇ ମାନ୍ୟତା ପାଇଁ ସିଟିଟିସି ବୈଷୟିକ ସହାୟତା ପ୍ରଦାନ କରିବ । ଏଥିପାଇଁ ନିକଟରେ ସିଟିଟିସି ସହିତ ଆଲୋଚନା ହୋଇଛି। ଆଗାମୀ ଦିନରେ ଏଥିପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେବ ବୋଲି ଅଧିକାରୀ କହିଛନ୍ତି ।

ଅପରପକ୍ଷରେ ତାଳଗୁଡ଼ ବ୍ୟତୀତ କୋରାପୁଟରେ ପ୍ରସ୍ତୁତ ହେଉଥିବା ଡଙ୍ଗରିଆ ସାଲ ଓ ରାୟଗାଡ଼ରେ ମିଳୁଥିବା ସଉରା ପେଣ୍ଟିଂକୁ ମଧ୍ୟ ଜିଆଇ ମାନ୍ୟତା ଦେବା ଉପରେ ଯୋଜନା ହୋଇଛି । ଏଥିପାଇଁ ଏସ୍‌ସି/ଏସ୍‌ଟି ବିଭାଗ ସହିତ ଆଲୋଚନା ହୋଇଛି । ତେବେ ଏହାର ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ହୋଇ ନ ଥିବା ଜଣାପଡ଼ିଛି ।