ଦିଲ୍ଲୀ ହିଂସାରେ ଗଲାଣି ୩୫ ଜଣଙ୍କ ଜୀବନ । କେମିତି ଜଳିଲା ଦିଲ୍ଲୀ, କାରଣ ଖୋଜୁଛି ପୁଲିସ? ତଦନ୍ତ ବେଳେ ଆପ ନେତାଙ୍କ ଘର ଛାତ ଉପରୁ ମିଳିଲା ଟେକା ପଥର ଓ ପେଟ୍ରୋଲ ବମ୍

ସେପଟେ ରାଷ୍ଟ୍ରପତିଙ୍କୁ ଭେଟି ହସ୍ତକ୍ଷେପ ଲୋଡିଲା କଂଗ୍ରେସ

505

କନକ ବ୍ୟୁରୋ: ଦିଲ୍ଲୀ ହିଂସାକାଣ୍ଡରେ ଏଯାଏ ୩୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୨୦୦ରୁ ଅଧିକ ଲୋକ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ଏହି ହିଂସାକାଣ୍ଡ କେମିତି ଘଟିଲା, ଏହା ପଛରେ କାହାର ରହିଛି ହାତ, ଏନେଇ ତଦନ୍ତକୁ ଜୋରଦାର କରିଛି ଦିଲ୍ଲୀ ପୋଲିସ । ଏହି ତଦନ୍ତ ଭିତରେ ଆପ ନେତା ହାଜି ତାହିର ହୁସେନଙ୍କ ଘର ଛାତ ଉପରେ ଯାହା ଦେଖିବାକୁ ମିଳିଛି ତାହା ସମସ୍ତଙ୍କୁ ଚମକାଇ ଦେଇଛି । ଦିଲ୍ଲୀ ଖଜୁରୀ ଅଂଚଳରେ ଅବସ୍ଥିତ ତାହିର ହୁସେନଙ୍କ ବହୁତଳ ବିଶିଷ୍ଠ ଘରର ପ୍ରତିଟି ମହଲାରେ ଦେଖିବାକୁ ମିଳିଛି ହିଂସା ପାଇଁ କିଭଳି ପୁରା ଷଡଯନ୍ତ୍ର କରାଯାଇଥିଲା । ବିପକ୍ଷ ଗୋଷ୍ଠୀ ଓ ପୋଲିସ ଉପରକୁ ଆକ୍ରମଣ ପାଇଁ ଛାତ ଉପରେ ରଖାଯାଇଥିଲା ପ୍ଲାଷ୍ଟିକ ଟ୍ରେରେ ପୁଳାପୁଳା ପଥର ଓ ପେଟ୍ରୋଲ ବୋମା ।

ସେହିପରି ଆକ୍ରମଣକୁ ଆହୁରି ଶାଣିତ କରିବା ପାଇଁ ବାଟୁଳିଖୋଡା ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ଏହି ଚିତ୍ର ସେତିକିବେଳେ ସାମନାକୁ ଆସିଛି ଯେତେବେଳେ ହୁସେନଙ୍କୁ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ ଦାୟୀ କରିଛନ୍ତି ତାଙ୍କ ପରିବାର ଲୋକେ । ଆଉ ଏହାର ତଦନ୍ତ ପାଇଁ ହୁସେନଙ୍କ ଘରେ ପହଁଚିଛି ଦିଲ୍ଲୀ ପୋଲିସ୍ । ଏହା ସହିତ ଏହି ଘର ଉପରୁ ପେଟ୍ରୋଲ ବୋମା ଓ ପଥରମାଡ ହୋଇଥିବା ମଧ୍ୟ ପାରିପାଶ୍ୱର୍ିକ ଅବସ୍ଥାରୁ ସ୍ପଷ୍ଟ ଜଣାପଡୁଛି । ସେପଟେ ଏହି ଘର ତାଙ୍କର ବୋଲି ସ୍ୱୀକାର କରିଥିଲେ ମଧ୍ୟ ହିଂସାକାଣ୍ଡ ହୋଇଥିବା ସମୟରେ ସେ ସେଠାରେ ନଥିଲେ ବୋଲି କହିଛନ୍ତି ହୁସେନ ।

ହିଂସାକାଣ୍ଡ ପାଇଁ ୧୮ରୁ ଅଧିକ ଏଫଆଇଆର ରୁଜୁ ହୋଇଥିବାବେଳେ ୧୧୫ରୁ ଅଧିକ ଜଣଙ୍କୁ ଗିରଫ କରିଲାଣି ପୋଲିସ । ସେପଟେ ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂ, ଆନନ୍ଦ ଶର୍ମା, ରଣଦୀପ ସୂରଜେବାଲା, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି, ଦିଲ୍ଲୀରେ ଏବେ ଯାହା ଚାଲିଛି, ତାହା ଲଜ୍ଜା ଜନକ ।