ସମୟ ସରୁଛି, ଖାମଖିଆଲି ବଢୁଛି । ରାଜଧାନୀ ଛାତି ଉପରେ ରଙ୍ଗ୍ ରୁଟରେ ଗୋଟିଏ ସ୍କୁଟିିରେ ଯାଉଛନ୍ତି ୪ ଯୁବକ । ନା ମୁଣ୍ଡରେ ଅଛି ହେଲମେଟ, ନା ଅଛି ଟ୍ରାଫିକ ଭୟ । ବେପରୁଆ ଚାଳକଙ୍କ ଉପରେ କେତେ ଲାଗିବ ଫାଇନ ?

194

କନକ ବ୍ୟୁରୋ: ସ୍ମାର୍ଟସିଟିର ସ୍ମାର୍ଟ ଗାଡି ଚାଳକ । ଟ୍ରିପଲ ରାଇଡିଂରେ ଜରିମାନା ଆଦାୟ କରାଯାଉଥିବା ବେଳେ ଏଭଳି ଦୃଶ୍ୟ ଆପଣଙ୍କୁ ଚକିତ କରିଦେବ । ରାଜଧାନୀର ଛାତି ଉପରେ ଖୁଲମଖୁଲା ସ୍କୁଟିରେ ଚାରି ଜଣ ବୁଲୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତାହା ବି ପୁଣି ରାଜଧାନୀର ଜନଗହଳି ପୂର୍ଣ୍ଣ ଛକରେ । ଏହି ସ୍କୁଟି ଚାଳକ ସତେ ଯେପରି ଟ୍ରାଫିକ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି । କେବଳ ଗାଡିରେ ଚାରି ଜଣକୁ ବସାଇ ନିୟମ ଭାଙ୍ଗିନାହାନ୍ତି ବରଂ ରଙ୍ଗ ରୁଟରେ ଗାଡି ଚଳାଇ ଖୁଲମଖୁଲା ଟ୍ରାଫିକ ନିୟମ ଭାଙ୍ଗିଛନ୍ତି ଏହି ସ୍କୁଟି ଚାଳକ ।

ଏଭଳି ଦୃଶ୍ୟ ଆଜି କଟକ-ପୁରୀ ରୋଡରେ ଦେଖିବାକୁ ମିଳିଥିଲା । ବିନା ହେଲମେଟ ସାଙ୍ଗକୁ ଚାରି ଜଣକୁ ଗାଡିରେ ବସାଇ ଥିବା ବେଳେ ରଙ୍ଗ ରୁଟରେ ଗାଡି ପୂରାଇ ଟ୍ରାଫିକ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ଏହି ସ୍କୁଟି ଚାଳକ । ଏହି ଦୃଶ୍ୟ ହିଁ ବୟାନ କରୁଛି ଯେପରି ଟ୍ରାଫିକ ନିୟମକୁ ଏମାନଙ୍କର ଖାତିର ନାହିଁ । ଚାରିଆଡେ ସିସିଟିଭି, ଛକ ଛକରେ ଚେକିଂ ଏହାସତ୍ତେ୍ୱ ମଧ୍ୟ ଟ୍ରାଫିକ ନିୟମ ମାନିବାକୁ ନାରାଜ ଏହିଭଳି କିଛି ଗାଡି ଚାଳକ ।

ଏସବୁ ଭିତରେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, କଣ୍ଟ ପୂରିବା ପରେ ଆଉ ଦିଆଯିବନି ସମୟ । ଗାଡି କାଗଜପତ୍ର ଓ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ଠାରୁ ନୂଆ ମୋଟର ଯାନ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯିବ ।

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ କଡାକଡି ହୋଇଥିଲା ଟ୍ରାଫିକ ଚେକିଂ । ଗାଡି କାଗଜପତ୍ର ଠାରୁ ଆରମ୍ଭ କରି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିଲା । କିନ୍ତୁ ଗାଡି କାଗଜପତ୍ର ଯାଞ୍ଚକୁ ନେଇ ଅସନ୍ତୋଷ ଦେଖା ଦେବାରୁ ୬ ମାସ ସମୟ ଦେଇଥିଲେ ସରକାର । ଏହି ୬ ମାସ ସମୟ ସୀମା ମଧ୍ୟରେ ଗାଡି କାଗଜପତ୍ର ଠିକ୍ କରିବାକୁ ଗାଡି ଚାଳକଙ୍କୁ କୁହାଯାଇଥିଲା । ଫେବ୍ରୁଆରୀ ୨୯ରେ ଏହାର କଣ୍ଟ ପୂରୁଥିବା ବେଳେ ମାର୍ଚ୍ଚ ପହିଲାରୁ ଆଉ ମିଳିବନି ନିସ୍ତାର । ତେଣୁ ମାର୍ଚ୍ଚ ୧ ପୂର୍ବରୁ ଗାଡିର ସମସ୍ତ କାଗଜପତ୍ର ଠିକ୍ କରାଇନିଅନ୍ତୁ । ନଚେତ ମୋଟା ଅଙ୍କର ଜରିମାନା ଗଣିବାକୁ ପଡିପାରେ ।