କ୍ୟାମେରା ଦେଖିଲା ମରୁଡିର ବିକଳ ଚିତ୍ର । ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ ଟିମ୍

କେଉଁଠି ଫାଟି ଆଁ କରିଛି ଜମି, ତ ଆଉ କେଉଁଠି ବିଲରେ ଲାଗିଛି ନିଆଁ

188

କନକ ବ୍ୟୁରୋ: ରାଜ୍ୟର ୯ଟି ଜିଲ୍ଲାରେ ମରୁଡି ଉତ୍କଟ ସ୍ଥିତି । ବର୍ଷା ଅଭାବ ଯୋଗୁଁ ସଂପୂର୍ଣ୍ଣ ଉଜୁଡି ଯାଇଛି ଚାଷୀର ଫସଲ । ସ୍ଥିତି ଏମିତି ହୋଇଛି ଯେ, ବୌଦ୍ଧ ଜିଲ୍ଲାରେ ଧାନ ଜମିରେ ହିଁ ନିଆଁ ଲଗାଇ ଦେଉଛନ୍ତି ଚାଷୀ । କାରଣ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ନାଁ ଏଥିରୁ ଫସଲ ଅମଳ ହେବ ନା’ ଗୋରୁ ଖାଇବା ପାଇଁ ଏହା ଯୋଗ୍ୟ । ଝାରସୁଗୁଡ଼ା ଜିଲ୍ଲାରେ ବି ସମାନି ପରିସ୍ଥିତି । ଧାନ ଫସଲ ସଂପୂର୍ଣ୍ଣ ହୋଇଯିବାରୁ ବିଲରେ ଗୋରୁଙ୍କୁ ଛାଡି ଦେଇଛନ୍ତି ଚାଷୀ ।

ମୁଳ-ସୁଧ ସବୁ ବୁଡି ଯିବା ପରେ ଚାଷୀ ପେଟକୁ ତ’ କିଛି ଆସିପାରିବ ନାହିଁ, ଅନ୍ତତଃ ଗାଈଗୋରୁଙ୍କ ପେଟକୁ କିଛି ଯାଉ । ବୋଧେ ଏଇଥି ପାଇଁ ବିଲରେ ଚରୁଛନ୍ତି ଗାଈଗୋରୁ । ଆଉ ସୁନ୍ଦରଗଡ଼ରେ ପାଣି ଅଭାବରୁ ଚାଷୀର ବର୍ଷକର ପରିଶ୍ରମ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ୯ଟି ଜିଲ୍ଲାରେ ରାଜ୍ୟ ସରକାର ମରୁଡି ଘୋଷଣା କରିବା ପରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖି ଥିଲା କନକ ନ୍ୟୁଜ୍ ଟିମ୍ । ପଢନ୍ତୁ ଏହି ରିପୋର୍ଟ ।

ଧାନ ଚାଷର ଏହି ଚିତ୍ର ଦେଖିଲେ ହୁଏତ କହିବା ମୁସ୍କିଲ ଯେ, ଇଏ ଚାଷ ଜମି ଫାଟି ଆଁ କରିଛି, ନା’ ଚାଷୀର ହୃଦୟ ଫାଟି ଆଁ କରିଛି । ଯେଉଁ ଧାନ ଫସଲକୁ ଆଶ୍ରା କରି ଚାଷୀ ବଂଚୁଥିଲା, ତା’ର ଏଭଳି ଅବସ୍ଥା ଦେଖିଲା ବେଳକୁ ହୁଏତ ଚାଷୀର ଛାତି ଫାଟି ଯାଉଥିବ । ସୁନ୍ଦରଗଡ଼ ତଳସର ଅଂଚଳର ଏହି ଚିତ୍ର ଉଣା ଅଧିକେ ଜିଲ୍ଲାର ୧୭ଟି ବ୍ଲକର କାହାଣୀ କହୁଛି ।
ଯେଉଁ ସମୟରେ ଚାଷ ଅମଳ ହେବା ଆରମ୍ଭ କରିବା କଥା, ଧାନ କ୍ଷେତରେ କେଣ୍ଡାଟିଏ ବି ଧାନ ଦେଖିବାକୁ ମିଳୁନି । ପହିଲି ବର୍ଷା ଛିଟା ଦେଖି କେତେ ଉତ୍ସାହରେ ଚାଷ ଆରମ୍ଭ କରିଥିଲା ଚାଷୀ । ହେଲେ ଠିକ୍ ନୂଆଖାଇ ପରେ ଯେମିତି ବର୍ଷା ଉଭାନ୍ ହୋଇଗଲା । ଆଉ ଏବେ ଏଇ ସ୍ଥିତି ।

ସେହିପରି ସୁନ୍ଦରଗଡ଼ଠୁ ବଳି ଯାଇଛି ଝାରସୁଗୁଡ଼ା ଏବଂ ବୌଦ୍ଧ ଜିଲ୍ଲାର ସ୍ଥିତି । ଏଠି କେବଳ ଚାଷୀର ଛାତି ଫାଟିବାରେ ସୀମିତ ନାହିଁ, ବରଂ ଚାଷୀର ଛାତିରେ ଲାଗିଛି ନିଆଁ । ବିଲରେ ହିଁ ଜଳିପୋଡ଼ି ପାଉଁଶ ହୋଇ ଯାଉଛି ଚାଷୀର ସବୁ ଆଶା ଆକାଂକ୍ଷା । ଏପଟେ ଝାରସୁଗଡ଼ା ଜିଲ୍ଲାରେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯିବାରୁ ବିଲରେ ଚରୁଛନ୍ତି ଗାଈଗୋରୁ । ଏଥିରୁ ଚାଷୀ, ପେଟକୁ ତ’ କିଛି ଆସିପାରିବ ନାହିଁ, ଅନ୍ତତଃ ଗାଈଗୋରୁଙ୍କ ପେଟକୁ କିଛି ଯାଉ । ମୂଳ-ସୁଧ ସବୁ କିଛି ବୁଡି ଯିବା ପରେ ଏବେ ଚାଷୀଙ୍କ ଏକମାତ୍ର ଭରସା ସରକାରୀ ସହାୟତା ।