ବେଲଗାମ୍ ହେଉଛି ପେଟ୍ରୋଲ ଦର, ସାରା ଦେଶରେ ଅସନ୍ତୋଷ ! ଓଡ଼ିଶାରେ ଟପିଲା ୭୬, ମୁମ୍ବାଇରେ ଦର ୮୪

25

କନକ ବ୍ୟୁରୋ : ବେଲଗାମ ହୋଇଯାଇଛି ପେଟ୍ରୋଲ ଦର । ଦିନକୁ ଦିନ ଦର ବଢ଼ିବାରେ ଲାଗିଛି । କର୍ଣ୍ଣାଟକ ନିର୍ବାଚନ ପରେ ପରେ ପ୍ରତ୍ୟକ ଦିନ ଦର ବଢ଼ୁଥିବା ଲକ୍ଷ୍ୟ କରାଯାଇଛି । ଆଜି ପେଟ୍ରୋଲ ଦର ଓଡିଶାରେ ୭୬ ଟଙ୍କା ଟପିଯାଇଛି । ସେପଟେ ଡିଜେଲ ଦର ମଧ୍ୟ ଓଡିଶାରେ ୭୩ ଟଙ୍କା ଟପି ଯାଇଛି । ସେପଟେ ମୁମ୍ବାଇରେ ୮୪ ଟଙ୍କା ଟପିଛି ଦର ।

ମହଙ୍ଗା ମାଡ଼ରେ ସନ୍ତୁଳି ହେଉଥିବା ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ପାଲଟିଛି ତେଲ ଦର । ହୁ ହୁ ହୋଇ ବଢୁଥିବା ପେଟ୍ରୋଲ-ଡିଜେଲ ଦର ଯେମିତି ବେଲଗାମ୍ ହୋଇଯାଇଛି । ଆଉ ଖାଉଟିଙ୍କୁ ଗାଡ଼ି କାଢ଼ି ବାହାରକୁ ଯିବା ପାଇଁ ଦୁଇଥର ଭାବିବାକୁ ପଡୁଛି ।

petrol price hike

ସପ୍ତାହେ ହେଲାଣି ତେଲ ଦର କମିବାର ନାଁ ନେଉଥିବା ବେଳେ ଦରବୃଦ୍ଧିର ଗୋଟିଏ ପରେ ଗୋଟିଏ ରେକର୍ଡ ଟପୁଛି । ଓଡ଼ିଶାରେ ପଟ୍ରୋଲ ଦର, ଲିଟର ପିଛା ୭୬ ଟଙ୍କା ଟପି ଗଲାଣି । ରାଉରକେଲାରେ ପେଟ୍ରୋଲ ଦର ଲିଟର ପିଛା ୭୬ ଟଙ୍କା ୨୬ ପଇସା ଥିବା ବେଳେ ଡିଜେଲ ପହଂଚିଛି ୭୩ ଟଙ୍କା ୫୭ ପଇସାରେ । ସେହିପରି ବ୍ରହ୍ମପୁର ସହରରେ ପଟ୍ରୋଲ ୭୬ ଟଙ୍କା ୨୮ ପଇସା ଥିବା ବେଳେ ଡିଜେଲ ୭୩ ଟଙ୍କା ୫୮ ପିଇସା ରହିଛି । କଟକରେ ପେଟ୍ରୋଲ ୭୫ ଟଙ୍କା ୫୩ ପଇସା ଏବଂ ଡିଜେଲ ୭୨ ଟଙ୍କା ୮୩ ପଇସା ଥିବା ବେଳେ ଭୁବନେଶ୍ୱରରେ ପେଟ୍ରୋଲ ୭୫ ଟଙ୍କା ୪୩ ପଇସା ଏବଂ ଡିଜେଲ ୭୨ ଟଙ୍କା ୬୫ ପଇସା ରହିଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ୭୫ ଟଙ୍କା ୮୨ ପଇସା ଥିବା ବେଳେ ଡିଜେଲ ରହିଛି ୭୩ ଟଙ୍କା ୧୩ ପଇସା ।

petrol and diseal
image courtesy – www.loksatta.com

କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଦର ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇ ସାମ୍ନାକୁ ଆସିଛି । ଯେଉଁଥି ପାଇଁ କେନ୍ଦ୍ର ସରକାର ଏକ ଠୋସ୍ ପଦକ୍ଷେପ ପାଇଁ ଚିନ୍ତା କରୁଥିବା କୁହାଯାଉଛି । ଦେଶର ପ୍ରମୁଖ ୪ ମହାନଗର ଦିଲ୍ଲୀ, ମୁମ୍ବାଇ, କୋଲକତା ଏବଂ ଚେନ୍ନାଇରେ ଆହୁରୀ ଉକ୍ରଟ ହେଉଛି ତେଲ ଦର । ଆଜି ମୁମ୍ବାଇରେ ପେଟ୍ରୋଲ ଦର ୮୪ ଟଙ୍କା ୪୦ ପଇସା ଥିବା ବେଳେ ଦିଲ୍ଲୀରେ ୭୬ ଟଙ୍କା ୫୭ ପଇସା, କୋଲକତାରେ ୭୯ ଟଙ୍କା ୨୪ ପଇସା ଏବଂ ଚେନ୍ନାଇରେ ୭୯ ଟଙ୍କା ୪୭ ପଇସା ରହିଛି । ହେଲେ ବିଭାଗୀୟ ମନ୍ତ୍ରୀ କିନ୍ତୁ ଆନ୍ତର୍ଜାତୀକ ବଜାର ଉପରକୁ ଦୋଷ ଠେଲି ଦେଇ ଖସିଯିବାକୁ ପ୍ରାୟସ କରୁଛନ୍ତି ।

ଆଉ ଏପଟେ ତେଲ ଦର ବୃଦ୍ଧିକୁ ନେଇ ତେଜୁଛି ରାଜ୍ୟ ରାନଜୀତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ବୃଦ୍ଧି ସାଙ୍ଗକୁ ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟରେ ହ୍ରାସ ପାଉଥିବାରୁ ତେଲ ଦର ଏବେ ଆକାଶଛୁଅାଁ ହେଉଛି । ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ପକେଟ୍ ପୋଡ଼ୁଥିବା ବେଳେ ଟିକସ ବାବଦରେ ବଡ଼ ଭାଗ ନେଇ ଯାଉଛନ୍ତି ସରକାର । କିପରି ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ଉପରକୁ ଚାଲିଯାଇଛି ତାର ଏକ ଚିତ୍ର ଆମେ ଦେଖାଉଛୁ ।